ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଅଧୀନରେ ଦେଶରେ ଚାଲୁଥିବା ମଳ ବର୍ଜ୍ୟ ପରିଚାଳନା (ଏଫଏସଏମ)ର ବିଭିନ୍ନ ମଡେଲ ଉପରେ ଆଲୋଚନା ପାଇଁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ଜାନୁଆରୀ ୬, ୨୦୨୬ରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ଜିଲ୍ଲାମାନଙ୍କ ସହ ଏକ ଭର୍ଚୁଆଲ୍ ବୈଠକ ଆୟୋଜନ କରିଥିଲା।
ଏହି ଭର୍ଚୁଆଲ୍ ଆଲୋଚନାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସି.ଆର. ପାଟିଲ ଅଧ୍ୟକ୍ଷତା କରିଥିଲେ। ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭି. ସୋମନ୍ନା, ପାନୀୟ ଜଳ ଓ ପରିମଳ ବିଭାଗର ସଚିବ ଶ୍ରୀ ଅଶୋକ କେ.କେ. ମୀନା ଏବଂ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ)ର ମିଶନ ନିର୍ଦ୍ଦେଶକ ଶ୍ରୀମତୀ ଐଶ୍ୱର୍ଯ୍ୟା ସିଂହ ଏଥିରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ସିଇଓ, ପଞ୍ଚାୟତ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ମଧ୍ୟ ଭର୍ଚୁଆଲ୍ ଭାବେ ଯୋଗ ଦେଇଥିଲେ।

ଏହି ଆଲୋଚନାର ମୂଖ୍ୟ ଉଦ୍ଦେଶ୍ୟ ଥିଲା ଦେଶର ବିଭିନ୍ନ ଅଞ୍ଚଳରେ ସଫଳ ଓ ବିସ୍ତାରଯୋଗ୍ୟ ଏଫଏସଏମ ମଡେଲଗୁଡ଼ିକୁ ଅନୁକରଣ କରିବା। ଏହା ସହ ସମଗ୍ର ପରିମଳ ମୂଲ୍ୟ ଶୃଙ୍ଖଳ ଉପରେ ଗୁରୁତ୍ୱ ଦେଇ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ଜିଲ୍ଲାମାନଙ୍କ ମଧ୍ୟରେ ପାରସ୍ପରିକ ଶିକ୍ଷାକୁ ମଜବୁତ କରିବା ଏବଂ ଶୌଚାଳୟ ନିର୍ମାଣ ସହ ସୁରକ୍ଷିତ ପରିମଳ ବ୍ୟବସ୍ଥାର ଗୁରୁତ୍ୱକୁ ଆହୁରି ଦୃଢ଼ କରିବା।
ଏହି ଅବସରରେ ଗୁଜରାଟ, ସିକିମ୍, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଓଡ଼ିଶା, ଲଦାଖ ଓ ତ୍ରିପୁରାର ପ୍ରତିନିଧିମାନେ ସେମାନଙ୍କ ବ୍ୟବହାରିକ ଅଭିଜ୍ଞତା ବାଣ୍ଟିବା ସହ ମଡେଲ୍ ଉପସ୍ଥାପନ କରିଥିଲେ। ଏଥିରେ ଇନ୍-ସିଟୁ ଟ୍ରିଟମେଣ୍ଟ, ସାମୁଦାୟିକ ସମାଧାନ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ପଞ୍ଚାୟତ ସହ ମିଶି କାର୍ଯ୍ୟକାରୀ ପରିଚାଳନା ଓ ରକ୍ଷଣାବେକ୍ଷଣ, ମଳ ବର୍ଜ୍ୟ ଟ୍ରିଟମେଣ୍ଟ ପ୍ଲାଣ୍ଟର ସ୍ଥାୟୀତ୍ୱ ଏବଂ ଏଫଏସଏମ ପାଇଁ ସହର–ଗ୍ରାମ ସଂଯୋଗ ଭଳି ବିଷୟ ସାମିଲ ଥିଲା। ବିଶୋଧିତ ମଳ ବର୍ଜ୍ୟ ଓ ବର୍ଜ୍ୟଜଳକୁ ସୁରକ୍ଷିତ ଭାବେ ସଂଗ୍ରହ, ପରିବହନ, ଚିକିତ୍ସା ଓ ପୁନଃବ୍ୟବହାର କରିବା ପ୍ରୟାସ ଉପରେ ମଧ୍ୟ ଆଲୋଚନା ହୋଇଥିଲା। କେତେକ ମଡେଲ୍ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରିବା ସହିତ ସମ୍ପ୍ରଦାୟ ସ୍ତରରେ ନିଯୁକ୍ତି ସୃଷ୍ଟି ସୁଯୋଗ ମଧ୍ୟ ପ୍ରଦାନ କରିଥିଲେ।
ଏହି ଆଲୋଚନା ସମୟରେ ରାଜ୍ୟଗୁଡ଼ିକ ଦେଶର ବିଭିନ୍ନ ଅଞ୍ଚଳରୁ ଅନେକ ଅଭିନବ ଓ ବିସ୍ତାରଯୋଗ୍ୟ ଏଫଏସଏମ ମଡେଲ୍ ଉପସ୍ଥାପନ କରିଥିଲେ। ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ କିନ୍ନର ସମ୍ପ୍ରଦାୟ ପରିଚାଳିତ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ମଳ ବର୍ଜ୍ୟ ଟ୍ରିଟମେଣ୍ଟ ପ୍ଲାଣ୍ଟର ସଫଳ ପରିଚାଳନା କରୁଛି। ଏହି ମଡେଲ୍ ପରିମଳ ସେବାକୁ ସମାବେଶୀ ଓ ସ୍ଥାୟୀ କରିବା ସହ କିନ୍ନର ସମ୍ପ୍ରଦାୟ ପାଇଁ ମର୍ଯ୍ୟାଦାପୂର୍ଣ୍ଣ ଜୀବିକା ସୃଷ୍ଟି କରୁଛି। ଏହା ସାମାଜିକ ଅନ୍ତର୍ଭୁକ୍ତି ଓ ଅବହେଳିତ ଗୋଷ୍ଠୀଙ୍କ ଆର୍ଥିକ ସଶକ୍ତିକରଣର କ୍ଷେତ୍ରରେ ସମ୍ପ୍ରଦାୟ-ଭିତ୍ତିକ ଉଦ୍ୟୋଗଗୁଡ଼ିକର ଶକ୍ତିକୁ ଦର୍ଶାଏ।









