ପ୍ରସିଦ୍ଧ ସଙ୍ଗୀତଜ୍ଞ ଏ.ଆର. ରହମାନଙ୍କ ବୟାନକୁ ନେଇ ତେଜିଲା ରାଜନୀତି

ପ୍ରସିଦ୍ଧ ସଙ୍ଗୀତଜ୍ଞ ତଥା ଓସ୍କାର ବିଜେତା ଏ.ଆର. ରହମାନ ନିକଟରେ ଦେଇଥିବା ସାକ୍ଷାତକାରକୁ ନେଇ ଏବେ ବିବାଦ ଉପୁଜିଛି। ସାକ୍ଷାତକାରରେ ରହମାନ କହିଛନ୍ତି ଯେ ଗତ ୮ ବର୍ଷରେ ବଲିଉଡରେ ପୂର୍ବାପେକ୍ଷା ତାଙ୍କୁ କମ କାମ ମିଳିଛି। ସେ ଏହା ବି କହିଛନ୍ତି ଯେ ଶାସନ ବଦଳିବା ଯୋଗୁ କ୍ରିଏଟିଭ ପରିବେଶ ଉପରେ ସେପରି ଭଲ ପ୍ରଭାବ ପଡି ନାହିଁ। ତାଙ୍କର ଏହି ବୟାନ ପରେ ରାଜନୈତିକ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଯାଇଛି। ତାଙ୍କ ବୟାନକୁ ନେଇ ରାଜନୈତିକ ଅଳିନ୍ଦରେ ଏବେ ବିତର୍କ ଆରମ୍ଭ ହୋଇଯାଇଛି।

ରହମାନଙ୍କୁ ଏଥିରେ ବିରୋଧୀ ଦଳମାନଙ୍କର ସମର୍ଥନ ମିଳୁଥିବା ବେଳେ ବିଜେପି ନେତାମାନେ ପ୍ରଶ୍ନ ଉଠାଇଛନ୍ତି। ସମାଜବାଦୀ ପାର୍ଟି (ସପା) ସଭାପତି ଅଖିଳେଶ ଯାଦବ ରହମାନଙ୍କ ସମର୍ଥନରେ ଏକ ବୟାନ ଜାରି କରିଛନ୍ତି। ସେ କହିଛନ୍ତି ମୁଁ ଏ.ଆର.ରହମାନଙ୍କର ଜଣେ ବଡ ପ୍ରଶଂସକ। ରହମାନଙ୍କ ଗୀତ ରିଲିଜ ହେବାମାତ୍ରେ ମ୍ୟୁଜିକ୍ ଚାର୍ଟର ଟପରେ ରହେ। ସେ କହିଛନ୍ତି ଏ.ଆର.ରହମାନ ଦେଶ ଓ ଦୁନିଆର ଜଣେ ମହାନ କଳାକାର ଓ କଳା, ସଙ୍ଗୀତ ଏବଂ ସଂସ୍କୃତିକୁ ଧର୍ମ ସହ ଯୋଡି ଦେଖିବା ଉଚିତ ନୁହେଁ।

ଏଥି ମଧ୍ୟରେ ବିହାର ସରକାରଙ୍କ ମନ୍ତ୍ରୀ ଦିଲୀପ ଜୟସ୍ୱାଲ ରହମାନଙ୍କ ବୟାନକୁ ଖାରଜ କରି କହିଛନ୍ତି ଯେ କିଛି ଲୋକଙ୍କ ମୁଣ୍ଡରେ ବିନା କାରଣରେ ହିନ୍ଦୁ-ମୁସଲମାନ ପ୍ରସଙ୍ଗ ଘର କରିଯାଇଛି। ସେ କହିଛନ୍ତି ଯେ ଦେଶରେ ଏପରି କୌଣସି ପରିସ୍ଥିତି ଉପୁଜିନାହିଁ, ଏଠାରେ ମଧ୍ୟ ସବକା ସାଥ ସବକା ବିକାଶ ନୀତିର ପାଳନ ହେଉଛି। ତେବେ କଂଗ୍ରେସ ସାଂସଦ ଇମ୍ରାନ ମସୁଦ ଏହାକୁ ଏକ ଗୁରୁତର ପ୍ରସଙ୍ଗ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଯଦି ଓସ୍କାର ବିଜେତା କଳାକାର କହୁଛନ୍ତି ମୋତେ କାମ ମିଳୁନି ତେବେ ଏହା ନିଶ୍ଚିତ ରୂପେ ଚିନ୍ତାର କଥା।

ମସୁଦ କହିଛନ୍ତି ଯେ ଯଦି କାହାରିକୁ ତାଙ୍କ ଧର୍ମ ଆଧାରରେ କାମ ମିଳୁନି ତେବେ ଏହା ସାରା ଦେଶ ନିମନ୍ତେ ନିଶ୍ଚିତ ରୂପେ ଗୁରୁତର ପ୍ରଶ୍ନ। ଉଲ୍ଲେଖଯୋଗ୍ୟ ଯେ ଏ.ଆର.ରହମାନ ବିବିସି ଏସିୟାନ ନେଟୱାର୍କକୁ ଦେଇଥିବା ବୟାନରେ କହିଛନ୍ତି ଯେ ‘ମୋତେ ଲାଗୁଛି ନିଷ୍ପତ୍ତି ନେବାର କ୍ଷମତା କ୍ରିଏଟିଭ ହାତରୁ ଚାଲିଯାଇଛି’। ଏଣୁ ତାଙ୍କୁ ମିଳିବାକୁ ଥିବା ଅବସର ଉପରେ ପ୍ରଭାବ ପଡିଛି। ଏହି ବୟାନ କାରଣରୁ ସେ ଏବେ ବିବାଦରେ ଘେରି ଯାଇଛନ୍ତି। ଏପରିକି ଲେଖିକା ଶୋଭା ଦେ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି।

ଏ.ଆର. ରହମାନ କହିଛନ୍ତି ‘ବୋଧେ ଗତ ୮ ବର୍ଷ ହେଲା କ୍ଷମତା ସେହି ଲୋକଙ୍କ ହାତକୁ ସିଫ୍ଟ ହୋଇଯାଇଛି ଯେଉଁମାନେ କ୍ରିଏଟିଭ ନୁହନ୍ତି’। ତେବେ ଏହାର କାରଣ ମଧ୍ୟ ସ୍ପଷ୍ଟ ନୁହେଁ। ସେ କହିଛନ୍ତି ଯେ ଏହା ସାମ୍ପ୍ରଦାୟିକତାର ପ୍ରସଙ୍ଗ ମଧ୍ୟ ହୋଇ ପାରେ। ତେବେ ମୁଁ କାମ ଖୋଜୁ ନାହିଁ, ମୁଁ କାମ ଖୋଜିବାକୁ ଯିବା ଲାଗି ମଧ୍ୟ ଚାହେଁନା। ମୁଁ ଚାହୁଁଛି କାମ ମୋ ପାଖକୁ ଆସୁ। ମୋତେ ମୋ ଯୋଗ୍ୟତା ଅନୁସାରେ କାମ ମିଳୁ।

Leave a Reply

Your email address will not be published. Required fields are marked *