ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି ଚଳିତ ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍ର କ୍ବାର୍ଟର୍ଫାଇନାଲ୍ରେ ପ୍ରବେଶ କରି ଇତିହାସ ରଚିଛନ୍ତି। ଏହା ହେଉଛି ବିଶ୍ବମାନ୍ୟତାର ୩୨ତମ ସ୍ଥାନରେ ଥିବା ଭାମ୍ବ୍ରିଙ୍କ କ୍ୟାରିୟର୍ର ପ୍ରଥମ ଗ୍ରାଣ୍ଡସ୍ଲାମ୍ କ୍ବାର୍ଟର୍ଫାଇନାଲ୍ ପ୍ରବେଶ।
ଚତୁର୍ଦଶ ସିଡ୍ ଭାମ୍ବ୍ରି ଓ ନ୍ୟୁଜିଲାଣ୍ଡର ମାଇକେଲ୍ ଭେନସ୍ଙ୍କ ଯୋଡ଼ି ପ୍ରିକ୍ବାର୍ଟରରେ ଚତୁର୍ଥ ସିଡ୍ ଜର୍ମାନୀର କେଭିନ କ୍ରାୱିଜ୍ ଓ ଟିମ୍ ପୁଏଜ୍ଙ୍କୁ ୬-୪, ୬-୪ ସିଧାସଳଖ ସେଟ୍ରେ ପରାସ୍ତ କରି ଏହି ଅନନ୍ୟ ସଫଳତା ଲାଭ କରିଛନ୍ତି।
ନିଜଠାରୁ ୧୦ଟି ସ୍ଥାନ ଉଚ୍ଚ ମାନ୍ୟତାପ୍ରାପ୍ତ ତଥା ଅଧିକ ସଫଳ ଓ ଅଭିଜ୍ଞ କ୍ରାୱିଜ୍ ଓ ପୁଏଜ୍ଙ୍କୁ ହରାଇବାକୁ ଭାମ୍ବ୍ରି-ଭେନସ୍ ଏକ ଘଣ୍ଟା ୨୩ ମିନିଟ୍ କାଳ ଲଢ଼ିଥିଲେ। କ୍ବାର୍ଟର୍ଫାଇନାଲ୍ରେ ସେମାନେ ଏକାଦଶ ସିଡ୍ କ୍ରୋଏସିଆର ନିକୋଲା ମେକଟିକ୍ ଓ ଆମେରିକାର ପୁରୁଖା ଖେଳାଳି ରାଜୀବ ରାମଙ୍କୁ ଭେଟିବେ। ଆଘାତ ଜନିତ ସମସ୍ୟା ଜର୍ଜରିତ ୩୩ବର୍ଷୀୟ ଭାମ୍ବ୍ରି କେବବି କୌଣସି ଗ୍ରାଣ୍ଡସ୍ଲାମ୍ର ପୁରୁଷ ଏକକର ପ୍ରଥମ ରାଉଣ୍ଡ୍ ଆଗକୁ ବଢ଼ି ପାରିନାହାନ୍ତି। ତେବେ ଯୁଗଳରେ ଅପେକ୍ଷାକୃତ ଭଲ ପ୍ରଦାର୍ଶନ କରି ଚଳିତ ବର୍ଷର ଫ୍ରେଞ୍ଚ୍ ଓପନ୍ ଓ ୱିମ୍ବଲଡନ୍ ଓପନ୍ ପୁରୁଷ ଯୁଗଳର ତୃତୀୟ ରାଉଣ୍ଡ୍ରେ ପ୍ରବେଶ କରିଥିଲେ।
ରେକର୍ଡ ୨୫ତମ ଗ୍ରାଣ୍ଡସ୍ଲାମ୍ ଟ୍ରଫି ଲକ୍ଷ୍ୟରେ ଥିବା ସର୍ବିୟାର ମହାନ ଟେନିସ୍ ତାରକା ନୋଭାକ ଜୋକୋଭିକଙ୍କ ଜୟଯାତ୍ରା ଜାରି ରହିଛି। ବୟୋଜ୍ୟେଷ୍ଠ ଖେଳାଳି ଭାବେ ୟୁଏସ୍ ଓପନ୍ର କ୍ବାର୍ଟର୍ଫାଇନାଲ୍କୁ ଯାଇଥିବା ୩୮ବର୍ଷୀୟ ଜୋକୋଭିକ ସ୍ଥାନୀୟ ତାରକା ଟେଲର ଫ୍ରିଜ୍ଙ୍କୁ ୬-୩, ୭-୫, ୩-୬, ୬-୪ ସେଟ୍ରେ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛନ୍ତି।
ଯୁବ ଟେନିସ ଖେଳାଳିଙ୍କ ମଧ୍ୟରେ ୟୁକି ଭାମ୍ବ୍ରିଙ୍କ ସ୍ଥାନ ସ୍ୱତନ୍ତ୍ର l ସେ ପ୍ରଥମ ଭାରତୀୟ ଜୁନିଅର ଖେଳାଳି ଭାବେ ୪ଟି ଯାକ ଗ୍ରାଣ୍ଡସ୍ଲାମ ଖେଳିବାର ସୈଭାଗ୍ୟ ଲାଭ କରିଛନ୍ତି l ମାତ୍ର ୧୬ ବର୍ଷ ବୟସରେ ପ୍ରଥମ ଭାରତୀୟ ଭାବେ ଜୁନିଅର ଅଷ୍ଟ୍ରେଲିଆନ୍ ଓପନ ଜିଣି ଥିଲେ l ୟୁକି କ୍ୟାରିଅରର ଆଉ ଏକ ସଫଳତା ସ୍ୱରୂପ ଦ୍ୱିତୀୟ ସର୍ବକନିଷ୍ଠ ପ୍ରତିଯୋଗୀ ଭାବେ ଏଟିପି ମାନ୍ୟତରେ ୫୦୦ ଟପିଛନ୍ତି l









