ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଆଦିବାସୀ ନେତା ଜର୍ଜ ତିର୍କୀଙ୍କ ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା । ପ୍ରାୟ ୩ମାସ ହେଲା ସେ ଅସୁସ୍ଥ ଥିଲେ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଥିଲେ ।
ଜର୍ଜ ତିର୍କୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ତାଙ୍କ ଗାଁ ସୁନ୍ଦରଗଡ ଜିଲା ବୀରମିତ୍ରପୁର ଥାନା ଝୁନମୁରଠାରେ ଶେଷକୃତ୍ୟ ସମ୍ପନ୍ନ ହେବ । ବୀରମିତ୍ରପୁରରୁ ଜର୍ଜ ତିର୍କୀ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ୨ଥର, ସ୍ୱାଧୀନ ଭାବେ ଥରେ ଓ ସମତାକ୍ରାନ୍ତି ଦଳରୁ ଥରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୫, ୨୦୦୦, ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
ଆଜି ପୂର୍ବାହ୍ନ ୧୧ଟା ସମୟରେ ସ୍ୱର୍ଗତ ଜର୍ଜ ତିର୍କିଙ୍କ ମରଶରୀର ବିଧାନସଭା ପରିସରରେ ପହଞ୍ଚିବା ପରେ ବିଧାନସଭା ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ବିଧାନସଭା ପରିସରରେ ବାଚସ୍ପତି ଶ୍ରୀମତୀ ପାଢ଼ୀ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ବିଜେଡ଼ି ବିଧାୟକ ଦଳ ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ, ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ, ବିଧାୟକବୃନ୍ଦ, ପୂର୍ବତନ ମନ୍ତ୍ରୀ ଓ ବିଧାୟକଗଣ, ବିଧନାସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତଙ୍କ ସମେତ ବିଧାନସଭାର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ସ୍ୱର୍ଗତ ତିର୍କିଙ୍କ ଶେଷଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।









