‘ବଣିକ୍’ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ୍

‘ବଣିକ୍’ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ରେଡ୍ ପରେ ଅନେକ ପ୍ରଶ୍ନ ଆଲୋଚନା ହେଉଛି। ପୋଲିସ SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ବଣିକ ପିଲା ଯୋଗାଇଥିବା ଅଭିଯୋଗ ରହିଛି । ପୋଲିସ ଏସଆଇ ପରୀକ୍ଷା ମାମଲାରେ ଗିରଫ କିଛି ଆଶାୟୀଙ୍କ ସହ ‘ବଣିକ୍’ର ଲିଙ୍କ ଥିବା ପୋଲିସ କହିଛି । ତେବେ ଏହି ସ୍କାମ୍ ସହ ‘ବଣିକ୍’ର କୌଣସି ସମ୍ପର୍କ ନାହିଁ ବୋଲି ପ୍ରତିଷ୍ଠାନ ମୁଖ୍ୟ ସୁବ୍ରତ ଛାଟୋଇ କହିଛନ୍ତି । ସେପଟେ ଏହି ସ୍କାମ ସହ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି OPRB। ଏସଆଇ ପରୀକ୍ଷା କେଳେଙ୍କାରୀରେ ଗିରଫ ଶତାଧିକ ଆଶାୟୀଙ୍କ ମଧ୍ୟରୁ କିଛି ଜଣଙ୍କର ଲିଙ୍କ୍ ବଣିକ୍ ସହ ଥିବା ଜଣାପଡିଛି । ତେଣୁ  ହଠାତ୍ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚ। ସେଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ସହ ବଣିକର କର୍ମଚାରୀଙ୍କୁ  ପଚାରିଥିଲା। ବଣିକର ୫ ବର୍ଷର ରେକର୍ଡ ସଂଗ୍ରହ କରିଥିଲେ ତଦନ୍ତକାରୀ ଟିମ୍। ଘଟଣାର ମୁଖ୍ୟ କାର୍ପଟଦାର ଶଙ୍କର ପୃଷ୍ଟି ସହ ବଣିକ୍ ମାଲିକ ସୁବ୍ରତ ଛାଟୋଇଙ୍କ ସହ କଣ ଥିଲା ସମ୍ପର୍କ  ତାହା ଜାଣିବାକୁ ଚାହିଁଥିଲା କ୍ରାଇମବ୍ରାଞ୍ଚ।  ଚଢାଉ ବେଳେ ସୁବ୍ରତ ଛାଟୋଇ ଉପସ୍ଥିତ ନଥିଲେ। ସେ ପରେ ସ୍ପଷ୍ଟିକରଣ ଦେଇଥିଲେ ।  ଏସଆଇ ପରୀକ୍ଷା ସହ ବଣିକର ନେଣଦେଣ ନାହିଁ କହିଥିଲେ ।

ପୂର୍ବରୁ କ୍ରାଇମବ୍ରାଞ୍ଚ ଗତ ୫ ତାରିଖରେ ଭୁବନେଶ୍ବର ରଘୁନାଥପୁରରେ ଥିବା ଶ୍ରୀ ଲିଙ୍ଗରାଜ ଇନଫୋସଲ୍ ଅନଲାଇନ ପରୀକ୍ଷା କେନ୍ଦ୍ର ଉପରେ ଚଢ଼ାଉ କରି ସିଲ୍ କରିଥିଲା। ଶଙ୍କର ପୃଷ୍ଟି ଏଠାକୁ ଆସୁଥିବା ଏବଂ ପରିକ୍ଷାର୍ଥୀଙ୍କ ପାଇଁ ଏଠାରେ ଫିକ୍ସିଂ କରିଥିବା ନେଇ ଜାଣିବାକୁ ପାଇଥିଲା। ତେଣେ ଆଇନ ମନ୍ତ୍ରୀ କହିଛନ୍ତି ଏସଆଇ ନିଯୁକ୍ତିରେ ଦୁର୍ନୀତି ଖବର ସାମ୍ନାକୁ ଆସିବା ମାତ୍ରେ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଯେଉଁମାନଙ୍କ ନାଁ ଆସିବ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।  ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ OPRB ପକ୍ଷରୁ ଏକ ପ୍ରେସ୍ ବାର୍ତ୍ତାରେ କୁହାଯାଇଛି, କ୍ରାଇମବାଞ୍ଚ ଘଟଣାର ତଦନ୍ତ କରୁଛି ଏବଂ ମାମଲାରେ ଜଡିତ ଥିବା ସମସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହ ସମସ୍ତ ପ୍ରାର୍ଥୀଙ୍କୁ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ଅନୁରୋଧ କରିଛନ୍ତି ଏହାର ଅଧ୍ୟକ୍ଷ ସୁଶାନ୍ତ ନାଥ।

ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ତରଫରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି) ଦ୍ବାରା ପରିଚାଳିତ ଏସ୍‌ଆଇ ପରୀକ୍ଷାରେ ବଡ଼ ଦୁର୍ନୀତି ସାମନାକୁ ଆସିଛି। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରି ପ୍ରାଥମିକ ପର୍ଯ୍ୟାୟରେ ୧୧୭ ପରୀକ୍ଷାର୍ଥୀ ଓ ଦୁଇ ଦଲାଲଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ଅନ୍ୟ କେତେକ ଅଭିଯୁକ୍ତଙ୍କୁ ତଦନ୍ତ ବେଳେ ଗିରଫ କରାଯାଇଛି। ଏହି କେଳେଙ୍କାରୀରେ କୋଟି କୋଟି ଟଙ୍କାର ଲାଞ୍ଚ କାରବାର ପାଇଁ ଡିଲ୍ ହୋଇଥିବା ଅଭିଯୋଗ ରହିଛି। ଏହି ଜାଲିଆତିରେ ବହୁ ପ୍ରଭାବଶାଳୀ ଓ ଉଚ୍ଚ ପଦପଦବିରେ ଥିବ‌ା ବ୍ୟକ୍ତିବିଶେଷ ସଂପୃକ୍ତ ଥିବା କୁହାଯାଉଛି। ଏସ୍‌ଆଇ ପରୀକ୍ଷା ଜାଲିଆତି ଘଟଣାରେ ଜଣେ ପୂର୍ବତନ ଡିଆଇଜିଙ୍କ ପୁଅର ସଂପୃକ୍ତ ଥିବା ନେଇ ମଧ୍ୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଥିଲା।

 

Leave a Reply

Your email address will not be published. Required fields are marked *