ଆଜିଠାରୁ ସମଗ୍ର ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଅର୍ଥାତ୍ PUCC ଯାଞ୍ଚ କଡ଼ାକଡ଼ି କରାଯାଇଛି । ପୂର୍ବରୁ ଏପ୍ରିଲ ପହିଲା ପର୍ଯ୍ୟନ୍ତ ଏହି ଯାଞ୍ଚକୁ କିଛି ମାତ୍ରାରେ କୋହଳ ରଖାଯାଇଥିଲେ ମଧ୍ୟ, ଏପ୍ରିଲ ୨ ତାରିଖରୁ ଏହାକୁ ଜୋରଦାର କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପରିବହନ ବିଭାଗ ଓ ଟ୍ରାଫିକ ପୋଲିସ ମିଶିଥିବା ଦଳ ଦ୍ୱାରା ବିଶେଷ ଯାଞ୍ଚ ଚାଲିଛି। ଯେଉଁ ଗାଡ଼ି ଚାଳକମାନେ ନିୟମ ଉଲଂଘନ କରୁଛନ୍ତି, ସେମାନଙ୍କୁ ତୁରନ୍ତ ଜରିମାନା କରାଯାଉଛି । ଆପଣଙ୍କ ଗାଡ଼ିର ପ୍ରଦୂଷଣ ଯାଞ୍ଚ କରିଛନ୍ତି ତ ? ଯଦି କରି ନାହାନ୍ତି ତେବେ ହୋଇଯାନ୍ତୁ ସାବଧାନ । କାରଣ ଆପଣଙ୍କ ଅବହେଳା ଆପଣଙ୍କୁ ମହଙ୍ଗା ପଡିପାରେ। ଟୋଲ ଗେଟ ଅତିକ୍ରମ କରୁଥାନ୍ତୁ ବା ଯାଞ୍ଚ ଅଧିକାରୀଙ୍କ ନଜରରେ ଆସନ୍ତୁ, ଆପଣଙ୍କୁ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା । ଭୁବନେଶ୍ୱରରୁ ପୁରୀ ରାସ୍ତାରେ ଯାଞ୍ଚ ଅଧିକାରୀମାନେ ରାସ୍ତାରେ ଗାଡି ଅଟକାଇ ଗାଡିର କାଗଜପତ୍ର ଯାଞ୍ଚ କରିଥିଲେ । ପ୍ରାୟ ଅଧିକାଂଶ ଗାଡିର ନଥିଲା ପିୟୁସି ସାର୍ଟିଫିକେଟ। ଗାଡି ଚାଳକମାନେ ଏହାର ସଠିକ ପ୍ରମାଣ ଦେଇପାରିବାରେ ଅସମର୍ଥ ହେବାରୁ କଟିଥିଲା ଚାଲାଣ । ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସଡ଼କ ସୁରକ୍ଷାକୁ ଆହୁରି ମଜଭୁତ କରିବା ପାଇଁ ଚାଲିଥିବା ବିଶେଷ ଅଭିଯାନକୁ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାର୍ଚ୍ଚ ୨୧ରୁ ଆରମ୍ଭ ହୋଇଥିବା ଏହି ଅଭିଯାନର ଲକ୍ଷ୍ୟ ହେଉଛି ସଡ଼କ ଦୁର୍ଘଟଣା କମାଇବା ସହିତ ଲୋକମାନଙ୍କୁ ସଚେତନ କରିବା। ଏହି ଅଭିଯାନରେ ସମଗ୍ର ରାଜ୍ୟରେ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ, ଅନ୍ୟ ପଟେ ନିୟମ ଭଙ୍ଗ କରୁଥିବା ଚାଳକମାନଙ୍କୁ କଠୋର ଭାବରେ ନିୟନ୍ତ୍ରଣ କରାଯାଉଛି। ବିଶେଷକରି PUCC ସାର୍ଟିଫିକେଟ୍ ପାଇଁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମୟସୀମା ଦିଆଯାଇଥିଲା। ଯେଉଁ ଗାଡ଼ିମାନଙ୍କର ପ୍ରଦୂଷଣ ପ୍ରମାଣପତ୍ର ନବୀକରଣ ହୋଇନାହିଁ, ସେମାନଙ୍କୁ ଜରିମାନା ଦେବାକୁ ହେବ। ବୈଧ PUCC ସାର୍ଟିଫିକେଟ୍ ନଥିଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ ବୋଲି ପରିବହନ ବିଭାଗ ସ୍ପଷ୍ଟ କରିଛି। ପିୟୁସି ସାର୍ଟିଫିକେଟ ସମେତ ଗାଡିର ସମସ୍ତ କାଗଜପତ୍ର ଯାଞ୍ଚ ପାଇଁ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯାଇଛି । ଏହାସହ ଗାଡ଼ିମାନଙ୍କ ପାଇଁ ଗ୍ରିନ୍ ଷ୍ଟିକର୍ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ପରିବହନ ବିଭାଗ ପକ୍ଷରୁ ସମସ୍ତ ଆରଟିଓ କାର୍ଯ୍ୟାଳୟରେ ମାଗଣାରେ ଏହି ଗ୍ରିନ୍ ଷ୍ଟିକର୍ ଦିଆଯାଉଛି ।







