ବିଜେପି ସରକାରରେ ମା’ମାନେ ସବୁଠୁ ଅସୁରକ୍ଷିତ ହୋଇପଡିଛନ୍ତି, ବିକାଶ ଠପ୍- ନବୀନ

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ମହିଳାଙ୍କ ପ୍ରତି ବଢ଼ୁଥିବା ଅତ୍ୟାଚାର ଏବଂ ନିର୍ଯାତନା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ରବିବାର ପୂର୍ବତନ ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ ଏକ ପୋଷ୍ଟ କରି ରାଜ୍ୟରେ ମହିଳାଙ୍କ ପ୍ରତି ବଢ଼ୁଥିବା ନିର୍ଯାତନା ପାଇଁ ସରକାରଙ୍କୁ ଘେରିଛନ୍ତି।

ନବୀନ କହିଛନ୍ତି, ଖୋର୍ଦ୍ଧା ବାଘମାରୀରେ ନାବାଳିକାଙ୍କୁ ଅପହରଣ ଏବଂ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଏବଂ ହୃଦୟବିଦାରକ। ସେହିପରି ଭଦ୍ରକ ଅରଞ୍ଜିରେ ମା’ର ମୃତ୍ୟୁ ପରେ କିସ୍ତି ଟଙ୍କା ପାଇଁ ଜଣେ ଯୁବତୀଙ୍କୁ ଗାଁ ଦାଣ୍ଡରେ ଏସଏଚଜିର ମହିଳାମାନେ ନିସ୍ତୁକ ମାଡ଼ ମାରିବା ପରି ଘଟଣା ସଭ୍ୟ ସମାଜରେ କଦାପି ଗ୍ରହଣୀୟ ନୁହେଁ। ବିଜୁ ଜନତା ଦଳର ସରକାର ସମୟରେ ମିଶନ ଶକ୍ତି ଜରିଆରେ ମା’ମାନେ ସଫଳତାର ସିଡ଼ି ଚଢୁଥିଲେ, ନିଜର ପରିଚୟ ସୃଷ୍ଟି କରୁଥିଲେ।

ନବୀନ ଆହୁରି କହିଛନ୍ତି, ବିଜେପି ସରକାରରେ ମା’ମାନେ ସବୁଠୁ ଅସୁରକ୍ଷିତ ହୋଇପଡିଛନ୍ତି, ବିକାଶ ଠପ୍ ହୋଇଛି। ଦିନକୁ ଦିନ ଓଡ଼ିଶାରେ ମହିଳାମାନଙ୍କ ଉପରେ ବଢ଼ୁଥିବା ଅତ୍ୟାଚାର ଏବଂ ଦୁଷ୍କର୍ମ ପରି ଘଟଣା ସମସ୍ତଙ୍କୁ ବିଚଳିତ କରିଦେଉଛି। ସରକାର ନିଦରୁ ଉଠନ୍ତୁ, ଦୋଷୀଙ୍କ ବିରୋଧରେ ତୁରନ୍ତ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

Leave a Reply

Your email address will not be published. Required fields are marked *