ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୩୧୦ ପଏଣ୍ଟ ବୃଦ୍ଧି ପାଇ ୭୫,୧୫୭ ପଏଣ୍ଟରେ ବନ୍ଦ ହୋଇଛି

ଷ୍ଟକ୍ ବଜାରରେ ଆରମ୍ଭ ହୋଇଥିବା ଉତ୍ସାହ ଶୁକ୍ରବାର ମଧ୍ୟ ବଜାୟ ରହିଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୩୧୦ ପଏଣ୍ଟ ବୃଦ୍ଧି ପାଇ ୭୫,୧୫୭ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୪୨୯ ପଏଣ୍ଟ ବୃଦ୍ଧି ପାଇ ୨୨,୮୨୮ ପଏଣ୍ଟରେ ବନ୍ଦ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଲଢ଼େଇ ପରେ ଅସ୍ଥିର ହୋଇପଡ଼ିଥିବା ଆମେରିକୀୟ ଷ୍ଟକ୍ ବଜାର ସ୍ଥିର ହୋଇଯିବା ପରେ ସାରା ବିଶ୍ବର ଷ୍ଟକ୍ ବଜାରରେ ଉତ୍ସାହ ଫେରିଛି। ନିବେଶକମାନେ ବ୍ୟାଙ୍କ, ଅଟୋମୋବାଇଲ୍ ଓ ଆଇଟି କମ୍ପାନିର ଷ୍ଟକ୍‌ରେ ଅଧିକ ନିବେଶ କରୁଛନ୍ତି। ସେନ୍‌ସେକ୍ସରେ ଶୁକ୍ରବାର ହୋଇଥିବା ବୃଦ୍ଧି ପ୍ରଭାବରେ ନିବେଶକଙ୍କୁ ୭.୮୫ ଲକ୍ଷ କୋଟି ଟଙ୍କାର ଫାଇଦା ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ୍‌ ବଜାର ପୁଞ୍ଜି ପରିମାଣ ୪,୦୧,୬୭,୪୬୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି।