ଆସାମ ରାଜନୀତିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତେବେ ଏହା ଏକ ପଦକ୍ଷେପ ମାତ୍ର, କାରଣ ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ସେ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ।ଆସାମରେ ନୂତନ ସରକାରର ଶପଥ ଗ୍ରହଣ ସମାରୋହ ଆସନ୍ତା ମେ ୧୨ ତାରିଖରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର ସମସ୍ତ ବରିଷ୍ଠ ନେତୃତ୍ୱ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି। ପଶ୍ଚିମବଙ୍ଗ ଏବଂ ଆସାମରେ ବିଜେପିର ବିପୁଳ ବିଜୟ ପରେ ଏହି ସମାରୋହକୁ ଏକ ଶକ୍ତି ପ୍ରଦର୍ଶନ ଭାବେ ଦେଖାଯାଉଛି। ସୂଚନା ଅନୁଯାୟୀ, ହିମନ୍ତ ବିଶ୍ୱଶର୍ମା ଲଗାତାର ତୃତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଅଧିକ ରହିଛି। ରାଜ୍ୟପାଳଙ୍କୁ ଭେଟିବା ପରେ ହିମନ୍ତ ରାଜ୍ୟବାସୀଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ଜଣାଇ କହିଛନ୍ତି, “ଆସାମର ଲୋକମାନେ ଆମ ସରକାର ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଅକୁଣ୍ଠ ବିଶ୍ୱାସ ରଖିଛନ୍ତି। ସେମାନେ ଚାହୁଛନ୍ତି ଯେ ଆସାମରେ ବିକାଶର ଗଙ୍ଗା ଅବିରତ ପ୍ରବାହିତ ହେଉ।”
ମୁଖ୍ୟମନ୍ତ୍ରୀ କିଏ ହେବେ ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ହିମନ୍ତ କହିଛନ୍ତି ଯେ, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ ଏବଂ ସେଠାରେ ହିଁ ବିଧିବଦ୍ଧ ଭାବେ ଆସାମର ନୂଆ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେବେ।







