କାଶ ସିରପର ଗୁଣବତ୍ତା ଏବଂ ପ୍ରୟୋଗକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଦେଖା ଦେଇଥିବା ସମସ୍ୟାକୁ ନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ସଚିବ, ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ, ଆଇସିଏମଆର, ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ, ଔଷଧ ନିୟନ୍ତ୍ରକ ମହାନିର୍ଦ୍ଦେଶାଳୟ, ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର, ବିଭିନ୍ନ ଔଷଧ ନିୟନ୍ତ୍ରକ ସଂଗଠନର ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଏହି ବୈଠକରେ ଔଷଧ ଗୁଣବତ୍ତା ନିୟମ ଅନୁପାଳନର ସମୀକ୍ଷା କରାଯିବା ସହିତ କାଶ ସିରପର ଯୁକ୍ତିସଂଗତ ବ୍ୟବହାର, ବିଶେଷ କରି ଶିଶୁଙ୍କ ଠାରେ ଏହାର ପ୍ରୟୋଗକୁ ନେଇ ସତର୍କତା ଅବଲମ୍ବନ ଉପରେ ଗୁରୁତ୍ୱାରୋପ କରାଯାଇଛି। ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେପି ନଡ୍ଡା ଏହି ମାମଲାର ସମୀକ୍ଷା କରିବା ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ସହିତ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ମୁଖ୍ୟତଃ ଔଷଧ ଉତ୍ପାଦନ ୟୁନିଟଗୁଡ଼ିକରେ ଗୁଣବତ୍ତା ମାନକ ସଂକ୍ରାନ୍ତ ବ୍ୟବସ୍ଥା ଏବଂ ନିୟମ ଅନୁପାଳନ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ନିୟମ ମାନୁ ନ ଥିବା ସଂସ୍ଥାକୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଏହା ସହିତ ପିଲାଙ୍କ ଠାରେ କାଶ ସିରପର ଯୁକ୍ତିସଂଗତ ବ୍ୟବହାର ଉପରେ ଆଲୋଚନା କରାଯାଇଥିଲା। ଔଷଧର ଅଯୌକ୍ତିକ ମିଶ୍ରଣ ଏବଂ ଅନୁପଯୁକ୍ତ ଫର୍ମୁଲେସନକୁ ଏଡାଇବା ଆବଶ୍ୟକ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଏପରି ଫର୍ମୁଲେସନର ବିକ୍ରୟ ଏବଂ ଅପବ୍ୟବହାରକୁ ରୋକିବା ପାଇଁ ଖୁଚୁରା ଔଷଧ ଦୋକାନର ନିୟମକୁ ସୁଦୃଢ଼ କରିବା ନେଇ ମଧ୍ୟ ବିଚାରବିମର୍ଶ କରାଯାଇଥିଲା।ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ଛିନ୍ଦୱାଡ଼ାରେ କାଶ ସିରପ୍ ସେବନ କରି ଶିଶୁ ମୃତ୍ୟୁ ଘଟଣା ଘଟିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲା। ପୂର୍ବରୁ ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିବା ସହିତ ପ୍ରୟୋଗଶାଳାରେ ପରୀକ୍ଷା ହୋଇଥିବା କାଶ ସିରପ ନମୁନା ଯାଞ୍ଚ କରିଥିଲା। ପିଲାମାନେ ଖାଇଥିବା 19ଟି ଔଷଧ ନମୁନା ଚିକିତ୍ସା କରୁଥିବା ଘରୋଇ ଚିକିତ୍ସକ ଏବଂ ନିକଟବର୍ତ୍ତୀ ଖୁଚୁରା ଦୋକାନରୁ ସଂଗ୍ରହ କରାଯାଇଥିଲା। ବିଶ୍ଳେଷଣ କରାଯାଇଥିବା 10ଟି ନମୁନା ମଧ୍ୟରୁ 9ଟି ଗୁଣାତ୍ମକ ମାନଦଣ୍ଡ ପୂରଣ କରୁଥିବା ଜଣାପଡ଼ିଛି । ତଥାପି, ସେଗୁଡ଼ିକ ମଧ୍ୟରୁ ଗୋଟିଏ ଯଥା ‘କୋଲଡ୍ରିଫ୍’ କାଶ ସିରପରେ ଅନୁମୋଦିତ ସୀମାଠାରୁ ଅଧିକ ଡିଇଜି ଉପାଦାନ ରହିଛି। ପରବର୍ତ୍ତୀ ସମୟରେ, ତାମିଲନାଡୁ – ଏଫଡିଏ ଦ୍ୱାରା ତାମିଲନାଡୁର କାଞ୍ଚିପୁରମରେ ଅବସ୍ଥିତ ଏହି ସଂସ୍ଥାର ୟୁନିଟ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯାଞ୍ଚ ଫଳାଫଳକୁ ଆଧାର କରି ସିଡିଏସସିଓ ଦ୍ୱାରା ଉତ୍ପାଦନ ଲାଇସେନ୍ସ ବାତିଲ କରିବାକୁ ସୁପାରିସ କରାଯାଇଛି। ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ କରାଯାଇଛି।









