ଭାରତରେ ପହଞ୍ଚିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ନୂଆଦିଲ୍ଲୀର ପାଲାମ ବିମାନବନ୍ଦରରେ ପୁଟିନ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ବାଗତ କରିଥିଲେ। ରୁଷ-ୟୁକ୍ରେନ ଯୁଦ୍ଧ ପରେ ପୁଟିନଙ୍କର ଏହା ପ୍ରଥମ ଭାରତ ଗସ୍ତ। ଏହା ଏକ ଐତିହାସିକ ଗସ୍ତ ହୋଇଥିବାବେଳେ ସାରା ବିଶ୍ଵର ନଜର ଦୁଇ ଦେଶର ନେତାଙ୍କ ଉପରେ ଅଟକି ରହିଛି।
ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ତାଙ୍କୁ ସ୍ବାଗତ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ବିମାନବନ୍ଦରରେ ପୂର୍ବରୁ ଅପେକ୍ଷା କରିଥିଲେ। ଭବ୍ୟ ସ୍ବାଗତ ଲାଗି ବ୍ୟାପକ ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବରଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହିଥିଲେ।
ପୁଟିନଙ୍କୁ ଆପ୍ୟାୟିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରାତିରେ ଏକ ସ୍ବତନ୍ତ ସାନ୍ଧ୍ୟ ଭୋଜନର ଆୟୋଜନ କରିଛନ୍ତି। ପୁଟିନଙ୍କ ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ଵପୂର୍ଣ୍ଣ ରାଜିନାମା ସ୍ବାକ୍ଷର ହୋଇପାରେ। ଏଥିରେ ଏସ-୪୦୦ କ୍ଷପଣାସ୍ତ୍ର ପ୍ରତିରୋଧ ବ୍ୟବସ୍ଥା କ୍ରୟ ଚୁକ୍ତି ମଧ୍ୟ ଅନ୍ତର୍ଭୁକ୍ତ ରହିଛି।









