‘ବେଇମାନ’ ଶବ୍ଦର ଅର୍ଥ ବୋଧେ ନବୀନ ବୁଝି ପାରି ନ ଥିବେ – ମୁଖ୍ୟମନ୍ତ୍ରୀ

ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋମନା ଉଦ୍ୟାନବନ୍ଧରେ ରୋଡ ଶୋ’ କରିଛନ୍ତି। ଏହି ସମୟରେ ବିରାଟ ଜନସଭାକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ କରି କହିଛନ୍ତି, ନୂଆପଡ଼ାର ବିକାଶ ପାଇଁ ମୋତେ ଏଠାକୁ ଆସିବାକୁ ପଡ଼ିଛି।ପୂର୍ବରୁ କେବେ ଏତେ ଜନସମାଗମ କେହି ଦେଖି ନ ଥିଲେ। ନୂଆପଡ଼ାର ବିକାଶ ପାଇଁ ୧ ହଜାର ୪ ଶହ କୋଟିର ପ୍ରତିଶ୍ରୁତି ଦେଇ ସାରିଛି। ଜୟ ଢୋଲକିଆ ନିର୍ବାଚିତ ହେଲେ ଆପଣଙ୍କ ଦାବି ଉପସ୍ଥାପନ କରିପାରିବେ। କିଛି ଦିନ ତଳେ ବିରୋଧୀଦଳ ନେତା ଜୟଙ୍କୁ ବେଇମାନ କହିଥିଲେ। ପୂର୍ବରୁ କେବେ ତାଙ୍କ ମୁହଁରୁ ଏପରି ଶବ୍ଦ ବାହାରେ ନାହିଁ। କେହି ତାଙ୍କୁ ସ୍କ୍ରିପ୍ଟ ଲେଖି ଦେଇଥିଲେ, ତାହା ସେ ପଢ଼ିଦେଲେ। ‘ବେଇମାନ’ ଶବ୍ଦର ଅର୍ଥ ବୋଧେ ସିଏ ବୁଝି ପାରି ନ ଥିବେ। ବିଜେପୁର, କାକଟପୁର ଓ ନର୍ଲାରେ ବିଜେଡି କରିଥିବା କାର୍ଯ୍ୟକୁ ମନେ ପକାଇବାକୁ କହି ସେ ପ୍ରଶ୍ନ କରିଛନ୍ତି, ଏହା ବେଇମାନୀ ନ ଥିଲା କି? ବେଇମାନ କିଏ ଓ କେତେ ଥର ବେଇମାନୀ କରିଛନ୍ତି ସମସ୍ତେ ଜାଣିଛନ୍ତି। ଯେଉଁମାନେ ଦଳକୁ ଆଣିଥିଲେ, ସେମାନଙ୍କୁ ତଡ଼ି ଦେଇ ବେଇମାନୀ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି।

ଜିଲା ବାହାରୁ ନେତା ଡାକି ଟିକେଟ ଦେବାକୁ ଟାର୍ଗେଟ କରି ସେ କହିଛନ୍ତି, ଜିଲା ଭିତରେ ବିଜେଡିର ନେତା ନାହାନ୍ତି କି? ଶେଷରେ ବରଗଡ଼ରୁ ଆଣି ଜଣଙ୍କୁ ପ୍ରାର୍ଥୀ କରି ଜିଲାପ୍ରାର୍ଥୀଙ୍କୁ ବଞ୍ଚିତ କରାଯାଇଛି। ମୁଖ୍ୟମନ୍ତ୍ରୀ ହେବା ପରେ ନୂଆପଡ଼ାକୁ ପଞ୍ଚମ ଥର ଆସିଛନ୍ତି ବୋଲି କହି ପୂର୍ବ ମୁଖ୍ୟମନ୍ତ୍ରୀ କେବେ ଏଠାକୁ ଆସି ଘୋଷଣା କରିନଥିବା ପ୍ରଶ୍ନ କରିଛନ୍ତି। ନୂଆପଡ଼ା ମାଟିରେ ନିଶ୍ଚୟ ପଦ୍ମ ଫୁଟିବ ବୋଲି ଆଶା ପ୍ରକାଶ କରିଛନ୍ତି। ଦ୍ୱିତୀୟ ସ୍ଥାନ ପାଇଁ କଂଗ୍ରେସ-ବିଜେଡି ମଧ୍ୟରେ ଲଢ଼େଇ ଚାଲିଛି ବୋଲି ଉଲ୍ଲେଖ କରି ପରିବର୍ତ୍ତନରେ ସାମିଲ ହେଲେ ନୂଆପଡ଼ା ବିକାଶରେ ସାମିଲ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଚାଷୀ ପ୍ରସଙ୍ଗ ଉଠାଇ ବିଜେଡିକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜେଡି ସରକାର ୧୦୦ ଟଙ୍କା ସବସିଡି ଦେବାକୁ କହି ଦେଇପାରିନଥିଲେ, କିନ୍ତୁ ଆମ ସରକାର ଆସିବା ମାତ୍ରେ ୮୦୦ ଟଙ୍କା ସବସିଡି ଦେଇଛି। ଏହାର ସୁବିଧା ରାଜ୍ୟର ୧୭ ଲକ୍ଷ କୃଷକଙ୍କୁ ମିଳିଛି।

Leave a Reply

Your email address will not be published. Required fields are marked *