ଭାରତର ସାମୁଦ୍ରିକ କ୍ଷେତ୍ର ଦ୍ରୁତଗତି ଏବଂ ଶକ୍ତି ସହିତ ଆଗକୁ ବଢ଼ୁଛି – ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ମୁମ୍ବାଇଠାରେ ଇଣ୍ଡିଆ ମେରିଟାଇମ୍ ୱିକ୍‌ ବା ଭାରତ ସାମୁଦ୍ରିକ ସପ୍ତାହ-୨୦୨୫ କାର୍ଯ୍ୟକ୍ରମ ଅନ୍ତର୍ଗତ ମେରିଟାଇମ୍ ଲିଡର୍ସ କନକ୍ଲେଭ (ସାମୁଦ୍ରିକ ନେତୃବର୍ଗଙ୍କ ସମ୍ମିଳନୀ)କୁ ସମ୍ବୋଧିତ କରିଛନ୍ତି। ସେ ମଧ୍ୟ ବିଶ୍ୱ ସାମୁଦ୍ରିକ କ୍ଷେତ୍ରର ବରିଷ୍ଠ ପଦାଧିକାରୀଙ୍କୁ ନେଇ ଆୟୋଜିତ ମଞ୍ଚ ଗ୍ଲୋବାଲ୍ ମେରିଟାଇମ୍ ସିଇଓ ଫୋରମର ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗ୍ଲୋବାଲ୍ ମେରିଟାଇମ୍ ଲିଡର୍ସ କନକ୍ଲେଭରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ। ସେ କହିଥିଲେ ଏହି କାର୍ଯ୍ୟକ୍ରମ ୨୦୧୬ରେ ମୁମ୍ବାଇରେ ଆରମ୍ଭ ହୋଇଥିଲା। ଏହା ବର୍ତ୍ତମାନ ଏକ ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀରେ ପରିଣତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। ୮୫ରୁ ଅଧିକ ଦେଶର ଅଂଶଗ୍ରହଣ ଏକ ଦୃଢ଼ ବାର୍ତ୍ତା ଦେଉଛି ବୋଲି ଶ୍ରୀ ମୋଦୀ ଆଲୋକପାତ କରି କହିଥିଲେ। ସେ କାର୍ଯ୍ୟକ୍ରମରେ ଏକତ୍ରିତ ହୋଇଥିବା ପ୍ରମୁଖ ଜାହାଜ କମ୍ପାନି, ଷ୍ଟାର୍ଟଅପ୍, ନୀତି ନିର୍ଦ୍ଧାରକ ଏବଂ ନବସୃଜନକାରୀଙ୍କ ସିଇଓଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ। ସେ କ୍ଷୁଦ୍ର ଦ୍ୱୀପ ରାଷ୍ଟ୍ରର ପ୍ରତିନିଧିମାନଙ୍କ ଉପସ୍ଥିତିକୁ ପ୍ରଶଂସା କରି କହିଥିଲେ, ସେମାନଙ୍କର ସାମୂହିକ ଦୃଷ୍ଟିକୋଣ ଶିଖର ସମ୍ମିଳନୀର ସମନ୍ୱୟ ଏବଂ ଶକ୍ତିକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି।ଏହି ସମ୍ମିଳନୀ ସମୟରେ ଜାହାଜ ଚଳାଚଳ କ୍ଷେତ୍ର ସହ ଜଡିତ ଅନେକ ପ୍ରକଳ୍ପ ଆରମ୍ଭ ହୋଇଥିବା ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ଜାହାଜ ଚଳାଚଳ କ୍ଷେତ୍ରରେ ଲକ୍ଷ ଲକ୍ଷ କୋଟି ଟଙ୍କାର ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି। ଏହା ଭାରତର ସାମୁଦ୍ରିକ କ୍ଷମତା ପ୍ରତି ବିଶ୍ୱସ୍ତରୀୟ ବିଶ୍ୱାସକୁ ପ୍ରତିଫଳିତ କରେ। କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କ ଉପସ୍ଥିତି ସେମାନଙ୍କର ସାଧାରଣ ପ୍ରତିବଦ୍ଧତାର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।ଏକବିଂଶ ଶତାବ୍ଦୀରେ ଭାରତର ସାମୁଦ୍ରିକ କ୍ଷେତ୍ର ଦ୍ରୁତଗତି ଏବଂ ଶକ୍ତି ସହିତ ଆଗକୁ ବଢ଼ୁଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ। ସେ କହିଥିଲେ ୨୦୨୫ ବର୍ଷ ଏହି କ୍ଷେତ୍ର ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରମୁଖ ସଫଳତା ହାସଲ କରିଛି। ଭାରତର ପ୍ରଥମ ଗଭୀର ଜଳ ଅନ୍ତର୍ଜାତୀୟ ଟ୍ରାନ୍ସ-ସିପମେଣ୍ଟ ହବ୍, ଭିଜିଞ୍ଜାମ ବନ୍ଦର ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇଛି। ସେ ଆହୁରି ଉଲ୍ଲେଖ କରିଥିଲେ ଯେ, ବିଶ୍ୱର ସର୍ବବୃହତ କଣ୍ଟେନର ଜାହାଜ ସମ୍ପ୍ରତି ବନ୍ଦରରେ ପହଞ୍ଚିଛି, ଯାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ। ପ୍ରଧାନମନ୍ତ୍ରୀ କହିଥିଲେ, ୨୦୨୪-୨୫ରେ, ଭାରତର ପ୍ରମୁଖ ବନ୍ଦରଗୁଡ଼ିକ ସର୍ବାଧିକ ମାଲ ପରିବହନ କରିଛନ୍ତି, ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ପ୍ରଥମ ଥର ପାଇଁ ଏକ ଭାରତୀୟ ବନ୍ଦର ଏକ ମେଗାୱାଟ-ସ୍କେଲ ସ୍ୱଦେଶୀ ସବୁଜ ହାଇଡ୍ରୋଜେନ ସୁବିଧା ଆରମ୍ଭ କରିଛି। ଏହା ହେଉଛି କାଣ୍ଡଲା ବନ୍ଦର ବୋଲି ସେ କହିଥିଲେ  ସେ ଆହୁରି କହିଥିଲେ, ଜେଏନପିଟିରେ ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରାଯାଇଛି, ଯେଉଁଠାରେ ଭାରତ ମୁମ୍ବାଇ କଣ୍ଟେନର ଟର୍ମିନାଲର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହା ଟର୍ମିନାଲର ପରିଚାଳନା କ୍ଷମତାକୁ ଦ୍ୱିଗୁଣିତ କରିଛି, ଏହାକୁ ଭାରତର ସର୍ବବୃହତ କଣ୍ଟେନର ବନ୍ଦର କରିଛି। ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ବନ୍ଦର ଭିତ୍ତିଭୂମିରେ ସର୍ବାଧିକ ବିଦେଶୀ ପୁଞ୍ଜି ନିବେଶ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ ଏବଂ ସିଙ୍ଗାପୁରର ଭାଗୀଦାରମାନଙ୍କୁ ସେମାନଙ୍କ ଅବଦାନ ପାଇଁ ବିଶେଷ କୃତଜ୍ଞତା ଜଣାଇଥିଲେ।

 

Leave a Reply

Your email address will not be published. Required fields are marked *