ଅମଲା ଆନ୍ଦୋଳନ ପଛରେ ବିଜେଡିର ହାତ ଅଛି । ସୋମବାର ଅମଲା କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଅମଲା ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ମୁଁ ସ୍ପଷ୍ଟ କରୁଛି, ବିଜେଡି ଦ୍ୱାରା ପ୍ରେରିତ ହୋଇ ସଂଘର କିଛି ନେତା ଏହି ଆନ୍ଦୋଳନ ଜାରି ରଖିଛନ୍ତି । ଏହା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ
ସେମାନେ ସମସ୍ୟାର ସମାଧାନ ଚାହୁଁନାହାନ୍ତି । ବିଭିନ୍ନ ମହଲରୁ ମଧ୍ୟ ତଥ୍ୟ ଆସୁଛି ଯେ ଅମଲାଙ୍କୁ ଢାଲ କରି ସରକାର ବିରୋଧରେ ଆନ୍ଦୋଳନ କରିବା ଲକ୍ଷ୍ୟ ରଖାଯାଇଛି । ଅମଲାମାନଙ୍କ ଯାହା ଦାବି ରହିଛି ତାହା ହେଉଛି ଏହା ମୋ ପରିବାରର ସମସ୍ୟା । ସମାଧାନ ପାଇଁ ସମୟ ଲାଗିବ । ବିଧି ବ୍ୟବସ୍ଥା ଭିତରେ ହେବ କ୍ୟାଡର ପୁନଃଗଠନ । ଏହି ପ୍ରକ୍ରିୟା ଶେଷ ସୋପାନରେ ଅଛି । ବିଗତ ସରକାର ଯେତେ ସମସ୍ୟା ଛାଡ଼ିକି ଯାଇଛନ୍ତି, ଗୋଟିଏ ବି ସମସ୍ୟାର ସମାଧାନ କରିନାହାନ୍ତି ।
ଯେଉଁମାନେ ସଂଘକୁ ଭୁଲ ରାସ୍ତାରେ ନେଉଛନ୍ତି, ସେମାନଙ୍କୁ ଚିହ୍ନନ୍ତୁ । ସେମାନେ ମଙ୍ଗଳ ଚାହୁଁନାହାନ୍ତି । ଲୋକଙ୍କୁ ହଇରାଣ ନ କରି କାର୍ଯ୍ୟରେ ଯୋଗ ଦିଅନ୍ତୁ । କିଛି ଲୋକ ଏବେ ବି ଭାବୁଛନ୍ତି ବିଜେଡି ସରକାର ଚାଲିଛି । ସେମାନେ କେଉଁ ନେତାଙ୍କୁ ଭେଟୁଛନ୍ତି, ତାର ରିପୋର୍ଟ ମୋ ପାଖରେ ଅଛି । ୮ହଜାର ଅମଲାଙ୍କୁ ଆନ୍ଦୋଳନକୁ ଓହ୍ଲାଇ ସେମାନେ ଭାବୁଛନ୍ତି ସରକାରକୁ ହଇରାଣ କରିଦେବେ, ତାହା ହେବାକୁ ଦିଆଯିବ ନାହିଁ । ମୁଁ ପୁରା ବିଜେଡିକୁ କାଠଗଡ଼ାରେ ଛିଡ଼ା କରିବାକୁ ଚାହେଁନାହିଁ, କିନ୍ତୁ ସେ ସରକାରରେ ଯେଉଁମାନେ ପାୱାରଫୁଲ ଥିଲେ ଓ ସଂପୂର୍ଣ୍ଣ କ୍ଷମତା ଉପଭୋଗ କରୁଥିଲେ, ସେମାନେ ଏବେ କ୍ଷମତାରୁ ଯିବାକୁ ହଜମ କରିପାରୁନାହାନ୍ତି ।
ମୋ’ ପାଖକୁ ବିଭିନ୍ନ ଜିଲ୍ଲାର ଅମଲା କର୍ମଚାରୀ ଆସିଥିଲେ, ସେମାନେ କହୁଥିଲେ ସଂଘର ନେତା ଆମକୁ କିଛି କହୁନାହାନ୍ତି । ତେବେ ସୋମବାର ସେମାନେ କାର୍ଯ୍ୟରେ ଯୋଗ ଦେବାକୁ ରାଜି ହୋଇଛନ୍ତି । ଯେଉଁମାନେ କାର୍ଯ୍ୟରେ ଯୋଗ ଦେବେ ନାହିଁ ଓ ଯଦି ସୁଧୁରିବେ ନାହିଁ ତଥା ସରକାରକୁ ଅପଦସ୍ତ କରିବାକୁ ଚେଷ୍ଟା କରିବେ, ତାହେଲେ ରାଜସ୍ୱ ବିଭାଗ ପାଖରେ ବହୁତ ଅସ୍ତ୍ର ଅଛି, ଯାହାକୁ ସେମାନେ ସମ୍ଭାଳିପାରିବେ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଚେତାବନୀ ଦେଇ କହିଛନ୍ତି ।









