୩୫ ଜଣ ଆବେଦକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ନାଗରିକତା ଆଇନ ଆଧାରରେ ଆଜି ଓଡ଼ିଶାରେ ବିଭିନ୍ନ ଦେଶରୁ ଆସିଥିବା ୩୫ ଜଣ ଆବେଦକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇଛି। ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର କୃଷି ଭବନରେ ନାଗରିକତା (ସଂଶୋଧନ) ଆଇନ,୨୦୧୯ ଅନୁଯାୟୀ ନାଗରିକତା ପ୍ରମାଣ ପତ୍ର ପ୍ରଦାନ ଉତ୍ସବ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରୀ ସୁରେଶ ପୂଜାରୀ ଓ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ଜନ ଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣଙ୍କ ଉପସ୍ଥିତରେ ନାଗରିକତା ପ୍ରମାଣ ପତ୍ର ପ୍ରଦାନ କରାଯାଇଛି।

ଆମ ପଡ଼ୋଶୀ ରାଷ୍ଟ୍ରମାନଙ୍କରେ ଧାର୍ମିକ ନିର୍ଯ୍ୟାତନାର ଶିକାର ହେଉଥିବା ସଂଖ୍ୟାଲଘୁ ମାନଙ୍କ ପାଇଁ ନାଗରିକତା (ସଂଶୋଧନ) ଆଇନ ୨୦୧୯ ହେଉଛି ପାପନାଶିନୀ ଓ ଦୁଃଖନାଶିନୀ ପବିତ୍ର ଗଙ୍ଗା ପରି । ଏହି ପବିତ୍ର ଆଇନ ବର୍ଷ ବର୍ଷ ଧରି ନିର୍ଯ୍ୟାତିତ ସଂଖ୍ୟାଲଘୁମାନଙ୍କ ପାଇଁ ଆଶା ଓ ଆଶ୍ୱାସନାର ମାର୍ଗ ପ୍ରଦାନ କରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ନାଗରିକତା (ସଂଶୋଧନ) ଆଇନ ୨୦୧୯ ଅନୁଯାୟୀ ନାଗରିକତା ପ୍ରମାଣପତ୍ର ପ୍ରଦାନ ଅବସରରେ ଉଦବୋଧନ ଦେଇ କହିଛନ୍ତି।

ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ମାଧ୍ୟମରେ ନାଗରିକତା ସଂଶୋଧନ ଆଇନ ୨୦୧୯ ଅଧୀନରେ ଯୋଗ୍ୟ ଆବେଦନକାରୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୪ ମାର୍ଚ୍ଚ ୧୧ ରେ ବିଜ୍ଞାପିତ ହୋଇଥିବା ନିୟମାବଳୀ ଅନୁଯାୟୀ ବାଙ୍ଗଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ୨୦୧୪ ଡିସେମ୍ବର ୩୧ ମଧ୍ୟରେ ଭାରତକୁ ପ୍ରବେଶ କରିଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିମାନେ ଭାରତୀୟ ନାଗରିକତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ପ୍ରକ୍ରିୟାରେ ଆବେଦନ କରିଥିବା ଆବେଦନକାରୀଙ୍କ ମଧ୍ୟରୁ ଆଜି ନବରଙ୍ଗପୁର ଜିଲ୍ଲାର ୩୫ ଜଣ ଆବେଦକଙ୍କୁ ନାଗରିକତା ପ୍ରମାଣପତ୍ର ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି ।

ଭୁବନେଶ୍ୱର କୃଷି ଭବନ ପ୍ରେକ୍ଷାଳୟରେ ଓଡ଼ିଶାର ଜନଗଣନା ନିର୍ଦ୍ଦେଶାଳୟ ଏବଂ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ନାଗରିକତା ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ଏବେ ଆମ ଭବିଷ୍ୟତର ଅଂଶବିଶେଷ । ଆପଣମାନଙ୍କ ସୁରକ୍ଷା, ସମ୍ମାନ ଓ ଉନ୍ନତି ଆମର ଦାୟିତ୍ୱ ଏବଂ କର୍ତ୍ତବ୍ୟ । ମୁଖ୍ୟମନ୍ତ୍ରୀ କହିଥିଲେ, “ଆପଣମାନଙ୍କୁ ଭାରତର ନାଗରିକ ଭାବରେ ମୁଁ ସ୍ବାଗତ କରୁଛି”।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ନାଗରିକତା ପ୍ରମାଣପତ୍ର ପ୍ରଦାନ ମାଧ୍ୟମରେ ଭାରତ ବର୍ଷର ସଦା ପରମ୍ପରାଗତ କରୁଣା, ମାନବତା ଓ ଆଶ୍ରୟଦାନର ମୂଲ୍ୟବୋଧ ପୁଣି ଥରେ ଉଜ୍ଜିବୀତ ହୋଇଛି । ଯୁଗ ପରିବର୍ତ୍ତନର ସାରଥୀ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ହେଉଛନ୍ତି ଭାରତ ବର୍ଷରେ ଏହି ଆଇନ ପ୍ରଣୟନ ପ୍ରକ୍ରିୟାର ପ୍ରକୃତ ଭଗୀରଥ । ଏହା କାର୍ଯ୍ୟକାରୀ ହେବା ପଛରେ ସବୁଠାରୁ ବଳିଷ୍ଠ ଅବଦାନ ରହିଛି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କର ।

ଏହି ଆଇନର ଯଥାର୍ଥତା ବିଷୟରେ ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଅନ୍ୟ ଯେ କୌଣସି ଧର୍ମର ବ୍ୟକ୍ତି କୌଣସି ଦେଶରେ ନିର୍ଯ୍ୟାତିତ ହେଲେ ତାଙ୍କୁ ଆଶ୍ରୟ ଦେବା ପାଇଁ ପୃଥିବୀରେ ଅନେକ ଦେଶ ରହିଛି । କିନ୍ତୁ, ଅନ୍ୟ କୌଣସି ଦେଶରେ ହିନ୍ଦୁମାନେ ନିର୍ଯ୍ୟାତିତ ହେଲେ, ତାଙ୍କୁ ଆଶ୍ରୟ ଦେବା ପାଇଁ ଭାରତ ବ୍ୟତୀତ ଅନ୍ୟ କୌଣସି ଦେଶ ନାହିଁ । ତେଣୁ ଭାରତରେ ଏଭଳି ଆଇନ ହେବନାହିଁ ତ କେଉଁଠି ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ ।

ଏହି ଅବସରରେ ନିଜର ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ଦେଶରେ ସଂଖ୍ୟାଲଘୁ ମାନଙ୍କ ସ୍ୱର ହେବା ପାଇଁ ବ୍ୟାପକ ଶକ୍ତି ରହିଛି । କିନ୍ତୁ ଆମ ପଡ଼ୋଶୀ ରାଷ୍ଟ୍ରରେ ଅଳ୍ପସଂଖ୍ୟକ ମାନଙ୍କ ନିର୍ଯ୍ୟାତନା ଉପରେ ସେମାନେ ନୀରବ ରୁହନ୍ତି । ବର୍ତ୍ତମାନ ଏ ମାନସିକତାରେ ପରବର୍ତ୍ତନ ଆସୁଛି । ଧର୍ମନିରପେକ୍ଷତା ନାଁ ରେ ଯେପରି କେବଳ ଗୋଟିଏ ଧର୍ମକୁ ଆପ୍ୟାୟିତ କରାଯାଉଥିଲା ସେଥିରେ ବିରାମ ଲାଗିଛି । ଆଜି ଦେଶରେ ଧର୍ମୀୟ ଆଧାରରେ ଆଉ ବାଛ ବିଚାର ହେଉନାହିଁ । ଆଇନ ଆଖିରେ ସମସ୍ତେ ସମାନ । ସିଟିଜେନସିପ ଆମେଣ୍ଡମେଣ୍ଟ ଆକ୍ଟ ଏହି ସିଦ୍ଧାନ୍ତର ଏକ ସଫଳ ରୂପାୟନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Leave a Reply

Your email address will not be published. Required fields are marked *