ରାଜ୍ୟର ଅନେକ ସରକାରୀ ମେଡିକାଲରେ ନାହିଁ ବର୍ଣ୍ଣ ୟୁନିଟ୍

ରାଜ୍ୟରେ ଏବେ ଜଣଙ୍କ ପରେ ଜଣେ ଛାତ୍ରୀ ଜଳିଯାଉଛନ୍ତି । କେତେବେଳେ ଆତ୍ମାହୁତି ଦେଉଛନ୍ତି ତ ଆଉ କେତେବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଉଛନ୍ତି । କିନ୍ତୁ ବଡ଼ ସମସ୍ୟା ହେଉଛି ରାଜ୍ୟର ଅନେକ ସରକାରୀ ମେଡିକାଲରେ ବର୍ଣ୍ଣ ୟୁନିଟ୍ ନାହିଁ । ବିଶେଷ କରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ସ୍ଥିତି ଚିନ୍ତାଜନକ । ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ବର୍ଣ୍ଣ ୟୁନିଟ୍ ନଥିବାରୁ କେହି କେହି ବ୍ରହ୍ମପୁର ଏମ୍‌କେସିଜି ଯାଉଛନ୍ତି ନହେଲେ ପଡ଼ୋଶୀ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି । ଦକ୍ଷିଣ ଓଡ଼ିଶାରେ କେବଳ ବ୍ରହ୍ମପୁର ଏମ୍‌କେସିଜିକୁ ଛାଡ଼ିଦେଲେ ଅନ୍ୟ କୌଣସି ସରକାରୀ ଡାକ୍ତରଖାନାରେ ନାହିଁ ବର୍ଣ୍ଣ ୟୁନିଟ୍ । କୋରାପୁଟ ଜିଲ୍ଲାରେ ତ ସ୍ଥିତି ଉଦ୍‌ବେଗଜନକ । କୌଣସି ଲୋକ ନିଆଁରେ ପୋଡ଼ି ଗୁରୁତର ହେଲେ, ସେମାନଙ୍କର ଚିକିତ୍ସା କରାଯାଇପାରୁନି । ବ୍ରହ୍ମପୁର କିମ୍ବା କଟକ ରେଫର୍ କରୁଛନ୍ତି ଡାକ୍ତର । ନଚେତ୍ ପଡ଼ୋଶୀ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡ଼ୁଛି । ଲକ୍ଷ୍ମୀପୁର ବ୍ଲକ ତଳକାଇପଦର ଗାଁର ମିନ ହିକକାଙ୍କ ୨ ବର୍ଷର ଝିଅ ତନିଷା ହିକକା । ଅସାବଧାନତା ଯୋଗୁଁ ତାଙ୍କ ଦେହରେ ନିଆଁ ଲାଗି ପ୍ରାୟ ୫୦ ପ୍ରତିଶତ ପୋଡ଼ିଯାଇଛି । ଗତ ମଙ୍ଗଳବାର ଦେହରେ ନିଆଁ ଲାଗିଯିବା ପରେ ପ୍ରଥମେ ଲକ୍ଷ୍ମୀପୁର ମେଡିକାଲ ଯାଇଥିଲେ । ବର୍ଣ୍ଣ୍‌ ୟୁନିଟ୍ ନଥିବାରୁ ଅବସ୍ଥା ଗୁରୁତର ହୋଇଥିଲା । ଏହାପରେ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଯାଇଥିଲେ। କିନ୍ତୁ ସେଠାରେ ବି ବର୍ଣ୍ଣ ୟୁନିଟ୍ ନଥିବାରୁ ଡାକ୍ତର ସଙ୍ଗେ ସଙ୍ଗେ ବ୍ରହ୍ମପୁର ଚାଲିଯିବାକୁ କହିଥିଲେ। କିନ୍ତୁ ଅର୍ଥାଭାବ ଯୋଗୁଁ ମିନ ହିକକା ତାଙ୍କ ଛୁଆକୁ ଘରକୁ ନେଇଆସିଛନ୍ତି। ୨୦୧୪ ମସିହାରୁ କୋରାପୁଟରେ ସ୍ଥାପିତ ହୋଇଛି ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ । କିନ୍ତୁ ଆଜି ପର୍ଯ୍ୟନ୍ତ ସେଠାରେ ବର୍ଣ୍ଣ୍‌ ୟୁନିଟଟିଏ ନାହିଁ । ଫଳରେ ପ୍ରତିଦିନ ଅନେକ ପୋଡ଼ା ରୋଗୀ ଆସି ନିରାଶ ହୋଇ ଫେରୁଛନ୍ତି। ବ୍ରହ୍ମପୁର ଏମ୍‌କେସିଜି ଯିବା ବେଳକୁ ରୋଗୀ ଅବସ୍ଥା ସଙ୍କଟାପନ୍ନ ହୋଇଯାଉଛି । ନଚେତ୍ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଛନ୍ତି ରୋଗୀଙ୍କ ସମ୍ପର୍କୀୟ। କେବଳ ଏହି କୁନି ଝିଅ ନୁହେଁ, ନିଆଁରେ ପୋଡ଼ିଯାଉଥିବା ଏମିତି ଅନେକ ରୋଗୀ ପ୍ରତିଦିନ ଠିକ୍‌ରେ ଚିକିତ୍ସା ପାଇପାରୁ ନାହାନ୍ତି । ସ୍ପେଶାଲ ବର୍ଣ୍ଣ ୟୁନିଟ୍ ନଥିବାରୁ ହନ୍ତସନ୍ତ ହେଉଛନ୍ତି ରୋଗୀ । ସରକାର ଏହା ଉପରେ ଦୃଷ୍ଟି ଦେବା ଦରକାର ।

Leave a Reply

Your email address will not be published. Required fields are marked *