ଆଜି କ୍ରିକେଟରେ ଭାରତ-ପାକିସ୍ତାନ ଲଢ଼େଇ । କ୍ରିକେଟ୍ପ୍ରେମୀ ଉତ୍ସାହର ସହ ପ୍ରତୀକ୍ଷା କରିଛନ୍ତି । କେବଳ ଏହି ଦୁଇ ଦେଶ ନୁହେଁ, ଯେବେବି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ମୁହାଁମୁହିଁ ହୁଅନ୍ତି, ସାରା ବିଶ୍ବର ନଜର ଏହି ମହାମୁକାବିଲା ଉପରେ ରହିଥାଏ।
ବିଶ୍ବର ଯେଉଁସ୍ଥାନରେ ଖେଳା ଯାଉଥିଲେ ମଧ୍ୟ ଏହାକୁ ନେଇ ଗଳି କନ୍ଦିରୁ ସହର ବଜାର ପର୍ଯ୍ୟନ୍ତ, ସବୁଠି ଉତ୍କଣ୍ଠା ଦେଖିବାକୁ ମିଳିଥାଏ। ଏସିଆ କପ୍ର ବହୁ ପ୍ରତୀକ୍ଷିତ ମହାଲଢ଼େଇରେ ରବିବାର ଭାରତ-ପାକିସ୍ତାନ ପରସ୍ପରକୁ ଭେଟାଭେଟି ହେବାକୁ ଯାଉଥିଲା ବେଳେ ପୂର୍ବର ସେହି ଚର୍ଚ୍ଚା ଓ ଉତ୍କଣ୍ଠା ଯେମତି ଏକବାର କମିଯାଇଛି।
ଟିକେଟ୍ ବିକ୍ରିରେ ଅପ୍ରତ୍ୟାଶିତ ମାନ୍ଦାବସ୍ଥା, ଆଇପିଏଲ୍ ଫ୍ରାଞ୍ଚାଇଜ୍ଗୁଡ଼ିକର ଏହି ହାଇଭୋଲ୍ଟେଜ୍ ମ୍ୟାଚ୍କୁ ବର୍ଜନ କରିବା ନିଷ୍ପତ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ତା’ପରେ ପରେ ଅପରେସନ୍ ସିନ୍ଦୁରକୁ ନେଇ ଯୁଦ୍ଧଭଳି ପରିସ୍ଥିତି ସୃଷ୍ଟି ହେବା ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳ ଏହି ମ୍ୟାଚ୍କୁ ତୀବ୍ର ବିରୋଧ କରିବାର ପ୍ରଭାବ ଅନେକାଂଶରେ ଏହା ଉପରେ ପଡ଼ିଛି। ଏକାଧିକ ରାଜନୈତିକ ଦଳ ମଧ୍ୟ ଭାରତ-ପାକିସ୍ତାନ ମ୍ୟାଚ୍କୁ ବର୍ଜନ କରିବାକୁ ପ୍ରଶଂସକମାନଙ୍କୁ ଖୋଲା ଆହ୍ବାନ କରିଛନ୍ତି।
ସେହିଭଳି ବଡ଼ ସ୍କ୍ରିନ୍ରେ ମ୍ୟାଚ୍ର ସିଧାପ୍ରସାରଣ କଲେ ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିବାକୁ କିଛି ସଂଗଠନ ଧମକ ଦେବା ପରେ ବିବାଦୀୟ ଓ ବିତର୍କିତ ପରିସ୍ଥିତି ସୃଷ୍ଟି କରିଛି। ମ୍ୟାଚ୍ ଲାଗି ଅନୁମତି ଦେଇଥିବାରୁ ଭାରତ ସରକାରଙ୍କୁ ବିରୋଧୀ ତୀବ୍ର ସମାଲୋଚନା କରିଛନ୍ତି।









