ଶୁକ୍ରବାରଠାରୁ ପୁରୁଷ ଏସିଆ କପ୍ ହକିର ଦ୍ବାଦଶ ସଂସ୍କରଣ

ପୁରୁଷ ଏସିଆ କପ୍ ହକିର ଦ୍ବାଦଶ ସଂସ୍କରଣ ଶୁକ୍ରବାରଠାରୁ ବିହାରର ରାଜଗିରଠାରେ ୮ଟି ଦଳକୁ ନେଇ ଆରମ୍ଭ ହେବ। ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାର ବିଜେତା ନେଦରଲାଣ୍ଡ୍‌ସ ଓ ବେଲଜିୟମ୍‌ରେ ଖେଳାଯିବାକୁ ଥିବା ୨୦୨୬ ପୁରୁଷ ହକି ବିଶ୍ବକପ୍ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିବ। ଏହି ପ୍ରତିଯୋଗିତାର ଗତ ସଂସ୍କରଣରେ ଦକ୍ଷିଣ କୋରିଆ ବିଜେତା ହୋଇଥିଲା। ଅନ୍ୟତମ ସଫଳ ଦଳ ଭାରତ ଗତ ସଂସ୍କରଣରେ ଟ୍ରଫି ଉତ୍ତୋଳନ କରିବାକୁ ବିଫଳ ହୋଇଥିବାରୁ ଚଳିତ ସଂସ୍କରଣରେ ଘରୋଇ ପରିବେଶରେ ଚତୁର୍ଥ ଏସିଆ କପ୍ ଟ୍ରଫି ଜିତିବା ଲକ୍ଷ୍ୟରେ ରହିବ। ତେବେ ଭାରତ ସହ ତିକ୍ତ ସଂପର୍କ ପାଇଁ ଅନ୍ୟତମ ଏସୀୟ ଶକ୍ତି ପାକିସ୍ତାନ ସୁରକ୍ଷା କାରଣ ଦର୍ଶାଇ ଏହି ପ୍ରତିଯୋଗିତାରୁ ଓହରି ଯାଇଛି।

ଏଣୁ ପ୍ରଶଂସକମାନେ ଭାରତ-ପାକିସ୍ତାନ ମହାମୁକାବିଲା ଦେଖିବାରୁ ବଞ୍ଚିତ ହେବେ। ପାକିସ୍ତାନ ବଦଳରେ ବାଂଲାଦେଶ ଖେଳିବାର ସୁଯୋଗ ପାଇବ। ସେହିଭଳି ଆର୍ଥିକ ସଙ୍କଟ ତଥା ଅନ୍ୟାନ୍ୟ କାରଣ ଦର୍ଶାଇ ଓମାନ ଓହରିଯିବା ପରେ କାଜାଖସ୍ତାନ ଏହି ଦଳର ସ୍ଥାନ ନେବେ। ଏସୀୟ ମାନ୍ୟତାର ପ୍ରଥମ ସ୍ଥାନ‌ରେ ଥିବା ଭାରତ ପାଇଁ ଏହି ପ୍ରତିଯୋଗିତା ଜିତିବାରେ ବିଶେଷ ଅସୁବିଧା ହେବା କଥା ନୁହେଁ। ତେବେ ଭାରତ ଚତୁର୍ଥ ଥର ବିଜେତା ହେବା ବାଟରେ ସର୍ବାଧିକ ୫ଥର ବିଜେତା ହୋଇଥିବା ଦକ୍ଷିଣ କୋରିଆ ପ୍ରମୁଖ ପ୍ରତିବନ୍ଧକ ହୋଇପାରେ। ଭାରତ ଛଡ଼ା ଏଥିରେ ଅଂଶଗ୍ରହଣ କରିବାକୁ ଥିବା ଅନ୍ୟ ଦଳଗୁଡ଼ିକ ହେଲା ଚୀନ, ଜାପାନ, କାଜାଖସ୍ତାନ, ବାଂଲାଦେଶ, ଚାଇନିଜ୍ ତାଇପେଇ, ମାଲେସିଆ ଓ ଦକ୍ଷିଣ କୋରିଆ। ପୁଲ୍ ‘ଏ’ରେ ଭାରତ ସହ ଜାପାନ, ଚୀନ ଓ କାଜାଖସ୍ତାନ ଅଛନ୍ତି। ଭାରତୀୟ ଦଳରେ ଓଡ଼ିଶାର ରକ୍ଷଣଭାଗ ଖେଳାଳି ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା ଓ ନୀଲମ ସଂଜୀପ ଖେସ୍‌ ଥିବାରୁ ଏହି ପ୍ରତିଯୋଗିତାରେ ଓଡ଼ିଆ ଛାପ ମଧ୍ୟ ରହିବ।

ପ୍ରବୋଧ ଜିତାଇଥିଲେ ଦ୍ବିତୀୟ ଟ୍ରଫି
୪୩ବର୍ଷ ତଳେ ଅର୍ଥାତ୍ ୧୯୮୨ ମସିହାରେ ଆରମ୍ଭ ହୋଇଥିବା ପୁରୁଷ ଏସିଆ କପ୍‌ ହକିର ଗତ ୧୧ ସଂସ୍କରଣ ମଧ୍ୟରୁ ଭାରତ ୨୦୦୩, ୨୦୦୭ ଓ ୨୦୧୭ରେ ବିଜେତା ହୋଇଥିଲା। ଧନରାଜ ପିଲ୍ଲେଙ୍କ ନେତୃତ୍ବରେ ଭାରତ ୨୦୦୩ରେ ପ୍ରଥମ ଥର ଲାଗି ଏସିଆ କପ୍ ଜିତିଥିଲା। ତେବେ ୨୦୦୭ ମସିହାର ଦ୍ବିତୀୟ ଏସିଆ କପ୍ ଟ୍ରଫି ଓଡ଼ିଶା ହକି ପରିପ୍ରେକ୍ଷୀରେ ବିଶେଷ ମହତ୍ତ୍ବ ରଖେ। କାରଣ ସେହିଥର ଓଡ଼ିଆ ପୁଅ ପ୍ରବୋଧ ତିର୍କିଙ୍କ‌ ନେତୃତ୍ବ‌ରେ ଭାରତ ଦ୍ବିତୀୟ ଥର ଏସିଆ କପ୍ ଜିତିଥିଲା। ଚେନ୍ନାଇରେ ଆୟୋଜିତ ଏହି ପ୍ରତିଯୋଗିତାରେ ମୋଟ ୧୧ ଦଳ ଅଂଶଗ୍ରହଣ କରିଥିଲେ। ପ୍ରବୋଧଙ୍କ ବଳିଷ୍ଠ ନେତୃତ୍ବରେ ଭାରତ ଫାଇନାଲ୍‌ରେ ଦକ୍ଷିଣ କୋରିଆକୁ ୭-୨ ଗୋଲ୍‌ରେ ହରାଇ ବିଜେତା ହୋଇଥିଲା। ପ୍ରବୋଧଙ୍କ ସହ ତାଙ୍କ ବଡ଼ ଭାଇ ଇଗ୍ନେସ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ଫାଇନାଲ୍‌ରେ ଗୋଟିଏ ଗୋଲ୍ ଦେଇଥିଲେ। ଅନ୍ୟତମ ଓଡ଼ିଆ ରୋଶନ ମିଞ୍ଜ ମଧ୍ୟ ପୂରା ପ୍ରତିଯୋଗିତାରେ ନିଜ ଯାଦୁ ଦେଖାଇଥିଲେ। ପୁଲ୍-ବି’ରେ ଥିବା ଭାରତ ପାଇଁ ପଦ୍ମଶ୍ରୀ ଦିଲୀପ ତିର୍କି ଚୀନ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଏକମାତ୍ର ଗୋଲ୍ ଦେଇଥିଲେ। ସେହିଭଳି ଶ୍ରୀଲଙ୍କା ବିପକ୍ଷ ପରବର୍ତ୍ତୀ ମ୍ୟାଚ୍‌ରେ ସେ ଓ ଇଗ୍ନେସ ମଧ୍ୟ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଦକ୍ଷିଣ କୋରିଆ ବିପକ୍ଷରେ ମଧ୍ୟ ଇଗ୍ନେସ ଏହି ସଫଳତା ‌ଦୋହରାଇଥିଲେ। ୧୦ବର୍ଷ ପରେ ଅର୍ଥାତ୍ ୨୦୧୭ରେ ମନପ୍ରୀତ ସିଂହଙ୍କ ନେତୃତ୍ବରେ ବାଂଲାଦେଶ ରାଜଧାନୀ ଢାକାଠାରେ ଭାରତ ନିଜ ତୃତୀୟ ଏସିଆ କପ୍ ଟ୍ରଫି ଜିତିଥିଲା।

Leave a Reply

Your email address will not be published. Required fields are marked *