୨୦୨୭ ଜାନୁଆରୀ ଓ ଫେବୃଆରୀ ମାସରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ – ରାଜ୍ୟ ନିର୍ବାଚନ କମିଶନ

ଓଡ଼ିଶାରେ ଆସନ୍ତା ବର୍ଷ (୨୦୨୭) ଜାନୁଆରୀ ଓ ଫେବୃଆରୀ ମାସରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଶନିବାର ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ଏହି ସଙ୍କେତ ଦେଇଛନ୍ତି।

ବର୍ତ୍ତମାନର ପଞ୍ଚାୟତ ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ଏହି ନୂତନ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଶନର କହିଛନ୍ତି ଯେ ନିର୍ବାଚନ ପ୍ରସ୍ତୁତି ନେଇ ବିଭିନ୍ନ ଜିଲାର ଜିଲାପାଳ, ଉପ-ଜିଲାପାଳ ଓ ପୌର କମିଶନରମାନଙ୍କ ସହ ଆଲୋଚନା ଜାରି ରହିଛି।

ନିର୍ବାଚନକୁ ସ୍ୱଚ୍ଛ ଓ ସଠିକ୍ କରିବା ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘରକୁ ଘର ବୁଲି ଭୋଟର ସର୍ଭେ କରାଯିବ। ଏହି ସର୍ଭେ କାର୍ଯ୍ୟ ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଜନଗଣନା କାର୍ଯ୍ୟ ଯୋଗୁଁ ଏଥିରେ ପ୍ରାୟ ମାସେ ବିଳମ୍ବ ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି।

ଭୋଟରମାନଙ୍କ ସୁବିଧା ପାଇଁ ଆବଶ୍ୟକ ସ୍ଥଳେ ବୁଥ୍‌ଗୁଡ଼ିକର ପୁନର୍ଗଠନ କରାଯିବ। ପୋଲିଂ ବୁଥ୍ ଯେପରି ଭୋଟରଙ୍କ ଘର ପାଖରେ ରହିବ, ତାହାକୁ ପ୍ରାଥମିକତା ଦିଆଯିବ।

ତେବେ ଏହି ଭୋଟର ସର୍ଭେ ସହିତ ‘ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍’ (SIR) ର କୌଣସି ସମ୍ପର୍କ ନାହିଁ ବୋଲି ପାଢ଼ୀ ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *