ତେଜସ ଫାଇଟର ଜେଟର ପାଇଲଟ୍ ନମାଂଶ ସ୍ୟାଲ୍‌ଙ୍କୁ ଶ୍ରଦ୍ଧାଞ୍ଜଳି

ଦୁବାଇ ଏୟାର୍ ଶୋ’ରେ ତେଜସ୍ ଫାଇଟର ଜେଟ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତୀୟ ବାୟୁସେନାର ପାଇଲଟ୍ ୱିଙ୍ଗ୍ କମାଣ୍ଡର ନମାଂଶ ସ୍ୟାଲଙ୍କର ମରଶରୀର ଆଜି ତାଙ୍କର ଗୃହ ରାଜ୍ୟ ହିମାଚଳ ପ୍ରଦେଶର କାଙ୍ଗଡ଼ା ବିମାନବନ୍ଦରରେ ପହଞ୍ଚିଛି। ଏହି ସମୟରେ ୱିଙ୍ଗ୍ କମାଣ୍ଡର ନମାଂଶ ସ୍ୟାଲ୍‌ଙ୍କ ପତ୍ନୀ ତଥା ନିଜେ ଜଣେ ବାୟୁସେନା ଅଧିକାରୀ ଥିବା ୱିଙ୍ଗ୍ କମାଣ୍ଡର ଆଫସାନା ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ସ୍ୱାମୀଙ୍କ ମରଶରୀର ଦେଖି ୱିଙ୍ଗ୍ କମାଣ୍ଡର ଆଫସାନା ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଥିଲେ। ତାଙ୍କର ଏହି ଭାବପ୍ରବଣତାର ଭିଡିଓ ସୋସିଆଲ୍ ମିଡିଆରେ ବହୁଳ ଭାବରେ ଭାଇରାଲ୍ ହେବାରେ ଲାଗିଛି। ନମାଂଶ ଦେଶପାଇଁ ସେନାରେ ସେବା କରିବାକୁ ଲକ୍ଷ୍ୟ ରଖିଥିଲେ । ତାଙ୍କ ବନ୍ଧୁ, ଗ୍ରାମବାସୀ ଓ ସମ୍ପର୍କୀୟମାନେ ଏହି ଦୁଃଖଦ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ତାଙ୍କୁ ଜଣେ ସରଳ ଓ ସହୃଦୟ ବ୍ୟକ୍ତି ଭାବରେ ମନେ ପକାଇଛନ୍ତି।
୩୪ ବର୍ଷୀୟ ୱିଙ୍ଗ୍ କମାଣ୍ଡର ନମାଂଶ ସ୍ୟାଲ୍ ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲାର ପାଟିଆଲକର୍ ଗାଁର ମୂଳ ବାସିନ୍ଦା ଥିଲେ। ସେ ହାଇଦ୍ରାବାଦ୍ ଏୟାରବେସ୍‌ରେ ପୋଷ୍ଟିଂ ହୋଇଥିଲେ ଏବଂ ଜଣେ ଶ୍ରେଷ୍ଠ ପାଇଲଟ୍ ଭାବରେ ପରିଚିତ ଥିଲେ। ସେ ତାଙ୍କ ପତ୍ନୀ (ୱିଙ୍ଗ୍ କମାଣ୍ଡର ଆଫସାନା), ଛଅ ବର୍ଷର ଝିଅ ଏବଂ ବାପା-ମାଆଙ୍କୁ ଛାଡ଼ି ଯାଇଛନ୍ତି। ତାଙ୍କ ବାପା ଜଗନ୍ନାଥ ସ୍ୟାଲ୍ ମଧ୍ୟ ଶିକ୍ଷା ବିଭାଗରେ ପ୍ରିନ୍ସିପାଲ୍ ହେବା ପୂର୍ବରୁ ଭାରତୀୟ ସେନାରେ କାର୍ଯ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *