ଲୁଟ୍ ପାଇଁ ବୃଦ୍ଧାଙ୍କୁ ତଣ୍ଟିଚିପି ହତ୍ୟା ଘଟଣାର ପଦ୍ଦାଫାସ, ଉଧାରି ଶୁଝିବାକୁ ଲୁଟ୍ କରିଥିଲା ମହାଦେବ

ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଅତାବିରା ଗ୍ରାମରେ ଗତ ୧୦ତାରିଖରେ ହୋଇଥିବା ଲୁଟ୍ ଜନିତ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ୍ । ଏହି ଘଟଣାରେ ପୁଲିସ୍ ହତ୍ୟା ଅଭିଯୁକ୍ତ ରେଙ୍ଗାଲି ଥାନା ଅନ୍ତର୍ଗତ ରେଙ୍ଗାଲି ଗାଁର ମହାଦେବ ପାତ୍ର (୩୬) ଓ ଲୁଟ୍ ସୁନା କିଣିଥିବା ବେଲପାହାଡ଼ ଥାନା ବେଲପାହାଡ଼ ମାଉସୀମା’ ମନ୍ଦିର ଛକର ‘ଶୋଭଜିତ ଜ୍ଵଲର୍ସ’ର ରାଜକୁମାର ରାୟ’(୪୩)କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ଲୁଟ୍ ହୋଇଥିବା ୪ଟି ସୁନା ଚେନ୍, ହଳେ ସୁନା ଚୂଡ଼ି, ୬ ହଳ କାନ ଫୁଲ, ଗୋଟିଏ ସୁନା ମୁଦି, ନଗଦ ୪୦,୨୦୦ ଟଙ୍କା, ଗୋଟିଏ ବାଇକ୍ ଓ ୩ଟି ମୋବାଇଲ୍ ଫୋନ୍ ଜବତ କରାଯାଇଥିବା ଝାରସୁଗୁଡ଼ା ଏସ୍‌ପି ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ର ଏକ ପ୍ରେସ୍ ବିବୃତିରେ ସୂଚନା ପ୍ରଦାନ କରିଛନ୍ତି । ପୁଲିସ୍ ସୂଚନା ଅନୁସାରେ, ଅଭିଯୁକ୍ତ ମହାଦେବ ଛତିଶଗଡ଼ର ଜାମଗାଁଠାରେ ଥିବା ଏକ କମ୍ପାନିରେ ଅପରେଟର ଭାବେ କାମ କରେ। ନିକଟରେ ସେ ଘର ତୋଳିବାକୁ ଅନେକ ଲୋକଙ୍କଠାରୁ ହାତ ଉଧାରି କରିଥିଲା। କିନ୍ତୁ ଟଙ୍କା ଶୁଝିବାର ବାଟ ପାଉନଥିଲା। ଲୋକେ ଟଙ୍କା ମାଗିବା ପରେ ସେ ଲୁଟ୍ କରିବାକୁ ମନସ୍ଥ କରିଥିଲା। ଅତାବିରା ଗାଁରେ ରହୁଥିବା ଲୋପାମୁଦ୍ରା ସାହୁ ଘରେ ଏକା ରହୁଥିବା ବେଳେ, ତାଙ୍କ ପରିବାରର ପ୍ରାୟ ଲୋକେ ଚାକିରିଆ ବୋଲି ସେ ଜାଣିଥିଲା| ତେଣୁ ଘଟଣା ଦିନ ପୂର୍ବରୁ ସେ ଏକାଧିକ ଥର ଅତାବିରା ଗ୍ରାମକୁ ଯାଇ ରେକି ମଧ୍ୟ କରିଥିଲା | ୧୦ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ମହାଦେବ ଉକ୍ତ ବାଇକ୍‌ରେ ଅତାବିରା ଗ୍ରାମରେ ପହଞ୍ଚି ଲୋପାମୁଦ୍ରାଙ୍କ ଘର ପଛବାଟ ଦେଇ ଭିତରେ ପ୍ରବେଶ କରିଥିଲା। ତାଙ୍କୁ ଆତଙ୍କିତ କରି ସେ ସୁନା ଗହଣା ମଧ୍ୟ ମାଗିଥିଲା। କିନ୍ତୁ ଲୋପାମୁଦ୍ରା ତା’ର ପରିଚୟ ଜାଣିଦେବା ପରେ ସେ ତାଙ୍କୁ ଖଟରେ ପକାଇ ଏକ କମ୍ବଳରେ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲା।ଏହି ଘଟଣା ପରେ ଲୋପାମୁଦ୍ରା ପିନ୍ଧିଥିବା ଏକ ସୁନା ଚେନ୍ ସମେତ ଉକ୍ତ ଘରେ ଥିବା ଆଲମିରାରୁ ଟଙ୍କା ଓ ଗହଣା ନେଇ ସେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ସେପଟେ, ୪ ଦିନ ଧରି ବୁଲାବୁଲି କରିବା ପରେ ଗତକାଲି ସନ୍ଧ୍ୟାରେ ବେଲପାହାଡ଼ସ୍ଥିତ ଉକ୍ତ କ୍ଵେଲେରିକୁ ଯାଇ ଗହଣା ଦେଇ ଟଙ୍କା ମାଗିଥିଲା| କ୍ସେଲେରି ମାଲିକ ରାଜକୁମାର ମଧ୍ୟ ୮୩ ଗ୍ରାମର ସୁନା ଗହଣା ରଖି ପ୍ରତିବଦଳରେ ଆଜି ୬ ଲକ୍ଷ ଟଙ୍କା ଦେବେ ବୋଲି ଏକ ରସିଦ୍ ବି ଦେଇଥିଲେ। କିନ୍ତୁ ଆଜି ମହାଦେବ ଟଙ୍କା ଆଣିବାକୁ କ୍ଵେଲେରିକୁ ଯିବା ପୂର୍ବରୁ ପୁଲିସ୍ ତାକୁ ଧରିବାରେ ସଫଳ ହୋଇଥିଲା।

Leave a Reply

Your email address will not be published. Required fields are marked *