ରାଜ୍ୟ ସରକାର ଏନ୍‌ଏସି ସଂଖ୍ୟା ବୃଦ୍ଧି କରିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି , ୧୨ଟି ନୂଆ ଏନ୍‌ଏସି ପାଇଁ ଡ୍ରାଫ୍ଟ ନୋଟିସ୍‌ ଜାରି

ରାଜ୍ୟ ସରକାର ଏନ୍‌ଏସି ସଂଖ୍ୟା ବୃଦ୍ଧି କରିବା ପାଇଁ ଯୋଜନା ଆରମ୍ଭ କରିଦେଇଛନ୍ତି। ଏଥି ପାଇଁ ୧୨ଟି ନୂଆ ଏନ୍‌ଏସି ପାଇଁ ଡ୍ରାଫ୍ଟ ନୋଟିସ୍‌ ଜାରି କରିଛନ୍ତି। ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି ନୋଟିସରେ ଅନୁଗୁଳଜିଲ୍ଲା ପାଳଲହଡ଼ା, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର, ବାଲେଶ୍ବର ଜିଲ୍ଲା ବସ୍ତା, ମୟୂରଭଂଜ ଜିଲ୍ଲା ବେତନଟୀ, ବାଙ୍ଗିରିପୋଷି ଓ ଚିତ୍ରଡ଼ା, ରାୟଗଡ଼ା ଜିଲ୍ଲା ବିଶମକଟକ, ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଓ ବାମରା, ଭଦ୍ରକ ଜିଲ୍ଲା ତିହିଡ଼ି ଓ ଧୁଷୁରୀ, ବାଲେଶ୍ବର ଜିଲ୍ଲା ସିମୁଳିଆ ସାମିଲ ରହିଛି।

ରାଜ୍ୟ ସରକାର ରାଜ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ବୃଦ୍ଧି କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଏଥି ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞାପ୍ତି ପ୍ରକାଶ ପାଇଛି। ସରକାର ସମ୍ବଲପୁର, ଅନୁଗୁଳ, ବାଲେଶ୍ବର, ମୟୂରଭଂଜ, ରାୟଗଡ଼ା, ସୁବର୍ଣ୍ଣପୁର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏନଏସି ଗଠନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗତ ଜୁନ ମାସ ୧୧ ତାରିଖ ଦିନ କହିଥିଲେ ଯେ, ରାଜ୍ୟ ସରକାର ଖୁବ୍‌ଶୀଘ୍ର ରାଜ୍ୟବାସୀଙ୍କୁ ୧୦ରୁ ଅଧିକ ଏନ୍‌ଏସି ଏବଂ ୨ରୁ ଅଧିକ ପୌରପାଳିକା ଭେଟିଦେବେ। ଗୃହନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଥିଲେ ଯେ ରାଜ୍ୟରେ ନୂଆ ଏନ୍‌ଏସି ଏବଂ ଏନ୍‌ଏସିକୁ ପୌରପାଳିକାରେ ପରିଣତ କରିବା ନେଇ ଜିଲ୍ଲାପାଳମାନଙ୍କୁ ଫିଜିବିଲିଟି ରିପୋର୍ଟ ମଗାଯାଇଥିଲା। ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଆମେ ଏନ୍‌ଓସି ପାଇଁ ଏହାକୁ ପଞ୍ଚାୟତିରାଜ ବିଭାଗକୁ ପଠାଇଥିଲୁ। ପଞ୍ଚାୟତିରାଜ ବିଭାଗ ଏବେ ଏନ୍‌ଓସି ଦେଇଥିବାରୁ ଖୁବ୍‌ଶୀଘ୍ର ନୂଆ ଏନ୍‌ଏସି ଘୋଷଣା ହେବ। ସେହିପରି ଏନ୍‌ଏସିକୁ ପୌରପାଳିକାରେ ପରିଣତ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପ୍ରସ୍ତୁତି ଶେଷ ହୋଇଥିବାରୁ ଏହାକୁ ମଧ୍ୟ ଘୋଷଣା କରାଯିବ। ଏହାପରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।

Leave a Reply

Your email address will not be published. Required fields are marked *