ଚଳିତ ବର୍ଷ ନଭେମ୍ବର ୭, ୨୦୨୫ ତାରିଖରେ ଭାରତର ଜାତୀୟ ଗୀତ ବନ୍ଦେ ମାତରମକୁ ୧୫୦ ବର୍ଷ ପୂରଣ ହେଉଛି। ଏହି ଗୀତର ଅର୍ଥ ହେଉଛି ମା’ଙ୍କ ବନ୍ଦନା। ଏହି ଗୀତ ଅଗଣିତ ସ୍ୱାଧୀନତା ସଂଗ୍ରାମୀ, ରାଷ୍ଟ୍ର ନିର୍ମାତାଙ୍କ ପିଢ଼ିକୁ ଅନୁପ୍ରାଣିତ କରିବା ସହିତ ଭାରତର ଜାତୀୟ ପରିଚୟ ଏବଂ ସାମୂହିକ ଭାବନାରେ ପରିଣତ ହୋଇଛି। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ରଚିତ ଏହି ଗୀତ ୭ ନଭେମ୍ବର ୧୮୭୫ରେ ପ୍ରଥମ ଥର ପାଇଁ ବଙ୍ଗଦର୍ଶନ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା। ପରେ ୧୮୮୨ରେ ପ୍ରକାଶିତ ନିଜ ଉପନ୍ୟାସ ‘ଆନନ୍ଦମଠ’ରେ ଶ୍ରୀ ଚାଟାର୍ଜୀ ଏହାକୁ ବ୍ୟବହାର କରିଥିଲେ। ରବୀନ୍ଦ୍ର ନାଥ ଠାକୁର ଏହି ଗୀତକୁ ସ୍ୱର ଦେଇଥିଲେ। ଏହା ଅନେକ ବର୍ଷ ଧରି ଭାରତର ସଭ୍ୟତାଗତ, ରାଜନୈତିକ ଏବଂ ସାଂସ୍କୃତିକ ଚେତନାର ଅଭିନ୍ନ ଅଙ୍ଗ ହୋଇଆସିଛି।
ବନ୍ଦେ ମାତରମ ଗୀତର ରଚୟିତା ବଙ୍କିମ ଚନ୍ଦ୍ର ଚାଟାର୍ଜୀ (1838–1894) ଉନବିଂଶ ଶତାବ୍ଦୀର ବଙ୍ଗରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ। ସେ ଜଣେ ଔପନ୍ୟାସିକ, କବି ଏବଂ ପ୍ରାବନ୍ଧିକ ରୂପେ ବଙ୍ଗୀୟ ବୌଦ୍ଧିକ ଏବଂ ସାହିତ୍ୟିକ ଇତିହାସରେ ଉଲ୍ଲେଖନୀୟ ଯୋଗଦାନ ଦେଇ ଯାଇଛନ୍ତି। ତାଙ୍କର ଯୋଗଦାନ ଭାରତୀୟ ଜାତୀୟବାଦର ଉଦ୍ରେକକୁ ପ୍ରଭାବିତ କରିଥିଲା।
ଅକ୍ଟୋବର ୧୯୦୫ରେ ଉତ୍ତର କଲିକତାରେ ବନ୍ଦେ ମାତରମ ସମ୍ପ୍ରଦାୟ ପ୍ରତିଷ୍ଠା କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ମାତୃଭୂମିକୁ ଏକ ଲକ୍ଷ୍ୟ ଏବଂ ଧାର୍ମିକ ଉତ୍ସାହ ରୂପେ ପ୍ରୋତ୍ସାହିତ କରିବା। ଏହାର ସଦସ୍ୟମାନେ ପ୍ରତ୍ୟେକ ଦିନ ପ୍ରଭାତ ଫେରୀ ସମୟରେ ବନ୍ଦେ ମାତରମ ଗୀତ ଗାଉଥିଲେ। ଏହି ପ୍ରଭାତ ଫେରୀରେ ରବୀନ୍ଦ୍ର ନାଥ ଠାକୁର ମଧ୍ୟ ବେଳେବେଳେ ଯୋଗ ଦେଉଥିଲେ।
୨୦ ମଇ ୧୯୦୬ରେ ବରିସଲ (ବର୍ତ୍ତମାନର ବାଂଲାଦେଶ)ରେ ଅଭୂତପୂର୍ବ ବନ୍ଦେ ମାତରମ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ଏଥିରେ ହିନ୍ଦୁ ଓ ମୁସଲିମଙ୍କ ସମେତ ହଜାର ହଜାର ଲୋକ ସାମିଲ ହୋଇଥିଲେ। ସେହି ବର୍ଷ ବନ୍ଦେ ମାତରମ ପତ୍ରିକାର ଶୁଭାରମ୍ଭ ହୋଇଥିଲା। ଏହାର ପ୍ରଥମ ସମ୍ପାଦକ ଥିଲେ ବିପିନ ଚନ୍ଦ୍ର ପାଲ। ଶ୍ରୀ ଅରବିନ୍ଦ ପରବର୍ତ୍ତୀ କାଳରେ ଏହାର ଯୁଗ୍ମ ସମ୍ପାଦକ ରୂପେ ଯୋଗ ଦେଇଥିଲେ। ଏହା ପ୍ରଭାବୀ ସମ୍ପାଦକୀୟ ଜରିଆରେ ଭାରତର ଜାଗରଣର ଉପକରଣ ପାଲଟିଥିଲା। ବନ୍ଦେ ମାତରମ ଗୀତ ଓ ସ୍ଲୋଗାନର ପ୍ରଭାବ ବୃଦ୍ଧି ପାଉଥିବା ଦେଖି ବ୍ରିଟିଶ ସରକାର ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ କଠୋର ପଦକ୍ଷେପ ନେଇଥିଲେ।
ସ୍ୱାଧୀନତା ଆନ୍ଦୋଳନ ସମୟରେ ବନ୍ଦେ ମାତରମ ଭାରତର ସଂଗ୍ରାମୀ ଗୀତ ପାଲଟିଥିଲା। ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ଏହା ବିପ୍ଳବର ବହ୍ନି ଜାଳିଥିଲା। ଜାତି, ଧର୍ମ ଏବଂ ଭାଷା ନିର୍ବିଶେଷରେ ଏହା ସବୁ ଭାରତୀୟଙ୍କୁ ଏକତ୍ରିତ କରିଥିଲା। ରାଜନୈତିକ ସଭା, ଶୋଭାଯାତ୍ରା, ଆନ୍ଦୋଳନ ଆଦିରେ ଏହା ପ୍ରେରଣାର ଗୀତ ପାଲଟିଥିଲା। ଏହା କେବଳ ବିଦ୍ରୋହ ପାଇଁ ପ୍ରେରଣା ଦେଇନଥିଲା ବରଂ ସାଂସ୍କୃତିକ ଗୌରବ ଏବଂ ଆଧ୍ୟାତ୍ମିକ ଉତ୍ସାହକୁ ଜାଗ୍ରତ କରିବା ସହିତ ଭାରତର ସ୍ୱାଧୀନତା ପାଇଁ ମୂଳଦୁଆକୁ ମଜବୁତ କରିଥିଲା।
୨୪ ଜାନୁଆରୀ ୧୯୫୦ରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ସଭାକୁ ସମ୍ବୋଧିତ କରି କହିଥିଲେ ଯେ ସ୍ୱାଧୀନତା ଆନ୍ଦୋଳନରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ହେତୁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ଜନ ଗଣ ମନ ପରି ସମାନ ମାନ୍ୟତା ପାଇବା ଉଚିତ ଏବଂ ସମାନ ଭାବରେ ସମ୍ମାନିତ ହେବା ଉଚିତ। ଏହାକୁ ଆଧାର କରି ସ୍ୱାଧୀନ ଭାରତର ଜାତୀୟ ସଙ୍ଗୀତ ଭାବରେ ରବୀନ୍ଦ୍ରନାଥ ଟାଗୋରଙ୍କ ‘ଜନ-ଗଣ-ମନ’କୁ ଗ୍ରହଣ କରାଯାଇଥିଲା ଏବଂ ବଙ୍କିମ ଚନ୍ଦ୍ରଙ୍କ ‘ବନ୍ଦେ ମାତରମ୍’କୁ ‘ଜନ-ଗଣ-ମନ’ ସହିତ ସମାନ ମର୍ଯ୍ୟାଦା ଦେଇ ଜାତୀୟ ଗୀତ ଭାବରେ ଗ୍ରହଣ କରାଯାଇଥିଲା।









