ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ମନା

ଖଣ୍ଡଗିରି କୁମ୍ଭମେଳାରେ ଆଇନଶୃଙ୍ଖଳା ରକ୍ଷା ସହ ଲୋକଙ୍କ ସୁରକ୍ଷାକୁ ଦୁଷ୍ଟିରେ ରଖି ସୋମବାର ଖଣ୍ଡଗିରି ଥାନା ପୋଲିସ ଏବଂ ଯାତ୍ରା କମିଟି ମଧ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ଯାତ୍ରା ପେଣ୍ଡାଲରେ ଅଶ୍ଳୀଳତାକୁ ନେଇ ଆଲୋଚନା ହୋଇଛି। ଯେଉଁ ଯାତ୍ରା କମିଟି ଅଶ୍ଳୀଳ ନୃତ୍ୟକୁ ପ୍ରୋତ୍ସାହନ ଦେବ ବା କରାଇବ, ଉକ୍ତ କମିଟି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି। ଏଥର ଯାତ୍ରା ପେଣ୍ଡାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିବ। ସେହିପରି ଯାତ୍ରା ପେଣ୍ଡାଲର ପ୍ରବେଶ ପଥ ସୁଗମ କରିବା ସହ ଜୁରୀରିକାଳୀନ ଦ୍ୱାର ରଖିବାକୁ କୁହାଯାଇଛି। ପୋଲିସ ମଧ୍ୟ ଏହାକୁ ପ୍ରତିଦିନ ଯାଞ୍ଚ କରିବ। ଯେପରି ଯାତ୍ରା ଦେଖିବା ସମୟରେ କୌଣସି ମହିଳା ଅସଦାଚରଣ କିମ୍ବା ଲୁଟ୍‌ପାଟର ଶିକାର ନ ହୁଅନ୍ତି, ସେଥିଲାଗି ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ମେଳା ଓ ଯାତ୍ରାକୁ ସୂଚାରୁରୂପେ ପରିଚାଳନା ପାଇଁ ପ୍ରାୟ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଦିନ ୨ଟାରୁ ରାତି ୧୧ଟା ଓ ରାତି ୧୧ଟାରୁ ପରଦିନ ସକାଳ ପର୍ଯ୍ୟନ୍ତ ଦୁଇଟି ସିଫ୍ଟରେ ୧୦ଜଣ ପୋଲିସ ଅଧିକାରୀ ନିୟୋଜିତ ହେବେ। ଏଥିସହିତ ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିବ। ପୋଲିସର ଅସ୍ଥାୟୀ କଣ୍ଟ୍ରୋଲ ରୁମ୍‌ ବସି ଅଧିକାରୀମାନେ ସିସିଟିଭି ମାଧ୍ୟମରେ ମେଳା ଉପରେ ନଜର ରଖିବେ। ସାଦା ପୋଷାକରେ ମହିଳା ଓ ପୁରୁଷ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ସେମାନେ ଖଣ୍ଡଗିରି ଓ ଉଦୟଗିରି ପାହାଡ଼ରେ ଫୁଟ୍‌ ପାଟ୍ରୋଲିଂ କରିବେ। ସେପଟେ ଟ୍ରାଫିକ ବ୍ୟବସ୍ଥାର ପରିଚାଳନା ପାଇଁ ଟ୍ରାଫିକ ପୋଲିସ ପକ୍ଷରୁ ବ୍ୟବସ୍ଥା ହୋଇଛି। ୨୦ଜଣ ଟ୍ରାଫିକ କନ୍‌ଷ୍ଟେବଳ ଓ ଜଣେ ଅଧିକାରୀ ଟ୍ରାଫିକ ପରିଚାଳନା ଦାୟିତ୍ୱରେ ରହିବେ। ଆହୁରି ମଧ୍ୟ ଅନେକ ବିଷୟରେ ଏହି ବୈଠକରେ ଆଲୋଚନା ହୋଇଥିବା ଥାନା ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *