ବିଦେଶରେ ଥିବା ୬୪ ଟନ୍ ସୁନା  ଭାରତ ପ୍ରତ୍ୟାବର୍ତ୍ତନ କରିଛି

ଦେଶର ଅର୍ଥନୈତିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଗତ ଛଅ ମାସ ମଧ୍ୟରେ ଆରବିଆଇ ବିଦେଶରେ ଥିବା ୬୪,୦୦୦ କିଲୋଗ୍ରାମ ଅର୍ଥାତ ୬୪ ଟନ୍ ସୁନା  ଭାରତ ପ୍ରତ୍ୟାବର୍ତ୍ତନ କରିଛି । ଏହାକୁ ଭାରତର ଅର୍ଥନୈତିକ ସ୍ବାଧୀନତା  ଏବଂ ସମ୍ପତ୍ତିକୁ ସୁରକ୍ଷିତ ରଖିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ବୋଲି କୁହାଯାଉଛି । ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ବର୍ତ୍ତମାନ ବିଦେଶରୁ ସୁନା ଫେରାଇ ଆଣିବାର କାରଣ କ’ଣ ? ଏହି ପ୍ରଶ୍ନକୁ ଯଦି ଆଲୋକପାତ କରିବା ତେବେ ଭୂରାଜନୈତିକ ଉତ୍ତେଜନା ଏହାର ଏକ ପ୍ରମୁଖ କାରଣ ହୋଇପାରେ । ସାରା ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯୋଗୁଁ ଅନେକ ଦେଶ ପ୍ରତିବନ୍ଧକ ଭଳି ପରିସ୍ଥିତିର ସମ୍ମୁଖିନ ହେଉଛନ୍ତି । ଟାରିଫ୍ ଯୁଦ୍ଧ ଭଳି ପରିସ୍ଥିତିରେ ନିଜ ଦେଶରେ ନିଜର ସୁନା ରହିବା ସବୁଠାରୁ ସୁରକ୍ଷିତ ବୋଲି ଆକଳନ କରାଯାଉଛି । ଆରବିଆଇର ନିୟମ ଅନୁସାରେ ଘରୋଇ ଭଣ୍ଡାରରେ ସୁନା ସଂରକ୍ଷଣ କରିବା ଦ୍ୱାରା ବିଶ୍ୱ ସଙ୍କଟ କିମ୍ବା ବାଣିଜ୍ୟ କଟକଣା ପରିସ୍ଥିତିରେ ଦେଶରେ ଆର୍ଥିକ ଶକ୍ତି ବଜାୟ ରହିବ ଏବଂ କୌଣସି ଦେବାଳିଆ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ ନାହିଁ । ଏହା ଏକପ୍ରକାର ଆର୍ଥିକ ସ୍ବତନ୍ତ୍ରତା ଆଡ଼କୁ ପଦକ୍ଷେପ ଅର୍ଥାତ୍ ରିଜର୍ଭ ବ୍ୟାଙ୍କ କୌଣସି ଆର୍ଥିକ ସହାୟତା ବିନା ନିଜର ଆର୍ଥିକ ନିଷ୍ପତ୍ତି ନେଇପାରିବ । ରୁଷ, ଇରାନ ଏବଂ ଭେନେଜୁଏଲା ଭଳି ଦେଶ ଉପରେ ପାଶ୍ଚାତ୍ୟ ପ୍ରତିବନ୍ଧକ ଲଗାଇବା ପରେ ଭାରତ ଏଭଳି ବିପଦ ପରିସ୍ଥିତିର ସାମ୍ନା କରିବାକୁ ଚାହୁନାହିଁ । ଯେଉଁ କାରଣରୁ ବିଦେଶରୁ ସୁନା ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି ।

Leave a Reply

Your email address will not be published. Required fields are marked *