ୟୁନିଫର୍ମ କର୍ମଚାରୀ ଚୟନ ପାଇଁ ନୂଆ ଆୟୋଗ

ରାଜ୍ୟରେ ଗଠନ ହେଲା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ। ପୋଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ଓ ବାଣିଜ୍ୟ ପରିବହନ ବିଭାଗରେ ୟୁନିଫର୍ମ କର୍ମଚାରୀ ଚୟନ ପାଇଁ ଏହି ଆୟୋଗ କାମ କରିବ। ନିଯୁକ୍ତିରେ ଅନିୟମିତତା ଓ ଅହେତୁକ ବିଳମ୍ବ ଯୋଗୁଁ ସରକାର ସମାଲୋଚିତ ହେବା ପରେ ନୂଆ ଆୟୋଗ ଗଠନ କରିଛନ୍ତି। ଏଥିରେ ଜଣେ ଅଧ୍ୟକ୍ଷ ଓ ଦୁଇ ଜଣ ସଦସ୍ୟ ରହିବେ। ରାଜ୍ୟ କ୍ୟାବିନେଟରେ ଏହି ପ୍ରସ୍ତାବ ଅନୁମୋଦନ ହୋଇଛି। ଏହା ସହ ଓଡ଼ିଶାରେ ଶାଖା ଖୋଲିବାକୁ ବିଶ୍ବର ବଡ଼ ବଡ଼ ଆଇଟି କମ୍ପାନୀଙ୍କୁ ପ୍ରୋତ୍ସାହନ ଦେଇଛନ୍ତି ସରକାର। ଗ୍ଲୋବାଲ କାପାବିଲିଟି ସେଣ୍ଟର ନୀତି ୨୦୨୫ ଜରିଆରେ ଅନ୍ୟ ୭ ରାଜ୍ୟ ଭଳି ଓଡ଼ିଶା ସରକାର ପ୍ରୋତ୍ସାହନ ବ୍ୟବସ୍ଥା କରିଛନ୍ତି। ଏହାଦ୍ବାରା ହଜାରେ କୋଟି ଟଙ୍କାର ପୁଞ୍ଜିନିବେଶ ସହ ୫୦ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତିର ସମ୍ଭାବନା ରହିଛି। କଟକ-ପୁରୀ-ଭୁବନେଶ୍ବର ସହ ବରଗଡ଼-ଝାରୁସୁଗୁଡ଼ା-ସମ୍ବଲପୁର ଭଳି ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ଏହି ନୀତି ସହାୟକ ହେବ।

ଚୋରା ବାଲି କାରବାର ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ପରେ କ୍ୟାବିନେଟରେ ଲଘୁ ଖଣିଜ କାରବାରକୁ ନିଲାମୀ ବଦଳରେ ଲଟେରୀ ଜରିଆରେ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ଲଘୁ ଖଣିଜ ଆବଣ୍ଟନରେ ସ୍ବଚ୍ଛତା ସହ ଉପଯୁକ୍ତ ଭାବେ ମନିଟରିଂ କରାଯାଇପାରିବ ବୋଲି ସରକାର ଆଶା ରଖିଛନ୍ତି। ଏଥିପାଇଁ ଲଘୁ ଖଣିଜ ରିହାତି ନିୟମ, ୨୦୧୬ରେ ସଂଶୋଧନ କରାଯାଇଛି। ସେହିପରି ୨୦୦୭ରୁ ଥିବା ବେଆଇନ ଖଣି ଖନନ ନିବାରଣ, ପରିବହନ ଓ ସଂରକ୍ଷଣ ନିୟମ ପରିବର୍ତ୍ତନ କରି ନୂଆ ନିୟମ ଆଣିବା ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦିତ ହୋଇଛି। ଏହାଦ୍ବାରା ବାଲି, ଗୋଡ଼ି ଭଳି ଦ୍ରବ୍ୟର ଚୋରା କାରବାରକୁ ରୋକାଯିବ। ଏହାସହ ହଷ୍ଟେଲରେ ରହି ପଢୁଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ମେସ୍ ବାବଦକୁ ଛାତ୍ର ବୃତ୍ତିରେ ବୃଦ୍ଧି କରାଯାଇଛି। ଛାତ୍ରଙ୍କ ପାଇଁ ବର୍ଷକୁ ୧୦ ହଜାର ବଦଳରେ ୧୬ ହଜାର ଏବଂ ଛାତ୍ରୀଙ୍କ ପାଇଁ ୧୭ ହଜାର ଟଙ୍କାର ବ୍ୟବସ୍ଥା ହୋଇଛି।

Leave a Reply

Your email address will not be published. Required fields are marked *