ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ତୀବ୍ର ହଟ୍ଟଗୋଳ ଦେଖାଦେଇଛି। ବିରୋଧୀ ଦଳମାନେ ଗୃହରେ କହିବାର ସୁଯୋଗ ନମିଳିବା ଅଭିଯୋଗ କରିଛନ୍ତି। ଅପରେସନ ସିନ୍ଦୂର ଓ ପହଲଗାମ ଉପରେ ଚର୍ଚ୍ଚା ଚାଲିଥିବା ବେଳେ ହୋହଲ୍ଲା ଯୋଗୁଁ ଗୃହ ଦୁଇ ଦୁଇ ଥର ମୁଲତବୀ ହୋଇଛି—ପ୍ରଥମେ ଦିନ ୧୨ଟା ଓ ପରେ ୨ଟା ଯାଏଁ। ଏହି ହଙ୍ଗାମା ମଧ୍ୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗୃହ ବାହାରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସରକାର ବିରୋଧୀଙ୍କ ସ୍ୱରକୁ ଦବାଇବାକୁ ଚେଷ୍ଟା କରୁଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଗୃହରେ କହିବାର ଅନୁମତି ମିଳୁଥିବା ବେଳେ ବିରୋଧୀ ନେତାଙ୍କୁ ଏହା ମିଳୁନାହିଁ। ଏହା ଦର୍ଶାଉଛି ଯେ, ସରକାର ଗୃହରେ ବିରୋଧୀଙ୍କ ମତ ପ୍ରକାଶକୁ ଅଣଦେଖା କରୁଛନ୍ତି, ଯାହା ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଦୁର୍ବଳ କରୁଛି। ସଂସଦରେ ଅପରେସନ ସିନ୍ଦୂର ପରେ ଏହା ପ୍ରଥମ ଅଧିବେଶନ ଥିବା ବେଳେ ଗୃହ ପହଲଗାମ ଘଟଣାକୁ ନେଇ ସରଗରମ ରହିଛି । ତେବେ ସଂସଦର ଉଭୟ ଗୃହରେ ପ୍ରାଥମିକ ପର୍ଯ୍ୟାୟରେ ପହଲଗାମରେ ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରାଯାଇଥିଲା । ପରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ହଙ୍ଗାମା କରିଥିଲେ ।
2025 ମୌସୁମୀ ଅଧିବେଶନର ଆରମ୍ଭରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ମୌସୁମୀ ଅଧିବେଶନ ହେଉଛି ରାଷ୍ଟ୍ର ପାଇଁ ଗର୍ବର ମୁହୂର୍ତ୍ତ, ଆମର ସାମୂହିକ ସଫଳତାର ଏକ ପ୍ରକୃତ ଉତ୍ସବ । ଅପରେସନ ସିନ୍ଦୂରରେ ଭାରତୀୟ ସୈନିକମାନେ 100% ସଫଳତା ସହ ଆତଙ୍କବାଦର ମୂଳ ମାଷ୍ଟରମାଇଣ୍ଡମାନଙ୍କୁ ସେମାନଙ୍କ ଘରେ ଧ୍ୱଂସ କରାଯାଇଛି ।
ଭାରତ ଅନେକ ହିଂସାତ୍ମକ ଚ୍ୟାଲେଞ୍ଜର ସାମ୍ନା କରିଛି, ସେ ଆତଙ୍କବାଦ ହେଉ କି ନକ୍ସାଲବାଦ, କିନ୍ତୁ ଆଜି ନକ୍ସାଲବାଦ ଓ ମାଓବାଦର ପ୍ରଭାବ ଦ୍ରୁତ ଗତିରେ ହ୍ରାସ ପାଉଛି । ସମ୍ବିଧାନ ବୋମା ଓ ବନ୍ଧୁକ ଉପରେ ବିଜୟୀ ହେଉଛି। ଅତୀତର ରେଡ କରିଡରଗୁଡ଼ିକ ଏବେ ବିକାଶ ଓ ଅଗ୍ରଗତିର ସବୁଜ ଅଞ୍ଚଳରେ ପରିଣତ ହେଉଛି ।
ଡିଜିଟାଲ ଇଣ୍ଡିଆ ବିଶ୍ୱବ୍ୟାପୀ ଜନପ୍ରିୟତା ଅର୍ଜନ କରୁଛି, UPI ଅନେକ ଦେଶରେ ଲୋକପ୍ରିୟ ହେଉଛି, ଏହା ଫିନଟେକ ଜଗତରେ ଏକ ସ୍ୱୀକୃତ ନାମ ହୋଇଛି କହିଥିଲେ ପ୍ରଧାନମନ୍ତ୍ରୀ । ପହଲଗାମରେ ହୋଇଥିବା ନିର୍ମମ ହତ୍ୟାକାଣ୍ଡ ସାରା ବିଶ୍ୱକୁ ଆଲୋଡ଼ିତ କରିଛି ଏବଂ ଆତଙ୍କବାଦ ଓ ଏହାର ମୂଳ କେନ୍ଦ୍ର ଉପରେ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଦଳୀୟ ରାଜନୀତିକୁ ଅତିକ୍ରମ କରି ଭାରତର ବିଭିନ୍ନ ପ୍ରତିନିଧି ଏକଜୁଟ ହୋଇ ପାକିସ୍ତାନର ଭୂମିକାକୁ ଉଜାଗର କରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ