ସେମିକନ୍ ଇଣ୍ଡିଆ ୨୦୨୫ରେ ୩୩ ରାଷ୍ଟ୍ର, ୫୦ରୁ ଅଧିକ ବିଶ୍ୱସ୍ତରୀୟ ସିଏକ୍ସଓ

ସେମିକନ୍ ଇଣ୍ଡିଆ ୨୦୨୫ର ଚତୁର୍ଥ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨ ସେପ୍ଟେମ୍ବର ୨୦୨୫ରେ ନୂଆଦିଲ୍ଲୀର ଯଶୋଭୂମି (ଭାରତୀୟ ଅନ୍ତର୍ଜାତୀୟ ସମ୍ମିଳନୀ ଏବଂ ଏକ୍ସପୋ ସେଣ୍ଟର)ଠାରେ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବେ। ଭାରତକୁ ଏକ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ମହାଶକ୍ତି ଭାବରେ ସ୍ଥାନିତ କରିବା ଲାଗି ସେମିକନ୍ ଇଣ୍ଡିଆ ୨୦୨୫ର ଚଳିତ ସଂସ୍କରଣରେ ପ୍ରମୁଖ ବିଶ୍ୱ ନେତା, ସେମିକଣ୍ଡକ୍ଟର ଶିଳ୍ପ ବିଶେଷଜ୍ଞ, ଶିକ୍ଷାବିତ୍, ସରକାରୀ ଅଧିକାରୀ ଏବଂ ଛାତ୍ରଛାତ୍ରୀଙ୍କ ସମେତ ପ୍ରମୁଖ ଅଂଶୀଦାରମାନେ ସାମିଲ ହେବେ।

ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଭାରତର ସେମିକଣ୍ଡକ୍ଟର ଯାତ୍ରା ଦୃଢ଼ ଗତି ହାସଲ କରିଛି। ଏପର୍ଯ୍ୟନ୍ତ, ଭାରତ ସରକାର ରଣନୀତିକ ଗୁରୁତ୍ୱ କ୍ଷେତ୍ରରେ ୧୦ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି, ଯେଉଁଥିରେ ଉଚ୍ଚ-ଭଲ୍ୟୁମ୍ ଫେବ୍ରିକେସନ୍ ୟୁନିଟ୍ (ଫ୍ୟାବ୍ସ), ଥ୍ରୀଡି ହେଟେରୋଜେନିୟସ୍ ପ୍ୟାକେଜିଂ, କମ୍ପାଉଣ୍ଡ ସେମିକଣ୍ଡକ୍ଟର (ସିଲିକନ୍ କାର୍ବାଇଡ୍ – ଏସଆଇସି ସମେତ), ଏବଂ ଆଉଟସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ପରୀକ୍ଷଣ (ଓଏସଏଟି) ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାରେ ଭାରତର ସ୍ଥିତିକୁ ସୁଦୃଢ଼ ​​କରିବାରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।

ସେମିକଣ୍ଡକ୍ଟରଗୁଡ଼ିକୁ ଏକ ଆଧାର ଶିଳ୍ପ ଭାବରେ ମାନ୍ୟତା ଦେଇ, ସରକାର ୨୮୦ରୁ ଅଧିକ ଶିକ୍ଷାନୁଷ୍ଠାନ ଏବଂ ୭୨ଟି ଷ୍ଟାର୍ଟ-ଅପ୍‌କୁ ଅତ୍ୟାଧୁନିକ ଡିଜାଇନ୍ ଉପକରଣ ପ୍ରଦାନ କରିଛନ୍ତି। ଏହାସହିତ ଗବେଷଣା, ନବସୃଜନ ଏବଂ ଡିଜାଇନ୍‌କୁ ସମର୍ଥନ କରୁଛନ୍ତି। ସେହିପରି ଡିଜାଇନ୍ ଲିଙ୍କ୍ଡ୍ ଇନସେଣ୍ଟିଭ୍ (ଡିଏଲଆଇ) ଯୋଜନା ଅଧୀନରେ ୨୩ଟି ଷ୍ଟାର୍ଟ-ଅପ୍‌କୁ ଅନୁମୋଦନ କରାଯାଇଛି । ଏହା ଭାରତୀୟ ଉଦ୍ଭାବକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ ଉପରେ କାର୍ଯ୍ୟ କରିବାକୁ ସକ୍ଷମ କରିଥାଏ। ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ, ଭାରତ କ୍ଲୋଜଡ୍‌-ସର୍କିଟ୍ ଟେଲିଭିଜନ (ସିସିଟିଭି), ନାଭିଗେସନ୍ ସିଷ୍ଟମ୍, ମୋଟର କଣ୍ଟ୍ରୋଲର୍‌, କମ୍ୟୁନିକେସନ ଚିପ୍ସ ଏବଂ ମାଇକ୍ରୋପ୍ରୋସେସର ୟୁନିଟ୍ ଭଳି ପ୍ରୟୋଗ ପାଇଁ ସେମିକଣ୍ଡକ୍ଟର ଡିଜାଇନ୍ ଏବଂ ନିର୍ମାଣ କରିବାର କ୍ଷମତା ବିକାଶ କରିବା ଦିଗରେ ଭଲ ଭାବରେ ଅଗ୍ରଗତି କରୁଛି। ଏହି ପ୍ରୟାସଗୁଡ଼ିକ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣ ସହିତ ଦେଶରେ ଏକ ଦୃଢ଼ ଓ ସାମଗ୍ରିକ ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ନିର୍ମାଣ କରିବାରେ ଏକ ନିର୍ଣ୍ଣାୟକ ପଦକ୍ଷେପ ।

ସେମିକଣ୍ଡକ୍ଟର ଶିଳ୍ପ ଏବଂ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ଆଇଏସଏମ) କୁ ପ୍ରୋତ୍ସାହିତ କରୁଥିବା ବିଶ୍ୱ ଶିଳ୍ପ ସଂଘ- ସେମି ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେମିକନ୍ ଇଣ୍ଡିଆ ୨୦୨୫ ପାଇଁ କାର୍ଯ୍ୟକ୍ରମ ଘୋଷଣା କରିଛି।

Leave a Reply

Your email address will not be published. Required fields are marked *