ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ମଗାଯାଇଥିବା ତଥ୍ୟରେ ଯେଉଁମାନେ ଯୋଗ୍ୟ ହିତାଧିକାରୀ ଥିବେ ସେମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ । ଯେଉଁମାନେ ଅଯୋଗ୍ୟ ଥିବେ ସେମାନଙ୍କ ନାମ କଟାଯିବ ।
ସୁଭଦ୍ରା ଯୋଜନାରୁ କାହିଁକି ନାମ କଟିଲା । ଏହାର କାରଣକୁ ନେଇ ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି ସୁଭଦ୍ରା ଯୋଜନାର ସମୀକ୍ଷା କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ତୃତୀୟ ପର୍ଯ୍ୟାୟରେ ବାଦ ପଡ଼ିଥିବା ୨ ଲକ୍ଷ ୮୫ ହଜାର ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଘରେ ଘରେ ସର୍ଭେ ହେବ। ଅଧିକାରୀମାନେ ଆଗାମୀ ୧୫ ଦିନ ମଧ୍ୟରେ ଫିଲ୍ଡ ଭିଜିଟ୍ କରିବେ । ତଦନ୍ତ ରିପୋର୍ଟ ଦେବେ। ଏଥିପାଇଁ ଦୁଇ ଦିନ ମଧ୍ୟରେ ଏକ ଅଭିଯୋଗ ପୋର୍ଟାଲ ଖୋଲାଯିବ। ଯେଉଁ ହିତାଧିକାରୀମାନେ ବାଦ ପଡ଼ିଛନ୍ତି, ସେମାନେ ଏହି ପୋର୍ଟାଲରେ ଅଭିଯୋଗ କରି ପୁଣି ଆବେଦନ କରିପାରିବେ। ଏହା ପରେ ପୁଣି ସେମାନଙ୍କୁ ସାମିଲ କରାଯିବ ।
ଶ୍ରୀମତୀ ପରିଡ଼ା କହିଛନ୍ତି ସୁଭଦ୍ରା ଯୋଜନାରୁ ୧୫ ହଜାର ୯୮୪ ଜଣ ମୃତ ହିତାଧିକାରୀ ବାଦ ପଡ଼ିଛନ୍ତି । ୧୮୦୫ ଜଣ ଜୀବିତ ଅଛନ୍ତି ଏବଂ ସେମାନଙ୍କୁ ସାମିଲ କରାଯିବ। ଏହାଛଡ଼ା, ୩୬ ହଜାର ୭୦୨ ଜଣ ଗାଡ଼ି କିଣିଥିବା କାରଣରୁ ବାଦ ପଡ଼ିଛନ୍ତି । ୨୧ ହଜାର ୩୫ ଜଣ ଆୟକର ଦେବା କାରଣରୁ ବାଦ ପଡ଼ିଛନ୍ତି । ୧ ଲକ୍ଷ ୩୩ ହଜାର ୬୯୧ ଜଣ ଧାନ ବିକ୍ରି ପଞ୍ଜୀକରଣ ଓ କୃଷକ ଭାବେ ପଞ୍ଜୀକରଣ କାରଣରୁ ବାଦ ପଡ଼ିଛନ୍ତି।
ସୁଭଦ୍ରା ଯୋଜନାରୁ ବଞ୍ଚିତ ଯୋଗ୍ୟ ମହିଳାମାନେ ଟଙ୍କା ପାଇବେ। ଅନେକ ଯୋଗ୍ୟ ମହିଳା ଏହି ଯୋଜନାରୁ ବାଦ ପଡ଼ିବା ଅଭିଯୋଗ ଆମ ପାଖରେ ଅଛି ସେମାନେ କାହିଁକି ବାଦ ପଡ଼ିଲେ, ସେମାନଙ୍କର ରାସନ କାର୍ଡ ଅଛି କି ନାହିଁ, କେୱାଇସି ଅପଡେଟ୍ ହୋଇଛି କି ନାହିଁ, ଏସବୁ ଯାଞ୍ଚ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ସୁଭଦ୍ରା ଯୋଜନା ହିତାଧିକାରୀଙ୍କୁ ନେଇ ଆଲୋଚନା ହୋଇଥିଲା । ବୈଠକ ପୂର୍ବରୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ପରିବହନ, ଖାଦ୍ୟ ଯୋଗାଣ ଓ ସ୍ୱାସ୍ଥ୍ୟ ବିଭାଗକୁ ତଥ୍ୟ ମାଗିଥିଲା। ପରିବହନ ବିଭାଗକୁ ଚାରି ଚକିଆ ଗାଡ଼ି ଥିବା ମହିଳାଙ୍କ ତଥ୍ୟ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରିବାକୁ କୁହାଯାଇଥିଲା।









