ବିଜେପି ନେତା ତଥା ଦିଲ୍ଲୀ ମନ୍ତ୍ରୀ ପରଭେଶ ବର୍ମା ଶନିବାର ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି । କେଜ୍ରିୱାଲଙ୍କୁ ଦିଲ୍ଲୀର ରେହମାନ ଡକାୟତ କହିବା ସହିତ ସେ ଆଉ ଏକ ଶୀଶ୍ ମହଲ ନିର୍ମାଣ କରିଥିବା କହିଛନ୍ତି । କେଜ୍ରିୱାଲଙ୍କ ନୂଆ ବାସଭବନ ଦାବି କରି ବର୍ମା ଘରର କିଛି ଫଟୋ ମଧ୍ୟ ସେୟାର କରିଥିଲେ । ତେବେ ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ କହିଛନ୍ତି, ଏହି ଦୃଶ୍ୟଗୁଡ଼ିକ ପୂରାପୂରି ନକଲି । ବର୍ମା ଓ ଯେଉଁ ଟେଲିଭିଜନ ଚାନେଲ ଏସବୁ ଦୃଶ୍ୟ ଦେଖାଯାଉଛନ୍ତି ସେମାନେ ମାନହାନି ମକଦ୍ଦମା ପାଇଁ ପ୍ରସ୍ତୁତ ରୁହନ୍ତୁ ।
ଏକ ସାମ୍ବାଦିକ ସମ୍ମିଳନୀ କରି ବର୍ମା କହିଛନ୍ତି, କେଜ୍ରିୱାଲ ପୂର୍ବେ ସାଧାରଣ ଜୀବନ ବଞ୍ଚିବେ ବୋଲି କହୁଥିବାବେଳେ ବର୍ତ୍ତମାନ ଆଡ଼ମ୍ବରପୂର୍ଣ୍ଣ ଜୀବନ ବଞ୍ଚୁଛନ୍ତି। ଦିଲ୍ଲୀର ଭୋଟର ଏହି ରେହମାନ ଡକାୟତଙ୍କୁ ହରାଇ ଦେବା ପରେ ସେ ପଞ୍ଜାବ ଚାଲିଗଲେ । ଏବେ ଭଗବନ୍ତ ମାନ୍ ଚିନ୍ତିତ । ବର୍ମା ଆହୁରି ଅଭିଯୋଗ କରିଛନ୍ତି ଯେ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ଙ୍କ ବାସଭବନ ଚାରିପାଖରେ ଥିବା ଅନେକ ସରକାରୀ ବାସସ୍ଥାନ କେଜ୍ରିୱାଲ, ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍, ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଓ ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମାଡ଼ି ବସିଛନ୍ତି ।
ବର୍ମା କହିଛନ୍ତି କେଜ୍ରିୱାଲ ନିକଟରେ ୯୫ ଲୋଧି ଇଷ୍ଟେଟର ସରକାରୀ ବଙ୍ଗଳାକୁ ଯାଇଛନ୍ତି । ସେ ସାଧାରଣ ଲୋକ ପରି ରହିବେ ବୋଲି କହୁଥିଲେ । ମୁଁ ପୂର୍ବ ଶୀଶ୍ ମହଲ ଯାଇଥିଲି ଓ ଆଶ୍ଚର୍ଯ୍ୟ ହୋଇଯାଇଥିଲି କି ଏତେ ଆଡ଼ମ୍ବରପୂର୍ଣ୍ଣ ଘରେ ଲୋକଙ୍କୁ କିପରି ନିଦ ଆସୁଛି । କେଜ୍ରିୱାଲ ପ୍ରଥମେ ସରକାରୀ ବାସଭବନ ନେବେ ନାହିଁ ବୋଲି କହିଥିଲେ ଓ ପରେ ସରକାରୀ ବଙ୍ଗଳା ନେବା ସହିତ ଏହାକୁ ଶୀଶ୍ ମହଲରେ ପରିଣତ କରିଥିଲେ ବୋଲି ବର୍ମା ଅଭିଯୋଗ କରିଥିଲେ । ତେବେ ଆପ୍ ରାଜ୍ୟସଭା ସାଂସଦ ଏହାକୁ ନକଲି କହିବା ସହିତ ଏହା ବିରୋଧରେ ମାନହାନି ମକଦ୍ଦମା କରିବେ ବୋଲି କହିଥିଲେ । ସଞ୍ଜୟ ସିଂହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ଉପରାଜ୍ୟପାଳ ଭିକେ ସାକ୍ସେନା ଓ ପରଭେଶ ବର୍ମାଙ୍କୁ ସେମାନଙ୍କ ଘର ସର୍ବସାଧାରଣ ପାଇଁ ଖୋଲିବାକୁ ଚାଲେଞ୍ଜ କରିଥିଲେ। ସଞ୍ଜୟ ସିଂହ ବିଜେପିକୁ ‘ଭାରତୀୟ ଝୁଠା ପାର୍ଟି’ ବୋଲି କହିଛନ୍ତି ।








