ଭାରତ ପାଇଁ ଖୁସିର ଖବର। ଗୁଜରାଟର ଅହମ୍ମଦାବାଦ ସହରକୁ ମିଳିଛି ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନର ଅଧିକାର। ଗ୍ଲାସଗୋରେ ଅନୁଷ୍ଠିତ ୭୪ ରାଜ୍ୟଗୋଷ୍ଠୀ ସଦସ୍ୟଙ୍କ ବୈଠକରେ ଏ ନେଇ ମୋହର ବାଜିଛି। ଭାରତ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଏକ ଆକର୍ଷଣୀୟ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲା। ଏଥିପାଇଁ ଅହମ୍ମଦାବାଦକୁ ମନୋନୀତ କରିଥିଲା ଭାରତ। ଏବେ ଅହମ୍ମଦାବାଦ ରାଜ୍ୟଗୋଷ୍ଠୀ କ୍ରୀଡାର ୧୦୦ତମ ସଂସ୍କରଣକୁ ଭବ୍ୟତାର ସହ ଆୟୋଜନ କରିବାକୁ ପ୍ରସ୍ତୁତ।
ଭାରତ ଶେଷ ଥର ପାଇଁ ୨୦୧୦ରେ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ କରିଥିଲା। ଉକ୍ତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରାୟ ୭୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ସେହି ସଂସ୍କରଣରେ ଭାରତୀୟ ଖେଳାଳିମାନେ ୧୦୧ ପଦକ ଜିତି ଏକ ଐତିହାସିକ ସଫଳତା ହାସଲ କରିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରଥମ ଥର ପାଇଁ ୧୯୩୦ରେ କାନାଡା ଦ୍ୱାରା ଆୟୋଜିତ ହୋଇଥିଲା। ଏବେ ଭାରତର ଅହମ୍ମଦାବାଦ ସହର ୧୦୦ତମ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ କରିବାକୁ ପ୍ରସ୍ତୁତ।
ଚାଲିଛି ଜୋରଦାର ପ୍ରସ୍ତୁତି
ଗତ କିଛି ମାସ ମଧ୍ୟରେ ଅହମ୍ମଦାବାଦରେ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିଅନସିପ୍, ଏସୀୟ ଆକ୍ଵାଟିକ ଚାମ୍ପିଅନସିପ୍ ଏବଂ AFC U-17 ଏସୀୟ କପ୍ ଯୋଗ୍ୟତା ପର୍ଯ୍ୟାୟ ଭଳି ଇଭେଣ୍ଟ ଆୟୋଜନ କରାଯାଇଛି। ଭବିଷ୍ୟତରେ ଏସୀୟ ଭାରୋତ୍ତୋଳନ ଚାମ୍ପିଅନସିପ୍, ଏସିଆ ପାରା-ତୀରନ୍ଦାଜୀ କପ୍ ଏବଂ ୨୦୨୯ ବିଶ୍ଵ ପୋଲିସ ଏବଂ ଅଗ୍ନିଶମ ଖେଳ ମଧ୍ୟ ଏଠାରେ ଅନୁଷ୍ଠିତ ହେବ। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ପୋର୍ଟ୍ସ ଏନକ୍ଲେଭରେ ଏକ ବିଶାଳ କମ୍ପ୍ଲେକ୍ସର ନିର୍ମାଣ କରାଯାଉଛି। ଏଥିରେ ବିଶ୍ଵର ସର୍ବବୃହତ ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମ ସହିତ ଏକ ଆକ୍ଵାଟିକ କେନ୍ଦ୍ର, ଏକ ଫୁଟବଲ୍ ଷ୍ଟାଡିୟମ ଏବଂ ଇନଡୋର ଆରେନା ଅନ୍ତର୍ଭୁକ୍ତ ହେବ। ଏହି କମ୍ପ୍ଲେକ୍ସ ମଧ୍ୟରେ ୩ ହଜାର ଖେଳାଳିଙ୍କ ପାଇଁ ଏକ କ୍ରୀଡ଼ା ଗ୍ରାମ ମଧ୍ୟ ନିର୍ମାଣ କରାଯିବ।
ଭାରତ ପ୍ରଥମ ଥର ପାଇଁ ୧୯୩୪ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିଲା। ଏହି କ୍ରୀଡ଼ାରେ ଭାରତ ଏ ପର୍ଯ୍ୟନ୍ତ ମୋଟ୍ ୫୬୪ ପଦକ ଜିତିଛି। ଏଥିରେ ୨୦୨ ସ୍ୱର୍ଣ୍ଣ, ୧୯୦ ରୌପ୍ୟ ଏବଂ ୧୭୧ କାଂସ୍ୟ ପଦକ ସାମିଲ୍। ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ନୂଆଦିଲ୍ଲୀ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କରିଥିଲା। ଏହି ସଂସ୍କରଣରେ ଭାରତୀୟ ଆଥଲେଟ୍ ମୋଟ ୧୦୧ ପଦକ ଜିତିଥିଲା। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇଂଲଣ୍ଡର ବର୍ମିଂହାମରେ ଆୟୋଜନ କରାଯାଇଥିଲା। ଏଥିରେ ଭାରତ ୬୧ ପଦକ ଜିତିଥିଲା। ସୂଚନାଯୋଗ୍ୟମ, ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଅନୁଷ୍ଠିତ ହେବାକୁ ଯାଉଛି।









