ବଳଙ୍ଗା ପୀଡ଼ିତାଙ୍କର ଶେଷ ହୋଇଛି ଅନ୍ତିମ ସଂସ୍କାର। ଶୋକାକୂଳ ପରିବେଶରେ ତାଙ୍କୁ ଦିଆଯାଇଛି ଅନ୍ତିମ ବିଦାୟ। ଆଜି ସକାଳେ ଇସଲାମ ଧର୍ମ ଅନୁସାରେ ଜନାଜା ନମାଜ ପାଠ ପରେ କବର ସ୍ଥାନରେ ସମସ୍ତ କାର୍ଯ୍ୟ ସଂପନ୍ନ କରାଯାଇଛି। ଶୋକାକୂଳ ପରିବେଶ ଭିତରେ ପୀଡ଼ିତାଙ୍କ ମୃତଦେହକୁ କବର ଦିଆଯାଇଛି । ପୀଡ଼ିତାଙ୍କ ଶେଷକୃତ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମିଲ ହୋଇଥିଲେ । ପ୍ରାୟ ୧୪ ଦିନ ଧରି ମରଣ ସହ ଲଢ଼ିବା ପରେ ଗତ ଶନିବାର ରାତିରେ ପୀଡ଼ିତା ଆଖି ବୁଜିଥିଲେ। ଗତକାଲି ସକାଳେ ଏମ୍ସରେ ତାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା।
ଶନିବାର ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ବଳଙ୍ଗା ପୀଡ଼ିତା । ଏହାପରେ ମୃତଦେହ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବରରେ ପହଞ୍ଚିଥିଲା। ବିମାନବନ୍ଦରରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବଳଙ୍ଗା ଥାନା ଅନ୍ତର୍ଗତ ବାୟାବରର ନୂଆ ଗୋପାଳପୁରକୁ ମୃତଦେହକୁ ନିଆଯାଇଥିଲା ।
- ଜୁଲାଇ ୧୯: ପୁରୀ ଜିଲ୍ଲାର ବଳଙ୍ଗାରେ ୧୬ ବର୍ଷୀୟା ନାବାଳିକାଙ୍କୁ ତିନି ଯୁବକ ନଦୀ କୂଳରେ ରୁମାଲରେ ମୁହଁ ବାନ୍ଧି, କିରୋସିନ୍ ଢ଼ାଳି ଜାଳି ଦେଇଥିବା ଅଭିଯୋଗ ହୋଇଥିଲା। ପୀଡ଼ିତା ୭୫% ଗୁରୁତର ଜଳାପୋଡ଼ା ସହ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ। ତାଙ୍କ ବୟାନ ଆଧାରରେ ପରିବାର ବାଳଙ୍ଗା ଥାନାରେ ଏଫଆଇଆର ଦାଖଲ କରିଥିଲେ, ଏବଂ ପୁଲିସ ତଦନ୍ତ ଆରମ୍ଭ କରିଥିଲା।
- ଜୁଲାଇ ୨୦ରେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଗୁରୁତର ଅବସ୍ଥା ହେତୁ ପୀଡ଼ିତାଙ୍କୁ ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା। ୧୪ ଜଣିଆ ମେଡିକାଲ ଟିମ୍ ତାଙ୍କ ଚିକିତ୍ସା କରୁଥିଲେ, ଏବଂ ସେ ଆଇସିୟୁରେ ଅକ୍ସିଜେନ୍ ସପୋର୍ଟରେ ଥିଲେ। ଭୁବନେଶ୍ୱର ଏମ୍ସରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କ ପ୍ରାରମ୍ଭିକ ବୟାନ ରେକର୍ଡ ହୋଇଥିଲା, ଯେଉଁଥିରେ ସେ ତିନି ଯୁବକଙ୍କ ସମ୍ପୃକ୍ତି ଦର୍ଶାଇଥିଲେ।
- ଜୁଲାଇ ୨୫ ରେ ଦିଲ୍ଲୀ ଏମ୍ସରେ ଓଡ଼ିଶା କ୍ରାଇମବ୍ରାଞ୍ଚ ଓ ବାଳଙ୍ଗା ପୁଲିସ ମାଜିଷ୍ଟ୍ରେଟ, ପରିବାର ଓ ଡାକ୍ତରଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲେ। ଭୁବନେଶ୍ୱର ଓ ଦିଲ୍ଲୀରେ ରେକର୍ଡ ହୋଇଥିବା ବୟାନରେ ଅସଙ୍ଗତି ଦେଖାଦେଇଥିଲା। ପୁଲିସ ୩୦ରୁ ଅଧିକ ଲୋକଙ୍କୁ, ଯେଉଁମାନେ ପୀଡ଼ିତାଙ୍କ ପରିବାର, ଭାଇ, ବନ୍ଧୁ ଓ ପଡ଼ୋଶୀ ଥିଲେ, ପଚରାଉଚରା କରିଥିଲା। ନିମପଡ଼ା ଜେଏମଏଫସି କୋର୍ଟରେ BNSS ଧାରା ୧୮୩ ଅନୁଯାୟୀ ବୟାନ ରେକର୍ଡ ହୋଇଥିଲା। କୌଣସି ସିସିଟିଭି ଫୁଟେଜ କିମ୍ବା ଗିରଫ ନ ହେବା ଯୋଗୁଁ ତଦନ୍ତ ଜଟିଳ ହୋଇଥିଲା।
- ଜୁଲାଇ ୨୯ରେ ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କର ତୃତୀୟ ଅସ୍ତ୍ରୋପଚାର ହୋଇଥିଲା, ଏବଂ ୯ ଲକ୍ଷ ଟଙ୍କାର ଔଷଧ ଆମେରିକାରୁ ଆମଦାନୀ କରାଯାଇଥିଲା। ପୁରୀ ଡିଏସପି ଓ ବାଳଙ୍ଗା ଓଆଇସିଙ୍କ ନେତୃତ୍ୱରେ ପୁଲିସ ତାଙ୍କର “ଚୂଡ଼ାନ୍ତ” ବୟାନ ରେକର୍ଡ କରିଥିଲା, ଯେଉଁଥିରେ ସେ ତିନି ଯୁବକଙ୍କ ସମ୍ପୃକ୍ତି ବିଷୟରେ ପୂର୍ବ ବୟାନକୁ ସମର୍ଥନ କରିଥିଲେ। କିନ୍ତୁ ସିସିଟିଭି ଫୁଟେଜ କିମ୍ବା ସାକ୍ଷୀଙ୍କ ଅଭାବ ଯୋଗୁଁ ପୁଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିପାରିନଥିଲା। ଷଡ଼ଯନ୍ତ୍ରର ସମ୍ଭାବନା ଅନୁସନ୍ଧାନ କରାଯାଇଥିଲେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ମିଳିନଥିଲା।
- ଅଗଷ୍ଟ ୨ରେ ପୀଡ଼ିତାଙ୍କର ମୃତ୍ୟୁ ହୋଇଥିଲା ।









