ଇ-ପ୍ରଶାସନର ଜ୍ୱଳନ୍ତ ଉଦାହରଣ ପାଲଟିଛି କେନ୍ଦୁଝରର ଶୁଆକାଟି ପଞ୍ଚାୟତ

ପ୍ରଶାସନିକ କ୍ଷେତ୍ରରେ ଡିଜିଟାଲ ପ୍ରଯୁକ୍ତିର ସଦୁପଯୋଗ କରି ନାଗରିକଙ୍କୁ ସୁଶାସନ ଯୋଗାଇ ଦେଇଥିବା କେନ୍ଦୁଝର ଜିଲ୍ଲାର ଶୁଆକାଟି ପଞ୍ଚାୟତକୁ ଚଳିତ ବର୍ଷ ଜାତୀୟ ଇ-ପ୍ରଶାସନ ପୁରସ୍କାର-୨୦୨୫ ପ୍ରଦାନ କରାଯିବ। ଆସନ୍ତା ୨୨-୨୩ ତାରିଖରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଅନୁଷ୍ଠିତ ହେବାକୁ ଥିବା ୨୮ତମ ଜାତୀୟ ଇ-ପ୍ରଶାସନ ସମ୍ମିଳନୀରେ ଶୁଆକାଟି ପଞ୍ଚାୟତକୁ ସ୍ୱତନ୍ତ୍ର ବିଚାରକ ବର୍ଗରେ ଏହି ପୁରସ୍କାର ଦିଆଯିବ । ପଞ୍ଚାୟତର ସରପଞ୍ଚ କୌତୁକ ନାଏକ ସମ୍ମିଳନୀରେ ପ୍ରମାଣପତ୍ର, ଟ୍ରଫି ଏବଂ ପୁରସ୍କାର ରାଶି ଗ୍ରହଣ କରିବେ।

ଶୁଆକାଟି ବ୍ୟତୀତ ମହାରାଷ୍ଟ୍ର, ଗୁଜରାଟ ଏବଂ ତ୍ରିପୁରାର ଗୋଟିଏ ଲେଖାଏଁ ପଞ୍ଚାୟତକୁ ମଧ୍ୟ ଜାତୀୟ ଇ-ପ୍ରଶାସନ ପୁରସ୍କାର-୨୦୨୫ ପ୍ରଦାନ କରାଯିବ । ଡିଜିଟାଲ ନବସୃଜନ କିପରି ତୃଣମୂଳ ସ୍ତରରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ପ୍ରଭାବଶାଳୀ ସେବା ବିତରଣ ସୁଦୃଢ଼ ​​କରିପାରିବ ତାହା ଏସବୁ ଗ୍ରାମପଞ୍ଚାୟତ ପ୍ରମାଣିତ କରିଛନ୍ତି । ସେବା ବିତରଣକୁ ସୁଗମ ​​କରିବା ଏବଂ ଡିଜିଟାଲ୍ ପ୍ରଶାସନରେ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ ସହିତ ମିଳିତ ଭାବରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପ୍ରଥମ ଥର ପାଇଁ ଜାତୀୟ ଇ-ପ୍ରଶାସନ ପୁରସ୍କାର ୨୦୨୫ ଅନ୍ତର୍ଗତ ଏକ ସ୍ୱତନ୍ତ୍ର ପୁରସ୍କାର ଆରମ୍ଭ କରିଛନ୍ତି ।

ଶୁଆକାଟି ପଞ୍ଚାୟତ କର୍ତ୍ତୃପକ୍ଷ ଆଧୁନିକ ପ୍ରଯୁକ୍ତି ବ୍ୟବହାର କରି ନିରନ୍ତର ପଞ୍ଚାୟତବାସୀଙ୍କ କଲ୍ୟାଣ ପାଇଁ ପ୍ରୟାସ କରି ଆସୁଛନ୍ତି । ଏହି ପଞ୍ଚାୟତ ଡିଜିଟାଲ ସେବା ବିତରଣରେ ବିପ୍ଳବ ଆଣିଛି । ଏହା କେବଳ ବୈଷୟିକ ନବସୃଜନ ନୁହେଁ ବରଂ, ଏକ ସଶକ୍ତ ଏବଂ ଆତ୍ମନିର୍ଭର ପଞ୍ଚାୟତର ସ୍ୱପ୍ନ ସାକାର କରିବାର ପ୍ରେରଣାଦାୟକ ଯାତ୍ରାରେ ଅଗ୍ରସର ହେଉଛି। ଏଠାରେ ସବୁ ନାଗରିକକୁ ଦ୍ରୁତ, ସ୍ୱଚ୍ଛ ଏବଂ ସୁଗମ ସେବା ମିଳିପାରୁଛି । ଶୁଆକାଟି ପଞ୍ଚାୟତରେ ଅନଲାଇନ ସେବା ମାଧ୍ୟମରେ ଜନ୍ମ, ମୃତ୍ୟୁ, ବାସିନ୍ଦା, ବିବାହ, ଆୟ ପ୍ରମାଣପତ୍ର, ଆଧାର କାର୍ଡ ଏବଂ ଆୟୁଷ୍ମାନ କାର୍ଡ ଗୋଟିଏ କ୍ଲିକରେ ସହଜରେ ମିଳିପାରୁଛି । ନରେଗା ପୋର୍ଟାଲରେ ଶ୍ରମିକମାନଙ୍କୁ ଜବ କାର୍ଡ ଯୋଗାଇ ଦେବାର ସୁବିଧା ଦିଆଯାଇଛି । ଇ-ଗ୍ରାମ ସ୍ୱରାଜର ନିୟମିତ ଅନୁଧ୍ୟାନ କରାଯିବା ସହିତ ଗ୍ରାମୀଣ ଆବାସ ପାଇଁ ଡିଜିଟାଲ ସର୍ଭେ କରାଯାଉଛି । ଫଳରେ ପଞ୍ଚାୟତର ପ୍ରଶାସନିକ ପରିଚାଳନା ସରଳ, ସୂଚାରୁ, ସ୍ୱଚ୍ଛ ଏବଂ ପ୍ରଭାବୀ ହୋଇପାରିଛି।

Leave a Reply

Your email address will not be published. Required fields are marked *