ପୁଣି ବଦଳିଛି ଆମେରିକା ସ୍ବର । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ନୂଆ ଘୋଷଣା କରିଛନ୍ତି । ଟ୍ରମ୍ପ ନୂଆ ନିର୍ଦ୍ଦେଶନାମାରେ ଆଜି ଦସ୍ତଖତ କରିଛନ୍ତି। ଏଥିରେ ଆମେରିକାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ପାଇଁ ଶୁଳ୍କ ରିହାତି ଘୋଷଣା କରାଯାଇଛି। ଆସନ୍ତା ୮ ତାରିଖରୁ ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରାଯିବ। ଫଳରେ ଆମେରିକାକୁ ଆମଦାନି ହେଉଥିବା ଅନେକ ସାମଗ୍ରୀ ଉପରୁ ପାଲଟା ଶୁଳ୍କ ହଟିବ ବୋଲି ଶନିବାର ହ୍ବାଇଟ୍ ହାଉସ୍ କହିଛି। ଆମେରିକା ସହିତ ଯେଉଁସବୁ ଦେଶର ବିଭିନ୍ନ ଶିଳ୍ପ ସାମଗ୍ରୀ ଯଥା ନିକେଲ, ସୁନା ଏବଂ ଅନ୍ୟାନ୍ୟ ଧାତବ ସାମଗ୍ରୀ, ଔଷଧ ସାମଗ୍ରୀ ଓ କେମିକାଲ ନେଇ ରାଜିନାମା ଅଛି ସେମାନଙ୍କୁ ଏହି ରିହାତି ମିଳିବ। ୪୫ ପ୍ରକାରରୁ ଅଧିକ ବର୍ଗର ସାମଗ୍ରୀ ଉପରେ ଆମଦାନି ଶୁଳ୍କ ଶୂନ ହୋଇଯିବ। ତେବେ ଏଥିପାଇଁ ଆମେରିକା ସହିତ ରାଜିନାମା ବାଧ୍ୟତାମୂଳକ ରହିଛି। ଯେଉଁସବୁ ସାମଗ୍ରୀ ଆମେରିକାରେ ପ୍ରାକୃତିକ ଉପାୟରେ ଉତ୍ପାଦନ, ଖନନ ଆଦି ହୋଇପାରିବ ନାହିଁ ଏବଂ ଯେଉଁସବୁ ସାମଗ୍ରୀର ଅଭାବ ଘରୋଇ ଉତ୍ପାଦନ କ୍ଷେତ୍ରରେ ରହିଛି ସେଗୁଡ଼ିକୁ ଏହି ତାଲିକାରେ ରଖାଯାଇଛି।









