ଆମେ ଆଉ ବ୍ଲାକମେଲିଂକୁ ସହ୍ୟ କରିବୁ ନାହିଁ ,” ଉଚିତ୍ ସମୟରେ ଉଚିତ୍ ଜବାବ ଦେବୁ – ପ୍ରଧାନମନ୍ତ୍ରୀ ମୋଦୀ

ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ସ୍ୱତନ୍ତ୍ରତାର ଦିନକୁ ନେଇ ଉତ୍ସାହର ମାହୋଲ। ଏହାରି ଭିତରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲଗାତାର ୧୨ଥର ପାଇଁ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିବା ସହ ରାଷ୍ଟ୍ର ଉଦେଶ୍ୟରେ ଅଭିଭାଷଣ ରଖିଛନ୍ତି  ପ୍ରଧାନମନ୍ତ୍ରୀ । ଅଭିଭାଷଣରେ ଅପରେସନ୍ ସିନ୍ଦୂର କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ଭାରତୀୟ ସେନାଙ୍କ ପ୍ରଶଂସା କରିବା ସହ ମଞ୍ଚରୁ ପାକିସ୍ତାନ ଉପରେ ବର୍ଷିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଆଜି, ମୁଁ ଲାଲକିଲ୍ଲାରୁ ଅପରେସନ ସିନ୍ଦୂରର ସାହସୀ ସୈନିକମାନଙ୍କୁ ସଲାମ କରିବାର ସୁଯୋଗ ପାଇଛି । ଆମର ସାହସୀ ସୈନିକମାନେ ଶତ୍ରୁମାନଙ୍କୁ ସେମାନଙ୍କ କଳ୍ପନା ବାହାରେ ଦଣ୍ଡ ଦେଇଛନ୍ତି ।” ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଭାରତ ନିଷ୍ପତ୍ତି ନେଇଛି, ଆମେ ଆଉ ପରମାଣୁ ଧମକକୁ ସହ୍ୟ କରିବୁ ନାହିଁ । ଆମେ ଆଉ ବ୍ଲାକମେଲିଂକୁ ସହ୍ୟ କରିବୁ ନାହିଁ ।” ଉଚିତ୍ ସମୟରେ ଉଚିତ୍ ଜବାବ ଦେବୁ ।

“ଅପରେସନ୍ ସିନ୍ଦୂରରେ ଦେଶବାସୀ ଆତ୍ମନିର୍ଭରଶୀଳତା ଏବଂ ଭାରତରେ ନିର୍ମିତ ଅସ୍ତ୍ରର ଶକ୍ତି ଦେଖିଛନ୍ତି, ଆମ ପାଖରେ ଯେଉଁ ଅସ୍ତ୍ର ଅଛି,  ଯାହା ଗୋଟିଏ ମୁହୂର୍ତ୍ତରେ ଶତ୍ରୁକୁ ଧ୍ୱଂସ କରିଦେଇଛି ।  ଯଦି ଆମେ ଆତ୍ମନିର୍ଭରଶୀଳ ନଥାଆନ୍ତୁ, ତେବେ ଆମେ ଚିନ୍ତିତ ହୋଇଥାଆନ୍ତୁ ଯେ ଅନ୍ୟ ଦେଶ ଆମକୁ ସାହାଯ୍ୟର ହାତ ବଢ଼ାଇବେ କି ନାହିଁ, କିନ୍ତୁ ଏହା ଆମର ଆତ୍ମନିର୍ଭରଶୀଳତା ଥିଲା ଯେ ଆମେ ଆମର ନିଜସ୍ୱ କ୍ଷମତା ବଳରେ ଏହି ଅଭିଯାନ କରିଥିଲୁ ଏବଂ ଆପଣ ଏହାର ଫଳାଫଳ ଦେଖୁଛନ୍ତି ।”

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଅପରେସନ୍ ସିନ୍ଦୂର ସେହି କ୍ରୋଧର ଏକ ପ୍ରକାଶ । ୨୨ ଏପ୍ରିଲ ପରେ, ଆମେ ଆମର ସେନାକୁ ଫ୍ରି-ହ୍ୟାଣ୍ଡ ଦେଇଥିଲୁ । ଆମ ସେନା ଶତ୍ରୁକୁ କଡ଼ା ଜବାବ ଦେଇଛନ୍ତି । ପାକିସ୍ତାନରେ ଏତେ ମାତ୍ରାରେ ଧ୍ୱଂସ ହୋଇଛି ଯେ, ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି, ନୂଆ ସୂଚନା ବାହାରକୁ ଆସୁଛି ।”

 

Leave a Reply

Your email address will not be published. Required fields are marked *