ଉପବାସରେ ଶ୍ରୀଲିଙ୍ଗରାଜ

ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଆଜି ପୁଣି ଥରେ ଉପବାସରେ ରହିବାକୁ ପଡ଼ିଛି। ପ୍ରଶାସନିକ ବ୍ୟବସ୍ଥା ଏବଂ ସେବାତୟଙ୍କର ମଧ୍ୟରେ ଉପଯୁକ୍ତ ସମନ୍ବୟ ରହୁ ନଥିବାରୁ ଏହିଭଳି ଅଭାବନୀୟ ଘଟଣା ପୁଣି ଥରେ ଉପୁଜିଛି, ଯେଉଁଥି ପାଇଁ ଶ୍ରଦ୍ଧାଳୁଙ୍କ ମନକୁ କୁଠାରାଘାତ ଲାଗିଛି। ପବିତ୍ର କାର୍ତ୍ତିକ ମାସରେ ଏଭଳି ଅପ୍ରୀତିକର ଘଟଣାକୁ ଭକ୍ତମାନେ ତୀବ୍ର ନିନ୍ଦା କରୁଛନ୍ତି। ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ନୀତିକାନ୍ତିକୁ ଆଜି ପାଳି ଥିବା ସମର୍ଥା ନିଯୋଗ ସେବାୟତମାନେ ବନ୍ଦ କରିଛନ୍ତି। ଆଜି ସକାଳୁ ସାହାଣ ମେଲା, ସୂର୍ଯ୍ୟପୂଜା ପରେ ଦ୍ଵାରପାଳ ପୂଜା ପରଠୁ ନୀତିକାନ୍ତି ବନ୍ଦ ରହିଛି। ଫଳରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଖାଡ଼ା ଉପାସରେ ରହିବାକୁ ପଡ଼ିଛି। ମହାପ୍ରଭୁଙ୍କ ଠାରେ ଭୋଗ ଲାଗି ହୋଇ ନଥିବାରୁ ହଜାର ହଜାର ହବିଶ୍ୟାଳି ପ୍ରସାଦ ପାଇପାରି ନାହାଁନ୍ତି। ମନ୍ଦିର ପ୍ରଶାସନ ବିବାଦରେ ହସ୍ତକ୍ଷପ କଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି କୁହାଯାଉଛି। ଚଳିତ ବର୍ଷ ମଧ୍ୟ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଶିବ ପବିତ୍ରାରୋପଣ ନୀତି ବନ୍ଦ ହୋଇଯାଇଥିଲା। ଫଳରେ ପ୍ରଭୁଙ୍କୁ ପଇତାଲାଗି ହୋଇପାରି ନଥିଲା। ରକ୍ଷାବନ୍ଧନ ପର୍ବରେ ସାଧାରଣ ଲୋକେ ପଇତା ପିନ୍ଧନ୍ତି, ଅଥଚ ପ୍ରଭୁ ଶ୍ରୀଲିଙ୍ଗରାଜ ପଇତା ପିନ୍ଧିପାରି ନଥିଲେ। ପ୍ରାୟ ୫ବର୍ଷ ହେଲା ଲାଗି ରହିଥିବା ସେବାୟତଙ୍କ ବିବାଦର ସମାଧାନ ହୋଇ ନଥିବାରୁ ଏଭଳି ସ୍ଥିତି ଉପୁଜିଥିଲା। ପ୍ରଭୁ ଲିଙ୍ଗରାଜଙ୍କ ଅନ୍ୟତମ ମୁଖ୍ୟ ନୀତି ବନ୍ଦ ହୋଇଯିବାରୁ ଶ୍ରଦ୍ଧାଳୁମାନଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ରାଖୀ ପୂର୍ଣ୍ଣିମା ଅବ୍ୟବହିତ ପୂର୍ବରୁ ପ୍ରଥା ଓ ପରମ୍ପରା ଅନୁସାରେ ଶିବ ପବିତ୍ରାରୋପଣ ନୀତି ପାଳିତ ହୋଇଥାଏ। ବିଧି ଅନୁସାରେ ପ୍ରଭୁଙ୍କୁ ପଇତାଲାଗି କରାଯାଏ। କିନ୍ତୁ ଲିଙ୍ଗରାଜଙ୍କ ବଡ଼ୁ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ଉପୁଜିଥିବା ବିବାଦ ଏହି ବିଧି ପାଳନରେ ବାଧକ ସାଜିଛି। କେଉଁ ନିଯୋଗ କେତୋଟି ପଇତାଲାଗି କରିବ, ତାହାକୁ ନେଇ ବିବାଦ ଲାଗିଛି। ୨୦୨୦ ମସିହାରୁ ଏହି ବିବାଦର ସମାଧାନ ହୋଇପାରିନାହିଁ।

Leave a Reply

Your email address will not be published. Required fields are marked *