୧୨ ଫେବୃଆରୀ ୨୦୨୬ରେ ବାଂଲାଦେଶ ନିର୍ବାଚନ

ବାଂଲାଦେଶ ମୁଖ୍ୟ ନିର୍ବାଚନ କମିଶନ (ସିଇସି) ନସିରୁଦ୍ଦିନ ୧୧ ଡିସେମ୍ବର ଗୁରୁବାର ଦେଶରେ ସାଧାରଣ ନିର୍ବାଚନ ଘୋଷଣା କରିଛନ୍ତି। ସିଇସିଙ୍କ ଅନୁସାରେ ଏହି ତ୍ରୟୋଦଶ ସାଧାରଣ ନିର୍ବାଚନ ୧୨ ଫେବୃଆରୀ ୨୦୨୬ରେ ହେବ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ କ୍ଷମତାରୁ ହଟାଇବା ପରେ ଏହା ଦେଶର ପ୍ରଥମ ନିର୍ବାଚନ ହେବ। ଦେଶକୁ ସମ୍ବୋଧିତ କରି ନସିରୁଦ୍ଦିନ କହିଛନ୍ତି ଯେ ବାଂଲାଦେଶ ବିଶ୍ୱକୁ ଏହା ଦେଖାଇବାକୁ ପ୍ରସ୍ତୁତ ଯେ ସେ ‘ସ୍ୱାଧୀନ ଓ ଗଣତାନ୍ତ୍ରିକ’ ମତଦାନ କରାଇପାରେ।

ସିଇସି ଏହି ଅବସରରେ ଦେଶବାସୀଙ୍କୁ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ମିଥ୍ୟା ଖବର ଓ ଗୁଜବ ପ୍ରତି ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ନିର୍ବାଚନ ପ୍ରକ୍ରିୟାରେ ସବୁ ରାଜନୈତିକ ଦଳ, ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଓ ଭୋଟରଙ୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାଗିଦାରୀ ସାଙ୍ଗକୁ ସକ୍ରିୟ ସହଯୋଗର ଆଶା ରଖୁଛୁ। ଏଣୁ ସମସ୍ତଙ୍କୁ ଅନୁରୋଧ ଆଗାମୀ ତ୍ରୟୋଦଶ ଜାତୀୟ ସଂସଦ ନିର୍ବାଚନକୁ ସଫଳ କରି ଆମର ଗଣତାନ୍ତ୍ରିକ ଯାତ୍ରାରେ ଏକ ଐତିହାସିକ ଭୂମିକା ନିର୍ବାହ କରନ୍ତୁ।

ସିଇସି ପୁଷ୍ଟି କରିଛନ୍ତି ଯେ ସାଧାରଣ ନିର୍ବାଚନ ଓ ଜୁଲାଇ ଚାର୍ଟର ଜନମତ ସଂଗ୍ରହ ଲାଗି ଥରକରେ ୧୨ ଫେବୃଆରୀରେ ମତଦାନ ହେବ। ଏହି ନିର୍ବାଚନରେ ପାଖାପାଖି ୩୦୦ ଆସନ ଲାଗି ଭୋଟ ଗ୍ରହଣ କରାଯିବ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପ୍ରାର୍ଥୀପତ୍ର ଦାଖଲ ଶେଷ ତାରିଖ ୨୮ ଡିସେମ୍ବର ୨୦୨୫। ଏହି ନିର୍ବାଚନରେ ୧୨୭ ନିୟୁତ ପଞ୍ଜିକୃତ ଭୋଟର ଭୋଟ ଦେବାକୁ ଥିବା ବେଳେ ଏଥିରେ ୪ ନିୟୁତରୁ ଅଧିକ ପ୍ରଥମ ଥର ମତଦାନ କରିବାକୁ ଥିବା ଭୋଟର ଅଛନ୍ତି।

ଏହି ନିର୍ବାଚନ ପରେ ଅନ୍ତରୀଣ ନେତା ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମଦ ୟୁନୁସ ଯିଏ ଅଗଷ୍ଟ ୨୦୨୪ରୁ ବିକ୍ଷୋଭକାରୀଙ୍କ ଆଗ୍ରହରେ ଏକ କାର୍ଯ୍ୟକାରୀ ସରକାରର ନେତୃତ୍ୱ ନେବାକୁ ନିର୍ବାସନରୁ ଫେରିଥିଲେ ସେ ତାଙ୍କ ପଦରୁ ହଟିଯିବେ। ୮୫ ବର୍ଷ ବୟଷ୍କ ୟୁନୁସ ଦେଶରେ ନିର୍ବାଚନ ଘୋଷଣାକୁ ସ୍ୱାଗତ କରିଛନ୍ତି। କହିଛନ୍ତ ବାଂଲାଦେଶ ଏକ ନୂଆ ଭବିଷ୍ୟତର ଦ୍ୱାରଦେଶରେ ଛିଡା ହୋଇଛି। ସେ କହିଛନ୍ତି ଯେ ଆପଣଙ୍କ ସକ୍ରିୟ ଓ ଦାୟିତ୍ୱସମ୍ପନ୍ନ ଭାଗିଦାରୀ ଆମକୁ ଏକ ଆଧୁନିକ, ନ୍ୟାୟପୂର୍ଣ୍ଣ ଓ ସମୃଦ୍ଧ ଦେଶର ନିର୍ମାଣ କରିପାରିବା ବୋଳି ମୋର ବିଶ୍ୱାସ।

Leave a Reply

Your email address will not be published. Required fields are marked *