କୋଲକାତା, ହାଇଦ୍ରାବାଦ, ମୁମ୍ବାଇ ପରେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ୍ ଖେଳାଳି ଲିଓନେଲ୍ ମେସି। ଆଜି ତାଙ୍କର “GOAT Tour India 2025″ର ଶେଷ ପର୍ଯ୍ୟାୟ ପାଇଁ ସେ ଦିଲ୍ଲୀ ଯାଇଛନ୍ତି।
ସୂଚନା ମିଳିଛି ଯେ, ଖରାପ ପାଗ ଯୋଗୁଁ ମୁମ୍ବାଇରୁ ତାଙ୍କର ବିମାନ ଦିଲ୍ଲୀରେ ପହଞ୍ଚିବାକୁ ବିଳମ୍ବ ହୋଇଥିଲା। ସକାଳ ୧୦ଟା ୪୫ରେ ଦିଲ୍ଲୀରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା।କିନ୍ତୁ କୁହୁଡ଼ି ଯୋଗୁଁ ତାଙ୍କର ଚାର୍ଟର୍ଡ ବିମାନ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅପରାହ୍ନ ୨ଟା ୩୦ରେ ପହଞ୍ଚିବା ପରେ, ସେ ସିଧା ଲୀଲା ପ୍ୟାଲେସ୍ ହୋଟେଲକୁ ଯାଇଥିଲେ। ସେଠାରେ କିଛି ବଛା ବଛା ବ୍ୟକ୍ତିଙ୍କୁ ଭେଟିବା ପାଇଁ ପ୍ରାୟ ଏକ ଘଣ୍ଟା ସମୟ ବିତାଇବା ପରେ କିଛି ସମୟ ମଧ୍ୟରେ ସେ ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ, ଯାହାର ଟିକେଟ୍ ବିକ୍ରି ହୋଇସାରିଛି। ସେ ମିଆମି ଫେରିବା ପାଇଁ ବିମାନବନ୍ଦରକୁ ଯିବା ପୂର୍ବରୁ ପୁରୁଣା କିଲାରେ ଏକ ଫଟୋ ସୁଟରେ ମଧ୍ୟ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି।
ତେବେ ମେସିଙ୍କୁ ଅପେକ୍ଷା କରି ହଜାର ହଜାର ପ୍ରଶଂସକ ତାଙ୍କୁ ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଅପେକ୍ଷା କରି ରହିଛନ୍ତି।ଫୁଟବଲ୍ ସୁପରଷ୍ଟାରଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ମନରେ ଥିବା ଉତ୍ସାହ ସ୍ପଷ୍ଟ ବାରି ହୋଇପଡ଼ୁଛି। ଲୋକଙ୍କ ଗହଳିରେ ଷ୍ଟାଡ଼ିୟମ ଫାଟି ପଡ଼ୁଛି।









