ଏପ୍ରିଲ୍‌ ୩, ୨୦୨୬ରେ ରିଲିଜ୍ ହେବ‌ ଇମ୍ରାନ୍ ଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଆୱାରାପନ୍’ର ଦ୍ବିତୀୟ ଭାଗ

ଏଥର ଇଦ୍ ସଲ୍‌ମାନ୍‌ ଖାନ୍‌ଙ୍କ ପାଇଁ ସ୍ୱତନ୍ତ୍ର ହେବାକୁ ଯାଉଛି। କାରଣ ତାଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସିକନ୍ଦର୍‌’ ଆଜି ମୁକ୍ତିଲାଭ କରିଛି। କିନ୍ତୁ ସଲମାନ୍‌ଙ୍କ ସହିତ ଇମ୍ରାନ୍‌ ହାଶ୍‌ମୀଙ୍କ ପ୍ରଶଂସକମାନେ ମଧ୍ୟ ଏବେ ବହୁତ ଖୁସି ଅଛନ୍ତି। କାରଣ ସେମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ଇମ୍ରାନ୍। ମାର୍ଚ୍ଚ ୨୪ରେ ଇମ୍ରାନ୍‌ ନିଜର ଜନ୍ମଦିନ ଅବସରରେ ଏକ ବଡ଼ ଘୋଷଣା କରିଥିଲେ। ତାଙ୍କର ବହୁଚର୍ଚ୍ଚିତ ଫିଲ୍ମ ‘ଆୱାରାପନ୍’ର ଦ୍ବିତୀୟ ଭାଗ ଖୁବଶୀଘ୍ର ଆସିବ ବୋଲି ସେ ଘୋଷଣା କରିଥିଲେ। ତେବେ ଫିଲ୍ମ ବିଷୟରେ ସେ ଅଧିକ କିଛି ତଥ୍ୟ ଦେଇ ନଥିବ‌ା ଜଣାଯାଇଛି।

ଜନ୍ମଦିନ ପାଳନ ପାଇଁ ଏକତ୍ର ହୋଇଥିବା ପ୍ରଶଂସକଙ୍କୁ ଅଭିନେତା ଇମ୍ରାନ୍ କହିଥିଲେ ଯେ, ‘ଆୱାରାପନ୍‌-୨’ ଘୋଷଣା ଆପଣମାନଙ୍କ ପାଇଁ ଏକ ଉପହାର। ୨୦୦୭ ମସିହାରେ ‘ଆୱାରାପନ୍‌’ ରିଲିଜ୍ ହେବା ପରେ ଗତ ୧୮ବର୍ଷ ଧରି ‘ଆୱାରାପନ୍’ର ସିକ୍ୱେଲ୍ ପାଇଁ ଆପଣଙ୍କ ଲଗାତାର ଅନୁରୋଧକୁ ସ୍ୱୀକାର କରି ଆମେ ଏହାର ଦ୍ବିତୀୟ ଭାଗ ଆଣିବୁ।” ଏହି ଘୋଷଣା ସହିତ ‌ଫିଲ୍ମଟି ଏପ୍ରିଲ୍‌ ୩, ୨୦୨୬ରେ ରିଲିଜ୍ ହେବ‌ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୦୭ ମସିହାରେ ମୁକ୍ତିଲାଭ କରିଥିଲା ମୁକେଶ ଭଟ୍ଟଙ୍କ ଦ୍ୱାରା ନିର୍ମିତ ‘ଆୱାରାପନ୍‌’। ଏହି ଚଳଚ୍ଚିତ୍ରରେ ଇମ୍ରାନ୍‌ ହାଶ୍‌ମୀ, ଶ୍ରୀୟା ସରନ୍‌, ମୃଣାଳିନୀ ଶର୍ମା ଓ ଆଶୁତୋଷ ରାଣା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ମୁକ୍ତିଲାଭ କରିବା ସମୟରେ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିପାରି ନଥିଲେ ମଧ୍ୟ ପରେ ଏହାକୁ ଇମ୍ରାନ୍‌ଙ୍କ ଶ୍ରେଷ୍ଠ ଫିଲ୍ମ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଇଥିଲା।