ସମ୍ବଲପୁରରେ ନୂଆଁଖାଇ ପାଳନ କଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ‘ନୂଆଁଖାଇ’ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ସମ୍ବଲପୁର ଅଞ୍ଚଳର ଶ୍ୟାମସୁନ୍ଦର ପତିଙ୍କ ବାସଭବନରେ ନବାନ୍ନ ଖାଇ ନୂଆଁଖାଇ ପର୍ବ ପାଳନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ପ୍ରଥମେ ମାନେଶ୍ୱର ବ୍ଲକ ସିନ୍ଦୁରପଙ୍କ ଅଞ୍ଚଳ ଗସ୍ତ କରିବା ସହ ଶ୍ୟାମସୁନ୍ଦର ପତିଙ୍କ ବାସଭବନରେ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ‘ନବାନ୍ନ’ ଖାଇ ନୂଆଁଖାଇ ପାଳନ କରିଥିଲେ । ପରବର୍ତ୍ତୀ ସମୟରେ ମା’ସମଲେଶ୍ୱରୀଙ୍କ ମନ୍ଦିରକୁ ଯାଇ ମନ୍ତ୍ରୀ, ବିଧାୟକ, ଓଡ଼ିଶା ବାହାରୁ ଆସିଥିବା ବିଶିଷ୍ଟ ସାମ୍ବାଦିକଗଣ ଓ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସହ ‘ନବାନ୍ନ ପ୍ରସାଦ’ ଗ୍ରହଣ କରିଥିଲେ । ରାଜ୍ୟ ବାହାରୁ ଆସିଥିବା ଅତିଥିମାନଙ୍କ ସହ ସମ୍ବଲପୁରର କଳା, ସଂସ୍କୃତି, ଐତିହ୍ୟ, ଇତିହାସ, ପର୍ଯ୍ୟଟନ ସହ ଏଠାରେ ଥିବା ସମ୍ଭାବନା ଉପରେ ଆଲୋଚନା କରିଥିଲେ ।

ଏହି ଅବସରରେ ଶ୍ରୀ ପ୍ରଧାନ ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ନୂଆଁଖାଇ ଚାଷୀ ଏବଂ ଚାଷର ଉନ୍ନତି ଓ ସମୃଦ୍ଧିର କଥା କୁହେ । ଏହି ପର୍ବରେ ନବାନ୍ନର ସ୍ୱତନ୍ତ୍ରତା ରହିଛି । ଆଜି ଐତିହାସିକ ସିନ୍ଦୁରପଙ୍କ ଅଞ୍ଚଳକୁ ଆସିଥିଲି । ଏହି ଅଞ୍ଚଳର ଶ୍ୟାମସୁନ୍ଦର ପତିଙ୍କ ପରିବାର ସଦସ୍ୟଙ୍କ ସହ ‘ନବାନ୍ନ’ ଖାଇ ନୂଆଁଖାଇ ପାଳନ କରିବା ମୋର ସୌଭାଗ୍ୟ । ନୂଆଁଖାଇ କେବଳ ଏକ ପର୍ବ ନୁହେଁ ବରଂ ଏକ ଭାବାବେଗ । ଏହି ଦିନ ଏକାଠି ହେବା ଓ ସାଥୀ ହୋଇ ନବାନ୍ନ ଖାଇବା ଏହି ପର୍ବର ବିଶେଷତା । ଆଜିଭଳି ଏକ ପବିତ୍ର ଦିନରେ ସମ୍ବଲପୁରରେ ନୂଆଁଖାଇ ପାଳନ କରି ବହୁତ ଖୁସି ଅନୁଭବ କରୁଛି । ସପରିବାର ସ୍ନେହ, ଶ୍ରଦ୍ଧା ଓ ଆତିଥେୟତା ପାଇଁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି ।


ସେ ଆହୁରି କହିଥିଲେ ଯେ ‘ନୂଆଁଖାଇ’ରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେବା ମୋର ସୌଭାଗ୍ୟ । ଆତ୍ମୀୟତା, ଚାଷୀ ଓ ଚାଷର ଉନ୍ନତି ଏବଂ ସାଂସ୍କୃତିକ ସମାହାରର ପର୍ବ ନୂଆଁଖାଇ । ଆଜି ଭଳି ଦିନରେ ମା’ସମଲେଇଙ୍କ ମନ୍ଦିର ପରିସରରେ ଦଳୀୟ ମନ୍ତ୍ରୀ, ବିଧାୟକ, ରାଜ୍ୟ ବାହାରୁ ଆସିଥିବା ଗଣମାଧ୍ୟମର ବନ୍ଧୁ ଏବଂ ସାମାଜର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସହ ‘ନବାନ୍ନ ପ୍ରସାଦ’ ଗ୍ରହଣ କରିବାର ସୌଭାଗ୍ୟ ଲାଭ କଲି । କୃଷିଭିତ୍ତିକ ଗଣପର୍ବ ‘ନୂଆଁଖାଇ’ରେ ନବାନ୍ନର ସ୍ୱତନ୍ତ୍ରତା ରହିଛି । ନୂଆଁଖାଇ ସମସ୍ତଙ୍କ ପାଇଁ ଆଶା ଓ ସମ୍ଭାବନା ଆଣିଦେଉ । ଏହି ବିଶେଷ ଉତ୍ସବ ସମାଜରେ କରୁଣା, ଭାଇଚାରା ଓ ସୌହାର୍ଦ୍ଦ୍ୟଭାବ ଭାବନା ତିଆରି କରୁ, ଏହା ମା’ଙ୍କ ପାଖରେ ଶ୍ରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି ।

ମା ‘ସମଲେଶ୍ୱରୀ ମନ୍ଦିର ପରିସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସାଥୀରେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ସୁରେଶ ପୂଜାରୀ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଦିଲ୍ଲୀ ଏବଂ ବାହାରୁ ଆସିଥିବା ବିଶିଷ୍ଟ ସାମ୍ବାଦିକଗଣ ଓ ପ୍ରମୁଖ ବ୍ୟକ୍ତିବିଶେଷମାନେ ନବାନ୍ନ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *