‘ବିହାର ବନ୍ଦ’ ପାଳନ କରୁଛି NDA

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଜୋରଦାର ବିରୋଧ କରି ଆସୁଥିଲା NDA । ଏହାକୁ ନେଇ ଆଜି NDA ବିହାରରେ ରାଜରାସ୍ତାକୁ ଓହ୍ଲାଇଛି। କଂଗ୍ରେସର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ମାଆଙ୍କୁ ନେଇ କିଛି ମନ୍ତବ୍ୟ ଦେଇଥିଲେ ରାହୁଲ ଗାନ୍ଧୀ । ଏହାକୁ ବିରୋଧ କରି NDA ଆଜି ‘ବିହାର ବନ୍ଦ’ ଡାକରା ଦେଇଛି । ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି ।  ବିଭିନ୍ନ ସହରରେ NDA କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ତେବେ ବନ୍ଦ ଡାକରା ବେଳେ ଜରୁରୀକାଳୀନ ସେବାଗୁଡ଼ିକୁ ବାଧା ଦିଆଯାଉନାହିଁ ।

ବିହାରର ମାଆ ଓ ଭଉଣୀମାନେ NDA ଦ୍ୱାରା ଡକାଯାଇଥିବା ବନ୍ଦରେ ଭାଗ ନେଉଛନ୍ତି । ମହାଗଠବନ୍ଧନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦିବଙ୍ଗତ  ମାଆଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ରାହୁଲ ଗାନ୍ଧୀ ଖସି ପାରିବେ ନାହିଁ । ରାହୁଲ ଗାନ୍ଧୀ ଏବଂ ତେଜସ୍ୱୀ ଯାଦବଙ୍କୁ ବିହାରର ଜନତା କଡ଼ା ଜବାବ ଦେବେ ବୋଲି କହିଛନ୍ତି ବିଜେପି ନେତା ।

NDAର ସମସ୍ତ ଅଂଶୀଦାର ଦଳ ଏହି ବନ୍ଦରେ ସାମିଲ ହୋଇଛନ୍ତି । ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଜୟସ୍ୱାଲ ଅନ୍ୟ ସହଯୋଗୀ ଦଳର ରାଜ୍ୟ ସଭାପତିମାନଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ବନ୍ଦ ଡାକରା ଘୋଷଣା କରିଥିଲେ । ବିଶେଷ କରି, ପାର୍ଟି ଏହି ବନ୍ଦର କମାଣ ମହିଳା ମୋର୍ଚ୍ଚାକୁ ଦେଇଛି । NDA ନେତାମାନଙ୍କ କହିବା କଥା ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆଙ୍କୁ ଗାଳି ଦେଇ ଅପମାନିତ କରାଯାଇଛି ଏବଂ ଏଭଳି ବ୍ୟବହାରକୁ କଡ଼ା ବିରୋଧ କରାଯିବ ।