ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ; ସଂଚିତା ଅପାଙ୍କ ନିଷ୍ଠା ଓ ପ୍ରତିବଦ୍ଧତା ପ୍ରେରଣାଦାୟୀ ହୋଇରହିବ: ମୋହନ ଚରଣ ମାଝୀ

ବରିଷ୍ଠ ନେତ୍ରୀ ତଥା କୋରେଇ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ଶ୍ରୀମତୀ ସଂଚିତା ମହାନ୍ତିଙ୍କ ବିୟୋଗରେ ଭାରତୀୟ ଜନତା ପାର୍ଟିର ଅପୂରଣୀୟ କ୍ଷତି ହୋଇଛି। ଦଳ ପାଇଁ ତାଙ୍କ ନିଷ୍ଠା ଓ ପ୍ରତିବଦ୍ଧତା ପ୍ରେରଣାଦାୟୀ ହୋଇରହିବ। ସେ ଦଳ ପାଇଁ ଅନେକ ତ୍ୟାଗ ଓ ତପସ୍ୟା କରିଛନ୍ତି। ପ୍ରତିକୂଳ ପରିସ୍ଥିତିରେ ଅନେକ କାର୍ଯ୍ୟ କରି ସଂଗଠନକୁ ମଜଭୁତ କରିଛନ୍ତି। ସେ ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ କୋରେଇ ବିଧାନସଭାରେ ବିଧାୟିକା ଭାବେ କାର୍ଯ୍ୟ କରିଥିଲେ। ସେ କେବଳ ଜଣେ ଦକ୍ଷ ରାଜନେତ୍ରୀ ନୁହଁନ୍ତି ବରଂ ଜନସେବା ଓ ସାଙ୍ଗଠନିକ କାର୍ଯ୍ୟରେ ଜଣେ କର୍ମଠ ନେତ୍ରୀ ଥିଲେ। କୋରେଇ ଅଂଚଳର ବିକାଶ ଏବଂ ଜନକଲ୍ୟାଣ ପାଇଁ ନିରନ୍ତର ପରିଶ୍ରମ କରି ସାଧାରଣ ଜନତାଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରିଥିଲେ। ଏଥିସହ ଜଗନ୍ନାଥ ସଂସ୍କୃତି ଓ ଓଡିଆ ଅସ୍ମିତାର ସୁରକ୍ଷା ପାଇଁ ସଂଚିତା ଅପା ଅନେକ କାର୍ଯ୍ୟ କରିଛନ୍ତି। ତାଙ୍କର ଅନେକ ପ୍ରତିଦ୍ୱନ୍ଦ୍ୱୀ ଥିଲେ ମଧ୍ୟ କେହି ରାଜନୈତିକ ଶତ୍ରୁ ନଥିଲେ। ସେ ଜଣେ ଅତ୍ୟନ୍ତ ସ୍ନେହୀ, ମିଷ୍ଟାଭାଷୀ, ସୁସଂଗଠକ, ଅମାୟିକ, ଧର୍ମପରାୟଣା ଓ ବନ୍ଧୁବତ୍ସଳ ମହିଳା ଥିଲେ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱର୍ଗତଃ ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, ସ୍ୱର୍ଗତଃ ସଂଚିତା ଅପା ଜଣେ ସ୍ଥିତପ୍ରଜ୍ଞ ଓ ଉତ୍ସର୍ଗୀକୃତ ରାଜନେତ୍ରୀ ଥିଲେ। ସେ ଲୋକଙ୍କ ସହ ସକ୍ରିୟ ଚଳଚଂଚଳ ଓ ଜୀବନ୍ତ ସମ୍ପର୍କ ରଖିପାରୁଥିଲେ। ସେ ଯେଉଁ କାମ ଆରମ୍ଭ କରୁଥିଲେ ତାହା ଶେଷ ନହେବା ପର୍ଯ୍ୟନ୍ତ ଛାଡୁନଥିଲେ। ତାଙ୍କ ସାମାଜିକ, ରାଜନୈତିକ ସମ୍ପର୍କ ଅତ୍ୟନ୍ତ ସୁଦୃଢ ଥିଲା। କୋରେଇ ବିଧାନସଭାରେ ରେକର୍ଡ ସଂଖ୍ୟାରେ ବିଜୟୀ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ। ଦଳର ପ୍ରାରମ୍ଭରେ ଯେଉଁ କେତେଜଣ ନିସ୍ୱାର୍ଥପର କାର୍ଯ୍ୟ କରିଥିଲେ ତାଙ୍କ ଭିତରେ ସଂଚିତା ଅପା ଥିଲେ ଅନ୍ୟତମ। ନିଜର ନମ୍ରତା ଓ ଭଲପାଇବା ମାଧ୍ୟମରେ ସମସ୍ତଙ୍କୁ ନିଜର କରିପାରିଥିଲେ। ସେ ନିରନ୍ତର ସାଧନା ବଳରେ ଭାରତୀୟ ଜନତା ପାର୍ଟିକୁ ମଜବୁତ କରିଥିଲେ। ଲୋକଙ୍କ ବିଶ୍ୱାସର କେନ୍ଦ୍ରବିନ୍ଦୁ ସାଜିଥିଲେ। ତାଙ୍କର ବିଚାରଧାରାରେ ଅନୁପ୍ରାଣିତ ହୋଇ କାର୍ଯ୍ୟକର୍ତାମାନେ କାର୍ଯ୍ୟ କରିବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ସଂଚିତା ଅପାଙ୍କ ସ୍ୱର୍ଗତଃ ଆତ୍ମାର ସଦ୍‌ଗତି କାମନା କରି ନୀରବ ପାର୍ଥନା କରାଯାଇଥିଲା। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ, ସାଂସଦ ରବି ନାରାୟଣ ବେହେରା, ରାଜ୍ୟସଭା ସାଂସଦ ସୁଜିତ କୁମାର, ବିଧାୟକ ବାବୁ ସିଂ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ରାଜ୍ୟ ଉପସଭାପତି ଅଶୋକ ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ବରିଷ୍ଠ ନେତା ସୁଦୀପ୍ତ ରାୟ, ମହେଶ ମହାନ୍ତି, ଯାଜପୁର ପୂର୍ବତନ ଜିଲ୍ଲା ସଭାପତି ଗୌତମ ରାୟ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ପୁତ୍ରଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ଉପସ୍ଥିତ ରହି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ। ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ଶ୍ରଦ୍ଧାଞ୍ଜଳୀ ସଭା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *