ଆଜି ହେଉଛି ସମ୍ବିଧାନ ଦିବସ, ଯାହା ପ୍ରତିବର୍ଷ ୨୬ ନଭେମ୍ବରରେ ପାଳନ କରାଯାଏ । ୧୯୪୯ ମସିହା ଆଜିର ଦିନରେ ଭାରତ ନିଜ ସମ୍ବିଧାନକୁ ଅଙ୍ଗୀକାର ବା ଗ୍ରହଣ କରିଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିର ଏହି ବିଶେଷ ସମାରୋହର ନେତୃତ୍ୱ ନେଇଛନ୍ତି । ପୁରୁଣା ସଂସଦ ଭବନର ଐତିହାସିକ କେନ୍ଦ୍ରୀୟ କକ୍ଷ (ସେଣ୍ଟ୍ରାଲ ହଲ୍)ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ନିଜର ଉଦ୍ବୋଧନ ଦେବାବେଳେ ରାଷ୍ଟ୍ରପତି ମୁର୍ମୁ ସମ୍ବିଧାନ ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି , ଭାରତର ଗଣତନ୍ତ୍ର ବିଶ୍ୱ ପାଇଁ ଏକ ଉଦାହରଣ । ଭାରତ ଖୁବଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ।
ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାଲାୟାଲମ୍, ମରାଠୀ, ନେପାଳୀ, ପଞ୍ଜାବୀ, ବୋଡୋ, କାଶ୍ମୀରୀ, ତେଲୁଗୁ, ଓଡ଼ିଆ ଏବଂ ଅହମିୟା (ଆସାମୀ) ସମେତ ୯ଟି ଭାଷାରେ ସମ୍ବିଧାନର ଅନୁବାଧିତା ସଂସ୍କରଣ ଜାରି କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, “ସମ୍ବିଧାନ ଦିବସର ଏହି ଐତିହାସିକ ଅବସରରେ ଆପଣମାନଙ୍କ ଗହଣରେ ଉପସ୍ଥିତ ରହି ମୁଁ ଅତ୍ୟନ୍ତ ଖୁସି । ଆଜିର ଦିନରେ ଆମେ ଭାରତବାସୀ ନିଜ ସମ୍ବିଧାନକୁ ଅଙ୍ଗୀକାର କରିଥିଲୁ । ସ୍ୱାଧୀନତା ପରେ ସମ୍ବିଧାନ ସଭା ଭାରତର ଅନ୍ତରୀଣ ସଂସଦ ଭାବରେ ମଧ୍ୟ କାର୍ଯ୍ୟ କରିଥିଲା। ଚିଠା କମିଟିର ଅଧ୍ୟକ୍ଷ ବାବା ସାହେବ ଡ. ଭୀମରାଓ ଆମ୍ବେଦକର ଆମ ସମ୍ବିଧାନର ପ୍ରମୁଖ ନିର୍ମାତାମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ।”









