ଉପକୂଳ ଅର୍ଥବ୍ୟବସ୍ଥାକୁ ମିଳିବ ପ୍ରୋତ୍ସାହନ

ଦେଶର ଉପକୂଳ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଉପକୂଳ ଜାହାଜ ଚଳାଚଳ ବିଲ୍, ୨୦୨୫ ଆଜି ରାଜ୍ୟସଭାରେ ଗୃହୀତ ହୋଇଛି। ଏହି ଐତିହାସିକ ଆଇନ ଭାରତର ନଅଟି ଉପକୂଳ ରାଜ୍ୟ ଏବଂ ଚାରୋଟି କେନ୍ଦ୍ରଶାସିତ ଅଞ୍ଚଳକୁ ବ୍ୟାପିଥିବା ୧୧,୦୯୮ କିଲୋମିଟର ଲମ୍ବା ରଣନୀତିକ ଉପକୂଳର ବ୍ୟାପକ ଏବଂ ବିଶାଳ ସମ୍ଭାବନାକୁ ଉନ୍ମୁକ୍ତ କରିବାକୁ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏହି ବିଲକୁ ଗୃହୀତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।

ଏହି ବିଲ୍ ପୂର୍ବରୁ ୩ ଏପ୍ରିଲ, ୨୦୨୫ରେ ଲୋକସଭାରେ ଗୃହୀତ ହୋଇଥିଲା। ଏହା ଉପକୂଳ ଜାହାଜ ପରିଚାଳନା ଆଇନଗତ ଢାଞ୍ଚାକୁ ସରଳ ଏବଂ ଆଧୁନିକୀକରଣ କରିବାକୁ ଉଦ୍ଦିଷ୍ଟ। ବାଣିଜ୍ୟିକ ଜାହାଜ ଚଳାଚଳ ଆଇନ, ୧୯୫୮ର ଚତୁର୍ଦ୍ଦଶ ଭାଗକୁ ବିଶ୍ୱ କ୍ୟାବୋଟେଜ୍ ମାନଦଣ୍ଡ ସହିତ ଯୋଡ଼ାଯାଇଛି । ଏହା ଏକ ନୂତନ ଯୁଗର ପ୍ରଗତିଶୀଳ ଆଇନ ।

ରାଜ୍ୟସଭାରେ ବିଲ୍ ଉପସ୍ଥାପନ କରି କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି, ଏହି ଆଇନ ଭାରତର ୨୦୩୦ ସୁଦ୍ଧା ଏହାର ଉପକୂଳ ମାଲ ପରିବହନ ଅଂଶକୁ ୨୩୦ ନିୟୁତ ମେଟ୍ରିକ୍ ଟନ୍‌କୁ ବୃଦ୍ଧି କରିବ। ଏଥିସହିତ ଆତ୍ମନିର୍ଭର ଭାରତ ଏବଂ ବିକଶିତ ଭାରତରେ ସାମୁଦ୍ରିକ କ୍ଷେତ୍ରର ଅବଦାନକୁ ସୁଦୃଢ଼ କରିବା ଏହାର ଲକ୍ଷ୍ୟ।

ଏହା କେବଳ ଏକ ଆଇନଗତ ସଂସ୍କାର ନୁହେଁ ବରଂ ଆର୍ଥିକ ଅଭିବୃଦ୍ଧି, ନିଯୁକ୍ତି ଏବଂ ଲଜିଷ୍ଟିକ୍ସ ଦକ୍ଷତାର ଏକ ରଣନୀତିକ ସମର୍ଥକ। ଏହି ବିଲ୍ ନିୟାମକ ବୋଝ ହ୍ରାସ କରିଥାଏ। ଭାରତୀୟ ଜାହାଜର ପ୍ରତିଯୋଗିତାକୁ ବୃଦ୍ଧି କରେ ଏବଂ ଭାରତକୁ ଏକ ବିଶ୍ୱସ୍ତରୀୟ ସାମୁଦ୍ରିକ ବାଣିଜ୍ୟ କେନ୍ଦ୍ର କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୀର୍ଘକାଳୀନ ଦୃଷ୍ଟିକୋଣ ସହିତ ଏହା ଅନୁରୂପ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ଉପକୂଳ ଜାହାଜ ଚଳାଚଳ ବିଲ୍, ୨୦୨୫ ଛଅଟି ଅଧ୍ୟାୟ ଏବଂ ୪୨ଟି ଧାରାକୁ ନେଇ ଗଠିତ। ଏହା ଉପକୂଳ ଜାହାଜ ଚଳାଚଳ ପାଇଁ ଏକ ସରଳୀକୃତ ଲାଇସେନ୍ସ ବ୍ୟବସ୍ଥା ପ୍ରଚଳନ କରେ ଏବଂ ଉପକୂଳ ବାଣିଜ୍ୟରେ ନିୟୋଜିତ ବିଦେଶୀ ଜାହାଜଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଢାଞ୍ଚା ପ୍ରସ୍ତୁତ କରେ। ଏହା ସହିତ, ବିଲ୍ ଭବିଷ୍ୟତର ଭିତ୍ତିଭୂମି ବିକାଶ ଓ ନୀତି ଦିଗକୁ ମାର୍ଗଦର୍ଶନ କରିବା ପାଇଁ ଏକ ଜାତୀୟ ଉପକୂଳ ଏବଂ ଆଭ୍ୟନ୍ତରୀଣ ଜାହାଜ ପରିବହନ ଲାଗି ରଣନୀତିକ ଯୋଜନା ପ୍ରସ୍ତୁତ କରିବାକୁ ବାଧ୍ୟତାମୂଳକ କରିଥାଏ।

ଏହି ଆଇନରେ ଉପକୂଳ ଜାହାଜ ପରିବହନ ପାଇଁ ଏକ ଜାତୀୟ ଡାଟାବେସ୍ ସୃଷ୍ଟି କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ପ୍ରାମାଣିକ ଏବଂ ନିୟମିତ ଭାବରେ ସଂଶୋଧିତ ହୋଇଥିବା ଡାଟାକୁ ପ୍ରକୃତ ସମୟରେ ଉପଲବ୍ଧ କରିପାରିବ। ଏହି ଡାଟାବେସ୍ ସମ୍ଭାବ୍ୟ ନିବେଶକମାନଙ୍କୁ ସରକାରଙ୍କ ବିକାଶ ଯୋଜନା ଏବଂ ଏହି କ୍ଷେତ୍ରରେ ନୀତିଗତ ପ୍ରାଥମିକତା ବିଷୟରେ ଅବଗତ କରାଇବ, ସ୍ୱଚ୍ଛତା ଏବଂ ଆତ୍ମବିଶ୍ୱାସକୁ ପ୍ରୋତ୍ସାହିତ କରିବ।

ଉପକୂଳ ଜାହାଜ ଚଳାଚଳ ଆଇନ, ୨୦୨୫ ଗୃହୀତ ହେବା ସହିତ, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ତିନୋଟି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଆଇନକୁ ସଂସଦର ମଞ୍ଜୁରି ମିଳିଛି । ସେଗୁଡ଼ିକ ହେଲା ବାଣିଜ୍ୟିକ ଜାହାଜ ଚଳାଚଳ ବିଲ୍ ୨୦୨୫, ସାମୁଦ୍ରିକ ମାଲ୍‌ ପରିବହନ ବିଲ୍, ୨୦୨୫ ଏବଂ ଉପକୂଳ ଜାହାଜ ପରିବହନ ବିଲ୍‌। ଏହା ବିକଶିତ ଭାରତ ଏବଂ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣ ସହିତ ଏକ ଆଧୁନିକ, ଦକ୍ଷ ଏବଂ ଆତ୍ମନିର୍ଭରଶୀଳ ସାମୁଦ୍ରିକ ଇକୋସିଷ୍ଟମ ପାଇଁ ପଥ ପ୍ରଶସ୍ତ କରିଛି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ସୋନୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଅଧୀନରେ, ଆମ ମନ୍ତ୍ରଣାଳୟ ଭାରତର ସାମୁଦ୍ରିକ କ୍ଷେତ୍ରକୁ ଆଧୁନିକୀକରଣ କରିବା ପାଇଁ ଐତିହାସିକ ଆଇନଗତ ସଂସ୍କାର ଗ୍ରହଣ କରିଛି। ତିନୋଟି ଐତିହାସିକ ବିଲ୍ ଗୃହୀତ ହେବା ସହିତ ଆମେ ଏକ ଭବିଷ୍ୟତ ପାଇଁ ପ୍ରସ୍ତୁତ ସାମୁଦ୍ରିକ ଇକୋସିଷ୍ଟମ ପାଇଁ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରୁଛୁ। ଏହା ଆତ୍ମନିର୍ଭର ଭାରତ ସଂକଳ୍ପକୁ ସମର୍ଥନ କରେ ଏବଂ ଆମକୁ ବିକଶିତ ଭାରତର ଲକ୍ଷ୍ୟ ନିକଟତର କରାଇବ।