ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଏସିଆ କପରୁ ଓହରିବ ନାହିଁ ପାକିସ୍ତାନ। ରାତି ୮ଟାରେ ମ୍ୟାଚ ଥିବାବେଳେ ସନ୍ଧ୍ୟା ୭ଟା ସୁଦ୍ଧା ପାକିସ୍ତାନୀ ଖେଳାଳୀମାନେ ହୋଟେଲ ଛାଡ଼ି ନ ଥିବାରୁ ଦଳ ଟୁର୍ଣ୍ଣାମେଣ୍ଟରୁ ଓହରିଯିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ପାକିସ୍ତାନ କ୍ରିକେଟ ବୋର୍ଡ ଏ ନେଇ ସ୍ପଷ୍ଟ କରିଛି। ଦଳ ଆଜିର ମ୍ୟାଚ ଖେଳିବ ଏବଂ ଟୁର୍ଣ୍ଣାମେଣ୍ଟରେ ରହିବ ବୋଲି ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ଜରିଆରେ ସୂଚନା ଦେଇଛି।
ପିସିବି ମୁଖପାତ୍ର ଆମିର ମିର କହିଛନ୍ତି ଯେ, ମ୍ୟାଚ ୧ ଘଣ୍ଟା ବିଳମ୍ବରେ ହେବ। ରାତି ୮ଟା ବଦଳରେ ରାତି ୯ଟାରେ ଅନୁଷ୍ଠିତ ହେବ। ପିସିବି ମୁଖ୍ୟ ମୋହସିନ ନାକଭୀ ପୂର୍ବତନ ଅଧ୍ୟକ୍ଷ ରମିଜ ରାଜା ଏବଂ ନଜମ ସେଠୀଙ୍କ ସହିତ ଆଲୋଚନା କରୁଛନ୍ତି। ସେପଟେ ଅନଲାଇନ ଜରିଆରେ ଦୁବାଇ ସହିତ ମଧ୍ୟସ୍ଥତା ଜାରି ରହିଛି। ପାକିସ୍ତାନ-ୟୁଏଇ ମ୍ୟାଚ ଘଣ୍ଟାଏ ବିଳମ୍ବରେ ହେବ ବୋଲି ସେ କହିଥିଲେ। ଏହା ପୂର୍ବରୁ ମୋହସିନ ନାକଭୀ ଏକ ପୋଷ୍ଟରେ ସୂଚନା ଦେଇଥିଲେ ଯେ, ହୋଟେଲରୁ ଷ୍ଟାଡିୟମକୁ ଯିବା ଲାଗି ଖେଳାଳିମାନଙ୍କୁ କୁହାଯାଇଛି।









