ନୂଆପଡ଼ାରେ କିଏ ଜିତିବ ?

 

ନୂଆପଡ଼ା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ମୃତ୍ୟୁ ପରେ ଏବେ ଏହି ଆସନ ଟି ଖାଲି ପଡିଛି । ନିୟମ ଅନୁସାରେ 6 ମାସ ମଧ୍ୟରେ ଉପନିର୍ବାଚନ ହେବ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ କୌଣସି ତାରିଖ ଘୋଷଣା ହୋଇନାହିଁ । ଆସନ୍ତା ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ ହେବା ନେଇ ଆଶା କରାଯାଉଥିବା ବେଳେ ସେହି ସମୟରେ ଉପନିର୍ବାଚନ ହୋଇପାରେ ବୋଲି ଆକଳନ କରାଯାଉଛି ।

ଅନ୍ୟପଟେ ଉପନିର୍ବାଚନକୁ ନେଇ ରାଜ୍ୟରେ ପ୍ରମୁଖ ତିନି ରାଜନୈତିକ ଦଳରେ ଏବେ ଚାଲିଛି ମାନସ ମନ୍ଥନ । କେଉଁ ଦଳ କାହାକୁ ପ୍ରାର୍ଥୀ ଭାବେ ଉପନିର୍ବାଚନ ଲଢିବାକୁ ମଇଦାନକୁ ଓହ୍ଲାଇବ ସେନେଇ ଚାଲିଛି ଅଙ୍କକଷା । ସରକାରରେ ଥିବା ବିଜେପି ପାଇଁ ଉପନିର୍ବାଚନ ଏକ ବଡ଼ ଚ୍ୟାଲେଞ୍ଜ । କାହିଁକିନା ବିଜେପି ସରକାରରେ ଏହା ପ୍ରଥମ ଉପନିର୍ବାଚନ ।

 କଂଗ୍ରେସ ବିଧାନସଭାରେ ନିଜର ଆସନ ସଂଖ୍ୟା ବଢାଇବାକୁ ଏପରି ସୁବର୍ଣ୍ଣ ସୁଯୋଗକୁ ହାତଛଡା କରିବ ନାହିଁ ।

ସେପଟେ ବିରୋଧୀ ବିଜେଡି ପାଇଁ ବି ଏହି ଆସନ ସମ୍ମାନ ଜନକ । କାରଣ ଏହି ଆସନ ଗତ 15 ବର୍ଷ ହେବ ବିଜେଡି ନିଜ ଅଧିନରେ ରହିଥିଲା । ନୂଆପଡା ଆସନରେ ବିଜେଡି 2009, 2019 ଓ 2024ରେ ବିଜୟୀ ହୋଇଥିଲା । ଉପନିର୍ବାଚନରେ ପୁଣି ନିଜ ଆସନରେ ବିଜୟୀ ହେବା ବିଜେଡି ପାଇଁ କଷ୍ଟକର ହୋଇପାରେ । କାହିଁକିନା ଜଣଙ୍କ ପରେ ଜଣେ ବରିଷ୍ଠ ନେତା ଶଙ୍ଖ ଛାଡୁଛନ୍ତି । ଲାଗୁଛି ଜେମିତି ଦଳ ଭିତରେ ବିଦ୍ରୋହର ନିଆଁ କୁହୁଳୁଛି । ଦଳ ବିରୋଧରେ ମନ୍ତବ୍ୟ ଦେଇ ବିଦା ହେଉଛନ୍ତି ନେତାଏ । ଏପରି ସ୍ଥିତିରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ସବୁଠୁ ବଡ ପ୍ରଶ୍ନବାଚୀ । ବର୍ତ୍ତମାନର ସମୀକରଣ ଅନୁସାରେ ନୂଆପଡ଼ାରେ ବିଜେଡି ଟିକଟ ଢୋଲକିଆ ପରିବାରକୁ ମିଳିବାର ସମ୍ଭାବନା ଅଛି । ବିଧାୟକ ସବୁବେଳେ ନିଜ ପୁଅ ଜୟ ଢୋଲକିଆଙ୍କୁ ରାଜନୀତିରେ ଆଗକୁ ଛାଡ଼ୁଥିଲେ। ତେଣୁ ରାଜେନ୍ଦ୍ରଙ୍କ ପୁଅ ଜୟଙ୍କୁ ବିଜେଡି ପ୍ରାର୍ଥୀ କରିବା ସମ୍ଭାବନା ଅଧିକ।

 ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କହିଛନ୍ତି,” ନୂଆପଡ଼ା ଉପ ନିର୍ବାଚନରେ ଶତ ପ୍ରତିଶତ ଗ୍ୟାରେଣ୍ଟିର ସହ ଜିତିକି ଆସିବ ବିଜେଡ଼ି। ଆପଣ ସମୟକୁ ଅପେକ୍ଷା କରନ୍ତୁ। ନୂଆପଡ଼ା ନିର୍ବାଚନମଣ୍ଡଳୀ ବିଜେଡି ଓ ନବୀନ ବାବୁଙ୍କ ସହ ଦୀର୍ଘଦିନ ଧରି ରହିଛି। ଆଗକୁ ବି ନୂଆପଡ଼ା ନିର୍ବାଚନମଣ୍ଡଳୀ ବିଜେଡି ସହ ରହିବ ।”

2014ରେ ପ୍ରଥମ ଥର ପାଇଁ ବିଜେପି ନୂଆପଡା ବିଜୟୀ ହୋଇଥିଲା । ପୁଣି ଥରେ ବିଜୟର ସ୍ବାଦ ଚାଖିବାକୁ କୌଣସି ସୁଯୋଗକୁ ଦଳ ହାତଛଡା କରିବ ନାହିଁ । କାହିଁକିନା ବିଜେପି ସରାକରାରେ ଏହା ପ୍ରଥମ ଉପନିର୍ବାଚନ । ସେପଟେ ଉପ ନିର୍ବାଚନରେ ବିଜେପି ନିଶ୍ଚୟ ଜିତିବ ବୋଲି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି,” ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିଜୟ ନିଶ୍ଚିତ । ପୂର୍ବରୁ 24 ନିର୍ବାଚନରେ ବିଜେପି ଏକାକୀ ଲଢି ଓଡ଼ିଶାରେ ସରକାର ଗଠନ କରିବ ବୋଲି କହିଥିଲି । ଓଡ଼ିଶାରେ ବିଜେପି ସରକାର ଗଠନ ହେଲା । ସେହିପରି 16ରୁ 18 ଲୋକସଭା ଆସନରେ ବିଜୟ ହେବ ବୋଲି କହିଥିଲି 20 ସାଂସଦ ଜିତିଲେ । ତେଣୁ ନୂଆପଡା ଉପ ନିର୍ବାଚନରେ ମଧ୍ୟ ବିଜେପି ବିଜୟୀ ହେବ ।”

 

Leave a Reply

Your email address will not be published. Required fields are marked *