ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ: ତାଲିମ କେନ୍ଦ୍ର ବୁଝୁଥିବା ସାଗର କୁମାର ଗୌଡ଼ ଗିରିଫ

ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚ ଶଙ୍କର ପୃଷ୍ଟି ଓ ଅରବିନ୍ଦ ଦାସଙ୍କୁ ରିମାଣ୍ଡରେ ଆଣି ଜେରା କରିବା ପରେ ଆଉ ଏକ ବଡ଼ ଚେହେରା ସାମନାକୁ ଆସିଛି। ଦୀଘାରେ ପୁଲିସ ଏସ୍‌ଆଇ ପରୀକ୍ଷା ବାବଦ ତାଲିମ କେନ୍ଦ୍ର ବୁଝୁଥିଲା ସାଗର କୁମାର ଗୌଡ଼। ସେ ସେଠାରେ ତାଲିମ ଦେବାକୁ ଥିବା ଶିକ୍ଷକ ଓ ତାଲିମ ନେବାକୁ ଥିବା ପ୍ରାର୍ଥୀଙ୍କୁ ଏକାଠି କରିବା ଦାୟିତ୍ବରେ ଥିଲା। ଦକ୍ଷିଣ ଓଡ଼ିଶା ପଟେ ଯେମିତି ମୁନା ମହାନ୍ତି ପ୍ରାର୍ଥୀ ଯୋଗାଡ଼ କରିବାଠାରୁ ଆରମ୍ଭ କରି ବିଜୟନଗରମରେ ପ୍ରାର୍ଥୀଙ୍କୁ ତାଲିମ ଦେବା ଭଳି କାମରେ ସାମିଲ ଥିଲା, ସେଭଳି କାମ ସାଗର କରୁଥିଲା। ତେବେ ସାଗରକୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ ତାକୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି।

ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍ କ୍ୟାମ୍ପସରେ ରହୁଥିବା ବାଲିପଡ଼ାର ସାଗର  ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସେ ହେଉଛି ପଞ୍ଚସଫ୍ଟ ଟେକ୍ନୋଲଜିର ମାଲିକ ଶଙ୍କର ପୃଷ୍ଟିର ଖାସ୍ ସହଯୋଗୀ। ବାଲେଶ୍ବର ପଟେ ଆଶାୟୀ ପ୍ରାର୍ଥୀଙ୍କୁ ଏକାଠି କରିବା ପଛରେ ସାଗରର ବଡ଼ ଭୂମିକା ଥିଲା। ସେ ଶଙ୍କରର ନିର୍ଦ୍ଦେଶ ଅନୁଯାୟୀ, ପଶ୍ଚିମବଙ୍ଗର ଦୀଘାରେ ଏକ ହୋଟେଲରେ ଆଶାୟୀ ପ୍ରାର୍ଥୀଙ୍କ ତାଲିମ ପାଇଁ ସମସ୍ତ ପ୍ରକାର ରହିବା ବ୍ୟବସ୍ଥା କରିଥିଲା। ସେପ୍ଟେମ୍ବର ୨୯ରେ ସାଗର ଦୀଘା ଯାଇଥିଲା। ସେଠାରେ ପୂର୍ବରୁ ଶଙ୍କରର ଅନ୍ୟତମ ଖାସ୍ ସହଯୋଗୀ ଅରବିନ୍ଦ ଦାସ ମାଧ୍ୟମରେ ଏକ ହୋଟେଲ୍ ବୁକ୍ ହୋଇଥିଲା। ହୋଟେଲ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲା। ଏହି ହୋଟେଲରେ ରହିବାକୁ ଥିବା ୧୧୦ ଆଶାୟୀଙ୍କୁ ଯୋଗାଡ଼ କରିଥିଲା ସାଗର। ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଏହି ଆଶାୟୀଙ୍କୁ ସଂଗ୍ରହ କରାଯାଇଥିଲା। ଦୀଘା ହୋଟେଲରେ ଆଶାୟୀ ରହିବା ପାଇଁ ଯେଉଁ ୩୫ ହଜାର ଟଙ୍କା ଅଗ୍ରୀମ ଦିଆଯାଇଥିଲା, ଏହାରି ପଛରେ ସାଗରର ବି ସମ୍ପୃକ୍ତି ରହିଛି। ଉଭୟ ଶଙ୍କର ଓ ଅରବିନ୍ଦଙ୍କୁ ରିମାଣ୍ଡରେ ଆଣି ଜେରା କରିବା ପରେ ସାଗରର ପରିଚୟ ସାମନାକୁ ଆସିଥିଲା। ତାଙ୍କୁ କ୍ରାଇମବ୍ରାଞ୍ଚ ଶେଷରେ ଗିରଫ କରିଛି। କ୍ରାଇମବ୍ରାଞ୍ଚ ଦ୍ବାରା ବର୍ତ୍ତମାନ ସୁଦ୍ଧା ମୋଟ ୧୨୬ ଜଣ ଗିରଫ ହୋଇସାରିଲେଣି।

Leave a Reply

Your email address will not be published. Required fields are marked *