ଆଜି ଭିତର ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି ଦ୍ବିତୀୟ ଦିବସ,ଆଜି ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଶେଷ

ଆଜି ଭିତର ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି ଦ୍ବିତୀୟ ଦିବସ ଥିଲା। ତେବେ ରତ୍ନ ଅଳଙ୍କାର ଗଣତି ମଣତି ପୂର୍ବରୁ ଆଜି ପୁଣି ଘଟିଛି ଚମତ୍କାର। ଆଜି ଦ୍ୱିପ୍ରହର ଧୂପ ପାଇଁ ମହାପ୍ରଭୁ ବେଶ ହେବା ପରେ ପ୍ରଭୁ ବଳଭଦ୍ରଙ୍କ ଅଧରମାଳା ଖସିଥିଲା। ଫଳରେ ଗଣତି ମଣତି ଟିମର ସଦସ୍ୟ ଏବଂ ସେବାୟତ ମାନେ ମହାପ୍ରଭୁଙ୍କ ଅନୁମତି ପାଇ ବେଶ ଆନନ୍ଦ ପ୍ରକାଶ କରିଥିଲେ। ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଗଣତି ମଣତି ପାଇଁ ଭିତର ରତ୍ନଭଣ୍ଡାର କୁ ଗଣତି ମଣତି ଟିମ୍ ପ୍ରବେଶ କରିଥିଲେ।

ଆଜି ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଶେଷ ହୋଇଛି ବୋଲି ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର କହିଛନ୍ତି। ସେହିପରି ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଶେଷ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ମାର୍ଚ୍ଚ ୨୫ ରେ ପ୍ରଥମେ ଚଳନ୍ତି ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯାଇଥିଲା। ପରେ ଏପ୍ରିଲ ୮ ରୁ ୧୧ ଚାରିଦିନ ଧରି ବାହାର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ କରାଯାଇ ଶେଷ ହୋଇଥିଲା।

୭ ଘଣ୍ଟା ଧରି ଚାଲିଲା ଗଣତି ମଣତି

ଗତ ୧୩ ତାରିଖରୁ ତୃତୀୟ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆରମ୍ଭ ପରେ ଆଜି ସପ୍ତମ ଦିବସରେ ଏହା ପହଞ୍ଚିଛି। ଆଜି ଭିତର ରତ୍ନଭଣ୍ଡାର ଗଣତି ମଣତିର ଦ୍ୱିତୀୟ ଦିବସରେ ଦୀର୍ଘ ୭ ଘଣ୍ଟା ଧରି ଗଣତି ମଣତି କରାଯାଇଛି। ୧୨ ଟା ୨୫ ରେ ଭିତର ରତ୍ନଭଣ୍ଡାରର ତାଲା ଖୋଲି ଗଣତି ମଣତି ଆରମ୍ଭ କରାଯାଇଥିବା ବେଳେ ୭ ଟା ୧୫ ରେ ଏହା ଶେଷ ହୋଇଥିଲା। ୧୯୭୮ ତାଲିକା ଅନୁସାରେ ସମସ୍ତ ଅଳଙ୍କାରର ଗଣତି ଓ ମେଳକ କରାଯାଇଛି। ୧୯୭୮ ତାଲିକାରେ କ୍ରମିକ ସଂଖ୍ୟା ସୂଚିତ ଥିବାରୁ ଗଣତି ମଣତି ପାଇଁ ସହଜ ହେଉଛି। ତେବେ ଏହି କାର୍ଯ୍ୟ ବେଶ୍ କଷ୍ଟସାଧ୍ୟ।

ଆଜି ଗଣତି ବେଳେ ଅଳଙ୍କାରର କୌଣସି ଅମେଳକ ହୋଇନାହିଁ। ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ଏବଂ ନିର୍ଭୁଲ ଭାବରେ ସମସ୍ତ କାର୍ଯ୍ୟ କରାଯାଉଛି। ୧୯୭୮ ତାଲିକା ମେଳ କଲାବେଳେ ସମ୍ପୂର୍ଣ୍ଣ ନିର୍ଭୁଲ ଭାବରେ ଗଣତି ପାଇଁ ସକ୍ଷମ ହୋଇଥିଲେ ଟିମ୍। ଗଣତି ମଣତି ସରିବା ପରେ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ ପରେ ସ୍ପଷ୍ଟ ସୂଚନା ଦିଆଯିବ। ଏହା ଏକ ସମୟ ସାପେକ୍ଷ ପ୍ରକ୍ରିୟା। କେତେ ପ୍ରତିଶତ ସରିଛି ତାହା କହିବା ସମ୍ଭବ ନୁହେଁ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ। ଚଳନ୍ତି ଭଣ୍ଡାର ଏବଂ ବାହାର ଭଣ୍ଡାର ଗଣତି ମଣତି ବେଳେ ସମ୍ପୂର୍ଣ୍ଣ ନିର୍ଭୁଲ ଭାବରେ ସମସ୍ତ କାର୍ଯ୍ୟ କରାଯାଇଛି।

୧୯୭୮ ପରେ ଭିତର ରତ୍ନଭଣ୍ଡାର ହୋଇ ନ ଥିଲା ଗଣତି

୧୯୭୮ ପରେ ଗଣତି ମଣତି ହୋଇ ନଥିଲା ଭିତର ରତ୍ନଭଣ୍ଡାର। ଅନେକ ମୋତି ମାଣିକ୍ୟ ରହିଛି ଭିତର ରତ୍ନଭଣ୍ଡାରରେ। ୧୯୭୮ ମସିହାରେ ଯେଉଁ ମହାନ୍ ବ୍ୟକ୍ତି ଏହି କାର୍ଯ୍ୟ କରିଛନ୍ତି ତାଙ୍କୁ ଧନ୍ୟବାଦ। ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି ସହିତ ଓଜନ ମାପ, ଫଟୋଗ୍ରାଫି, ଭିଡିଓଗ୍ରାଫି କରାଯାଉଛି। ସମସ୍ତ ରତ୍ନ ଅଳଙ୍କାରର ଥ୍ରୀଡି ସ୍କାନିଙ୍ଗ ମଧ୍ୟ କରାଯାଉଛି। ଶତ ପ୍ରତିଶତ ସଠିକ୍ ଭାବେ ଗଣତି ମଣତି କରାଯାଉଛି। ବାହାର ଚନ୍ଦନ ଯାତ୍ରା ପାଇଁ ଗଣତି ମଣତି କାର୍ଯ୍ୟ ବନ୍ଦ ରହିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।