ଆମେରିକା ମନ୍ତ୍ରୀ କହିଲେ ଭାରତ ଭୁଲ ମାଗିବ

ଭାରତ ରୁଷିଆଠାରୁ ତେଲ କିଣୁଥିବାରୁ ଆମେରିକା ଖପ୍ପା ଅଛି । ଭାରତକୁ ତେଲ ନକିଣିବା ପାଇଁ ଆମେରିକାର ଧମକକୁ ଭାରତ ଶୁଣୁନାହିଁ । ତେଣୁ ଆମେରିକା ପକ୍ଷରୁ ପ୍ରତିଦିନ ଭାରତ ବିରୋଧୀ କାର୍ଯ୍ୟକ୍ରମ ଚାଲୁରହିଛି । ଏହାରି ଭିତରେ ଆମେରିକାର ଶିଳ୍ପ ମନ୍ତ୍ରୀ ହାୱାର୍ଡ ଲୁଟନିକ୍ କହିଛନ୍ତି ଭାରତ ଆମ ଆଗରେ ଭୁଲ ମାଗିବ । ଭାରତ ଉପରେ 25% ଅତିରିକ୍ତ ଶୁଳ୍କ ହଟାଇବାକୁ ଭାରତ ଭୁଲ ମାଗିବ । କାରଣ ଭାରତ ଯାହା କରିଛି ସେଥିରେ ଭାରତର କ୍ଷତି ହେବ । ଏଥିପାଇଁ ତିନୋଟି ସର୍ତ୍ତ ସେ ରଖିଛନ୍ତି । ସେ କହିଥିଲେ ଯେ ଭାରତକୁ ବ୍ରିକ୍ସରୁ ଅଲଗା ହୋଇ ରୁଷରୁ ତେଲ କିଣିବା ବନ୍ଦ କରିବାକୁ ପଡିବ ଏବଂ ଆମେରିକାକୁ ସମର୍ଥନ କରିବାକୁ ପଡିବ। ମାନେ ରୁଷିଆ, ଚୀନକୁ ସମର୍ଥନ କରିବ ନାହିଁ ଭାରତ । ତେବେ ଏହା କଣ ସଂଭବ । ମୋଦି କଣ ଆମେରିକା ପାଖରେ ମୁଣ୍ଡ ନୁଆଁଇବେ । ଏହାକୁ ନେଇ ବଡ଼ ପ୍ରଶ୍ନ ଉଠିଛି ।
ସେ କହିଥିଲେ ଯେ ଯଦି ଆପଣ (ଭାରତ) ରୁଷ ଏବଂ ଚୀନ୍ ମଧ୍ୟରେ ଏକ ସେତୁ ହେବାକୁ ଚାହୁଁଛନ୍ତି, ତେବେ ତାହା କରନ୍ତୁ, କିନ୍ତୁ ଡଲାର କିମ୍ବା ଆମେରିକାକୁ ସମର୍ଥନ କରନ୍ତୁ। ଆପଣଙ୍କର ସବୁଠାରୁ ବଡ଼ ଗ୍ରାହକଙ୍କୁ ସମର୍ଥନ କରନ୍ତୁ କିମ୍ବା 50% ଶୁଳ୍କ ଦିଅନ୍ତୁ। ତଥାପି, ସେ ଆଶା ମଧ୍ୟ ପ୍ରକାଶ କରିଥିଲେ ଯେ ଭାରତ ଶୀଘ୍ର ଆମେରିକା ସହିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ଆଲୋଚନାରେ ଯୋଗଦେବ। ସେ କହିଥିଲେ ଯେ ଆମେରିକା ସର୍ବଦା ଆଲୋଚନା ପାଇଁ ପ୍ରସ୍ତୁତ। ଲୁଟନିକ୍ କହିଛନ୍ତି – ଭାରତ ଏକ କିମ୍ବା ଦୁଇ ମାସ ମଧ୍ୟରେ କ୍ଷମା ମାଗିବ । ଲୁଟନିକ୍ ଏହା ମଧ୍ୟ କହିଥିଲେ ଯେ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଉତ୍ତେଜନା ରହିଛି, କିନ୍ତୁ ଖୁବ୍ ଶୀଘ୍ର ଭାରତ କ୍ଷମା ମାଗିବ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ଆଲୋଚନା ଟେବୁଲକୁ ଆସିବ। ତେବେ ଭାରତ ପକ୍ଷରୁ ଏଭଳି ମନ୍ତବ୍ୟକୁ ବିରୋଧ କରାଯାଇଛି । ଭାରତ ନିଜ ଆବଶ୍ୟକତା ଅନୁସାରେ ରୁଷ ସହିତ ବେପାର କରିବ । ଏଥିରେ କାହାର ହସ୍ତକ୍ଷେପ ଗ୍ରହଣ ନୁହେଁ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Leave a Reply

Your email address will not be published. Required fields are marked *