ଗବେଷଣା ମାଧ୍ୟମରେ ଇନୋଭେସନର କଳ୍ପନା କରିବା- ଧର୍ମେନ୍ଦ୍ର ପ୍ରଧାନ

୨୦୩୬ ମସିହାରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ୨୦୪୭ରେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ । ଏହି ସମୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କେବଳ ଡିଗ୍ରୀ ଓ ସାର୍ଟିଫିକେଟ୍ ଦେବାରେ ସୀମିତ ନରହି ଗବେଷଣା ମାଧ୍ୟମରେ ନବସୃଜନର କଳ୍ପନା କରିବା ଉଚିତ୍ ବୋଲି ଶନିବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୬ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଶାର ମାନ୍ୟବର ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଏବଂ ବିଶ୍ୱ ଆଦିବାସୀ ଦିବସ ମଧ୍ୟ । କଳା, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନର କେନ୍ଦ୍ରସ୍ଥଳୀ ଗଞ୍ଜାମ ଜିଲ୍ଲା ଜନଜାତି ମାନଙ୍କର ମୂଳ ପେଣ୍ଠସ୍ଥଳ । ବୀର ଚକରା ବିଶୋୟୀ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ ଓ ବିଶ୍ୱନାଥ ଦାଶଙ୍କ ପରି ମହାପୁରୁଷମାନେ ଏହି ମାଟିରେ ଜନ୍ମନେଇ ଗଞ୍ଜାମ ମାଟିକୁ ପବିତ୍ର କରିଛନ୍ତି । ଓଡ଼ିଶାର ଭାଷା ଆନ୍ଦୋଳନ, ସାହିତ୍ୟ ଆନ୍ଦୋଳନ ସହ ଶ୍ରମଜୀବୀଙ୍କ କ୍ଷେତ୍ରରେ ନୂଆ ବେଞ୍ଚମାର୍କ ତିଆରି କରିବାରେ ଗଞ୍ଜାମର ଅବଦାନ ବହୁତ ଅଧିକ । ଜିଲ୍ଲାର ପରିଶ୍ରମୀ ଲୋକଙ୍କ ହାତରେ ଗୁଜୁରାଟର ସୁରତ ସମେତ ଆମ ରାଜ୍ୟ ଓ ଦେଶର ଅର୍ଥନୀତି ମଜଭୂତ୍ ହୋଇଛି । ତେଣୁ ଏଠାରେ ଲୋକମାନଙ୍କୁ ବାହାରକୁ ନହେଁ ବରଂ ସେମାନଙ୍କର ରୋଜଗାର ବ୍ୟବସ୍ଥା କରାଇବା ପାଇଁ ଦାୟିତ୍ୱ ନେବା ଦରକାର । ଓଡ଼ିଆ ଯୁବକଙ୍କୁ ସୁଯୋଗ ଦେଲେ ସେମାନେ ସବୁ କାମ କରିପାରିବେ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ସହ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଡବଲ ଇଞ୍ଜିନ ସରକାର ପିଏମ୍ ଉଷା ଯୋଜନାରେ ୧୦୦ କୋଟି ଟଙ୍କା ସମେତ ରାଜ୍ୟ ବଜେଟରୁ ୭୫ କୋଟି ଟଙ୍କା ଦେଇଛନ୍ତି । ସବୁ ଯୋଜନାକୁ ମିଶାଇଲେ ପ୍ରାୟ ୨୦୦ କୋଟି ଟଙ୍କା ଏହି ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରାଯାଇଛି, ଯାହା ଖୁସିର ବିଷୟ ।

Leave a Reply

Your email address will not be published. Required fields are marked *